ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଏବେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତଙ୍କ ଜିଲ୍ଲା ପାଲଟିଛି । ପ୍ରତିଦିନ ଜିଲ୍ଲାରୁ ବହୁ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରବିବାରର ସଂଖ୍ୟାରେ ସୋମବାର ଆଉ ୨୯ ପଜିଟିଭ୍ ଯୋଡ଼ି ହୋଇଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୧୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ସମସ୍ତ ପଜିଟିଭ୍ ପ୍ରବାସୀ ଓଡ଼ିଆ, ପ୍ରାୟ ସମସ୍ତ ସୁରଟ ଫେରନ୍ତା । ତେବେ ଅନେକ ପଜିଟିଭ୍ଙ୍କ ମଧ୍ୟରେ କୌଣସି ଲକ୍ଷଣ ନଥିବା ଯୋଗୁଁ ଏହା ପ୍ରଶାସନ ଏବଂ ଡାକ୍ତରମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ସେପଟେ ପ୍ରବାସୀ ଓଡ଼ିଆଙ୍କ ଜିଲ୍ଲାକୁ ଫେରିବା ଜାରି ରହିଛି । ସୋମବାର ରାତି ସୁଦ୍ଧା ଗୋଟିଏ ଟ୍ରେନ୍ ଚେନ୍ନାଇରୁ ଓ ୩ଟି ଟ୍ରେନ୍ ସୁରଟରୁ ଆସି ଜଗନ୍ନାଥପୁର ଷ୍ଟେସନ୍ରେ ପହଞ୍ଚିଛି । ଏଥିରେ ମୋଟ ୪୨୦୯ ଜଣ ଯାତ୍ରୀ ଆସିଛନ୍ତି । ତେବେ ଟ୍ରେନ୍ ଷ୍ଟେସନ୍ରେ ପହଞ୍ଚିବା ପୂର୍ବରୁ ଯାତ୍ରୀମାନେ ରାସ୍ତାରୁ ଓହ୍ଲାଇ ପଳାଉଥିବା ଅଭିଯୋଗ ପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ବିଭିନ୍ନ ଓଭର୍ବ୍ରିଜ୍ରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅପରପକ୍ଷରେ ଜାତୀୟ ରାଜପଥରେ ମଧ୍ୟ କିଛି ଲୋକ ଯାଉଥିବା ଖବର ପାଇ ସେପଟେ ଯାଉଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ଗାଡ଼ି ଅଟକାଇ ସେମାନଙ୍କୁ ପଚରାଉଚରା କରିଥିଲେ । ବର୍ତ୍ତମାନ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଅଧିକ ସଂଖ୍ୟକ ସୁରଟ ଫେରନ୍ତାଙ୍କୁ ନେଇ ସାରା ଜିଲ୍ଲାବାସୀ ଏବେ ଚିନ୍ତାରେ ରହିଛନ୍ତି ।
ତେଣେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ କୋଭିଡ୍ କେୟାର୍ ସେଣ୍ଟର୍ ପ୍ରତିÂା ପାଇଁ ପ୍ରଶାସନ ଯୋଜନା କରୁଛି । ମାତ୍ର ସାଧାରଣ ଲୋକ ଏହାର ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ପୁରୁଣା ବ୍ରହ୍ମପୁର ଏବଂ ଲାଞ୍ଜିପଲ୍ଲୀ ଗୁରୁକୁଳ ଇଣ୍ଟର୍ନ୍ୟାସନାଲ୍ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ କୋଭିଡ୍ କେୟାର ସେଣ୍ଟର୍ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ । ରବିବାର ରାତି ୯ଟାରୁ ଶହ ଶହ ଲୋକ ଏକତ୍ରିତ ହୋଇ ଦୁଇଟି ଯାକ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ । ବ୍ରହ୍ମପୁର ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ । ଅଧିକ ରାତି ହୋଇଥିବା ଯୋଗୁଁ ସେଠାରୁ ଲୋକେ ଚାଲି ଆସିଥିଲେ ମଧ୍ୟ କେୟାର ସେଣ୍ଟର୍ ନକରିବାକୁ ଜିଦ୍ ଧରି ବସିଛନ୍ତି ।
କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ମାଣିତରା ପଞ୍ଚାୟତକୁ ସରପଞ୍ଚ ଶାନ୍ତିଲତା ନାୟକ ସଟ୍ଡାଉନ୍ ଘୋଷଣା କରିଛନ୍ତି । ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ନେଇ ରାଜ୍ୟରେ ଏହା ପ୍ରଥମ ପଦକ୍ଷେପ । ଏହାକୁ ଟ୍ୱିଟର୍ ଜରିଆରେ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ସେପଟେ ମାଣିତରା ପରେ ପୋଲସରା ବ୍ଲକ୍ ମଧୁପଲ୍ଲୀ ଓ ମନ୍ଦାର ସରପଞ୍ଚ ମଧ୍ୟ ନିଜ ପଞ୍ଚାୟତକୁ ୭ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲାପାଳ ୯ ଦଫା ସମ୍ବଳିତ ଏକ କାର୍ଯ୍ୟସୂଚୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ଅନ୍ତେବାସୀଙ୍କ ପାଇଁ ଜାରି କରିଛନ୍ତି । ଏଥିରେ ନିତ୍ୟକର୍ମ ସମେତ ଯୋଗାସନ, ବ୍ୟାୟାମ, କୋଭିଡ୍ ୧୯ ପ୍ରଶିକ୍ଷଣ, କେନ୍ଦ୍ର ପରିସରରେ ସଫେଇ ଓ ବୃକ୍ଷରୋପଣ, ମନୋରଞ୍ଜନ ତଥା ସଙ୍ଗୀତ ଆଦି କାର୍ଯ୍ୟକ୍ରମ ରହିଛି । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ କୋଭିଡ୍ ମୁକାବିଲା ପ୍ରଶିକ୍ଷଣ ଗ୍ରହଣ କରିବେ । ସେମାନଙ୍କ ସଙ୍ଗରୋଧ ଅବଧି ସରିବା ପରେ ସେମାନେ ଯେତେବେଳେ ନିଜ ଅଞ୍ଚଳକୁ ଫେରିବେ ଅନ୍ୟମାନଙ୍କ ପାଇଁ କରୋନା ମୁକାବିଲାର ସ୍ୱାସ୍ଥ୍ୟ କର୍ମୀ (କୋଭିଡ୍ କମୁ୍ୟନିଟି ହେଲ୍ଥ୍ ୱର୍କର୍) ଭାବେ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣାଯାଇଛି ।
Comments are closed, but trackbacks and pingbacks are open.