ଗଜପତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ସତର୍କତା ନେଇ ସରକାର ନିଦେ୍ର୍ଧଶନାମା ଜାରି କରିବା ପରେ ବିଦେଶରୁ ଫେରିଥିବା ୧୨୩୯ ଜଣ ଆଜି ପଞ୍ଜୀକରଣ କରିଛନ୍ତି । ଏଥିମଧ୍ୟରେ ଅଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାର ସଦସ୍ୟ । ଆମେରିକାରୁ ଫେରିବା ପରେ ଗଜପତି ମହାରାଜ ଓ ତାଙ୍କ ପରିବାର ଲୋକେ ସରକାରଙ୍କ ନିକଟରେ ପଞ୍ଜୀକରଣ କରିବା ସହ ୧୪ ଦିନ ପାଇଁ ନିଜ ଭୁବନେଶ୍ୱରସ୍ଥିତ ଘରେ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି ଜଣାଇଛନ୍ତି ।
ଆମେରିକାର ବିଭିନ୍ନ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପରିବାର ଲୋକଙ୍କ ସହ ଗଜପତି ମହାରାଜ ଯାଇଥିଲେ । ଗତ ୧୫ ତାରିଖରେ ସେ ଭୁବନେଶ୍ୱରକୁ ଫେରିଥିଲେ । କରୋନା ଭାଇରସ୍ ସତର୍କତା ନେଇ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ନିଦେ୍ର୍ଧଶନାମା ଜାରି କରିଛନ୍ତି ସରକାର । ଗଜପତି ମହାରାଜ ଓ ତାଙ୍କ ପରିବାର ଲୋକେ ଆଜି https://covid19.odisha.gov.inପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି ସେମାନେ ଜଣାଇଛନ୍ତି । ଗଜପତି ମହାରାଜ ନିବେଦନ କରିଛନ୍ତି ଯେ ଯଦି କେହି ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ଓଡ଼ିଶା ଆସିଛନ୍ତି, ତୁରନ୍ତ ସରକାରଙ୍କୁ ସୂଚନା ଦିଅନ୍ତୁ । ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରାନ୍ତୁ । ସରକାରଙ୍କ ପରାମର୍ଶ ଅନୁଯାୟୀ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ରହିବା ପାଇଁ ଗଜପତି ମହାରାଜ ନିବେଦନ କରିଛନ୍ତି । ଗଜପତି ମହାରାଜ ଓ ତାଙ୍କ ପରିବାର ଲୋକେ ନିଜ ଆଡ଼ୁ ପଞ୍ଜୀକରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି । ଅନ୍ୟମାନେ ମଧ୍ୟ ବିଦେଶରୁ ଫେରିବା ପରେ ପଞ୍ଜୀକରଣ କରାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ଓଡ଼ିଶା ଖଣି ନିଗମ ପରିଚାଳନା ନିଦେ୍ର୍ଧଶକ ତଥା କ୍ରୀଡ଼ା ବିଭାଗ ନିଦେ୍ର୍ଧଶକ ଆଇଏଏସ୍ ଭିନିଲ୍କ୍ରିଷ୍ଣା ବିଦେଶରୁ ଫେରିଥିବାରୁ ଆଜି ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଭିଡିଓ ବାର୍ତ୍ତା ମାଧ୍ୟମରେ ଭିନିଲ୍କ୍ରିଷ୍ଣା ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଦେଶରୁ ଫେରିବା ପରେ କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ସେ ସରକାରଙ୍କ ନିୟମ ପାଳନ କରି ୱେବସାଇଟରେ ପଞ୍ଜୀକରଣ କରିଛନ୍ତି । ଏବେ ସେ ସ୍ୱନିରୀକ୍ଷଣରେ ଘରେ ରହୁଛନ୍ତି । ବିଦେଶରୁ ଯେଉଁମାନେ ବି ଆସିଛନ୍ତି, ସେମାନେ ସରକାରଙ୍କ ପରାମର୍ଶ କ୍ରମେ ନିଜ ଆଡ଼ୁ ପଞ୍ଜୀକରଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।
ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ପୁଅ ଗତକାଲି ଲଣ୍ଡନରୁ ଫେରିବା ପରେ ନିଜ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି । ସଂଜୟ ଏ ନେଇ ସୂଚନା ଦେଇଛନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସରକାର ଯେଉଁ ନିଦେ୍ର୍ଧଶନାମା ଜାରି କରିଛନ୍ତି, ତା’କୁ ପାଳନ କରିବା ପାଇଁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଏକ ଭିଡିଓରେ ଶ୍ରୀ ଦାସବର୍ମା କହିଛନ୍ତି, ଯିଏ ବି ବିଦେଶରୁ ଆସିଛନ୍ତି, ସରକାର ଜାରି କରିଥିବା ଟୋଲ୍ ଫ୍ରି ନମ୍ବର-୧୦୪ରେ ଫୋନ୍ କରି ପଞ୍ଜୀକରଣ କରନ୍ତୁ ।
ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଉପରେ ସରକାର ସର୍ବାଧିକ ନଜର ରଖିଛନ୍ତି । ଏଥିପାଇଁ ଗତକାଲି ରାଜ୍ୟ ସରକାର ନିଦେ୍ର୍ଧଶନାମା ଜାରି କରିଛନ୍ତି ଯେ ବିଦେଶରୁ ଓଡ଼ିଶା ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ । ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ପଞ୍ଜିକରଣ କରିବାକୁ ପଡ଼ିବ । ନିୟମ ପାଳନ କଲେ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ନିୟମ ନ ମାନିଲେ ଦଣ୍ଡିତ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons