ଗଞ୍ଜାମରେ ପଜିଟିଭ୍ ସଂଖ୍ୟା ୪

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବୁଧବାର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ସୁରଟ ଫେରନ୍ତା, ବୟସ ୧୮ ବର୍ଷ । ତାଙ୍କୁ ମଧ୍ୟ କୋଭିଡ୍-୧୯ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ସେ କେଉଁ କ୍ୱାରେଣ୍ଟାଇନ୍ ହୋମ୍ରେ ଥିଲେ ଏବଂ ଯାତ୍ରା ବିବରଣୀ ପ୍ରକାଶ କରିନାହିଁ ପ୍ରଶାସନ । ଫଳରେ ଜିଲ୍ଲାରେ ଗତ ୪ ଦିନରେ କରୋନା ପଜିଟିଭ୍ ସଂଖ୍ୟା ୪ ହୋଇଛି । ରବିବାର ପ୍ରଥମ କରି ଦୁଇ ଜଣ, ମଙ୍ଗଳବାର ଓ ବୁଧବାର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗୋଟିଏ ପଟେ ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ଭାବେ ଘୋଷଣା କରି ଜୀବନଯାତ୍ରା ସ୍ୱାଭାବିକ କରାଯାଇଛି । ଆରପଟେ ନୂଆ ପଜିଟିଭ୍ ଚିହ୍ନଟ ଏବେ ପ୍ରଶାସନ ଓ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି । ଏଣୁ ସୁରଟ ଫେରନ୍ତାମାନେ ଯେଉଁ ସବୁ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି ତାହା ଉପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି ।
ଗ୍ରୀନ୍ ଜୋନ୍ରେ ଥିଲା ଗଞ୍ଜାମ ଜିଲ୍ଲା । କିନ୍ତୁ ସୁରଟ ଫେରନ୍ତା ଆସିବା ପରଠୁ ଗୋଟିଏ ପରେ ଗୋଟିଏ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଚିହ୍ନଟ ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ଓ ସେମାନେ ସରକାରୀ କ୍ୱାରେଣ୍ଟାଇନ୍ରେ ଥିବାରୁ ସେତେଟା ସମସ୍ୟା ଉପୁଜିବ ନାହିଁ ବୋଲି ଆଶା କରାଯାଉଛି । ରାଜ୍ୟ ସରକାର ଏଣିକି ସୁରଟରୁ ବସ୍ରେ ପ୍ରବାସୀଙ୍କୁ ଆସିବାକୁ ଅନୁମତି ଦିଆଯିବନି ବୋଲି କହିଥିବା ସତ୍ତେ୍ୱ କୌଣସି ସୂଚନା ନ ଦେଇ ସୁରଟରୁ ବହୁ ବସ୍ ଏବେ ବି ଗଞ୍ଜାମ ଜିଲ୍ଲାକୁ ଆସୁଛି । ଏହାକୁ ନେଇ ପ୍ରଶାସନ ଚିନ୍ତିତ ରହିଥିବା ବେଳେ ବୁଧବାର ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଗିରିସୋଲାସ୍ଥିତ ବର୍ଡର୍ ଚେକ୍ ପଏଣ୍ଟ୍ (ବିସିପି) ଅନୁଧ୍ୟାନ କରିଛନ୍ତି । ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସ୍ପି ବି୍ରଜେଶ କୁମାର ରୟ ଭଞ୍ଜନଗର ତାରସିଂ ଚେକ୍ଗେଟ୍ରେ ସ୍ଥିତି ଅନୁଧ୍ୟାନ କରିଥିଲେ । ବିନା ଅନୁମତିରେ ଯେଉଁ ସବୁ ବସ୍ ଓ ଅନ୍ୟ ଯାନବାହନ ଆସୁଛି ସେମାନଙ୍କୁ ଭିତରକୁ ନ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ସେପଟେ ଜଗନ୍ନାଥପୁର ଷ୍ଟେସନ୍ରେ ବୁଧବାର ୩ଟି ଟ୍ରେନ୍ ସୁରଟରୁ ଆସି ପହଞ୍ଚିଛି । ଏଥିରେ ମୋଟ ୩୪୪୮ ଜଣ ଯାତ୍ରୀ ଆସିଛନ୍ତି । ସେଥିରୁ ଗଞ୍ଜାମ ଜିଲ୍ଲାର ୩୩୭୦ ଜଣ ଥିବା ବେଳେ ନୟାଗଡ଼ର ୫୮, କନ୍ଧମାଳର ୮, ପୁରୀର ୪, ବଲାଙ୍ଗୀରର ୩, ଖୋର୍ଦ୍ଧାର ୨, କଟକ, ବୌଦ୍ଧ ଓ ବରଗଡ଼ରୁ ଜଣେ ଲେଖାଏଁ ରହିଥିବା ରେଳବାଇ ସୂତ୍ରରୁ ପ୍ରକାଶ ।
ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ନିଦେ୍ର୍ଧଶକ (ପରିବାର କଲ୍ୟାଣ) ଡା. ବିଜୟ କୁମାର ପାଣିଗ୍ରାହୀ, ଆର୍ଏମ୍ଆର୍ସି ବୈଜ୍ଞାନିକ (ଭୁବନେଶ୍ୱର) ଡ. ଜୟସିଂହ ଖତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଇଛି ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ । ଏମାନେ ଜିଲ୍ଲାରେ କରୋନା ରୋଗ ନିରୀକ୍ଷଣ, ସଂକ୍ରମଣ ପ୍ରତିରୋଧ ପଦକ୍ଷେପ ସମ୍ପର୍କରେ ପଦକ୍ଷେପର ତଦାରଖ କରିବେ । ଜିଲ୍ଲାରେ ନିରୀକ୍ଷଣ, କଣ୍ଟାକ୍ଟ ଟ୍ରେସିଂ, ଚିକିତ୍ସା ପ୍ରସ୍ତୁତିକୁ ସଶକ୍ତ କରିବା ନିମନ୍ତେ ଏକ ରାପିଡ୍ ରେସ୍ପନ୍ସ ଟିମ୍ (ଆର୍ଆର୍ଟି) ଗଠନ କରାଯାଇଛି । ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ଡିନ୍ ତଥା ଅଧ୍ୟକ୍ଷଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ରେ କରୋନା ଲକ୍ଷଣର ଚିକିତ୍ସା ସମ୍ପର୍କିତ ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ସାମିଲ୍ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons