ଗଞ୍ଜେଇ ପାଇଁ ପିଟିପିଟି ମାରିଥିଲେ

Get real time updates directly on you device, subscribe now.

ହାଟଡିହି, (ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା କଳିଗାଁ ଗ୍ରାମରେ ଜଣେ ମା’ ଓ ତାଙ୍କୁ ପୁଅକୁ ପିଟି ପିଟି ମାରିଦେବା ପରେ ନିଅାଁରେ ପୋଡି ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣକ ଗଞ୍ଜେଇ ପାଇଁ ପ୍ରଥମେ ପୁଅ ଓ ପରେ ମା’ଙ୍କୁ ପିଟି ପିଟି ମାରିଦେବାପରେ ପେଟ୍ରୋଲ ଢାଳି ନିଅାଁ ଲଗାଇ ଦେଇଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ଏପରିକି ନିକଟସ୍ଥ ଦୋକାନରୁ ଚୋରି କରିଥିବା ସାମଗ୍ରୀକୁ ମଧ୍ୟ ପୁଲିସ ଅଭିଯୁକ୍ତର ଘରୁ ଜବତ କରିବାରେ ସଫଳ ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, କଳିଗାଁ ଗ୍ରାମର ଜଞ୍ଜାଳୀ ଜେନା(୮୦) ଓ ତାଙ୍କର ୫୦ବର୍ଷର ପୁଅ ବନମାଳୀ ଜେନା ଦୁହେଁ ଘର ଦ୍ୱାର ନ ଥିବାରୁ ଗାଁର ପରିତ୍ୟକ୍ତ ଅଙ୍ଗନବାଡ଼ି ଘରେ ରୁହନ୍ତି । ବନମାଳୀ ଅନେକ ସମୟରେ ଗଞ୍ଜେଇ ଖାଇଥାନ୍ତି । ଗାଁର ଦେବାଶିଷ ଦାସ ଓରଫ ଘାଲୁ (୨୨) ବନମାଳୀ ସହିତ ସାଙ୍ଗ ହୋଇ ଗଞ୍ଜେଇ ଟାଣିଥାଏ । ଗତ ବୁଧବାର ସନ୍ଧ୍ୟାରେ ଘାଲୁ ତା ଘରକୁ ଯାଇ ତାକୁ ଗଞ୍ଜେଇ ମାଗିବାରୁ ବନମାଳୀ ଗଞ୍ଜେଇ ନ ଥିବା ମନା କରିବାରୁ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଏପରିକି ସେହି ପାଟିତୁଣ୍ଡ ଭିତରେ ଘାଲୁ ତାକୁ ଦେଖିନେବ ବୋଲି ଧମକ ଦେଇଥିଲା । ରାତିରେ ଏକ ବାଉଶ ଠେଙ୍ଗା ନେଇ ପ୍ରଥମେ ପୁଅ ବନମାଳୀକୁ ପିଟିବା ସହିତ ତାକୁ ମାରିଦେଇଥିଲା । ଏପରିକି ମା ଜଞ୍ଜାଳୀ ପାଟିକରିବାରୁ ତାକୁ ମଧ୍ୟ ପିଟି ହତ୍ୟା କରିଥିଲା । ହତ୍ୟା କରିବାପରେ ପାଖ ଦୋକାନକୁ ଭାଙ୍ଗି ତା ଭିତରେ ଥିବା ଏକ ପେଟ୍ରୋଲ ଜାର ଆଣି ଦୁହିଁଙ୍କ ଉପରେ ଢାଳି ନିଅାଁ ଲଗାଇ ଦେଇଥିଲା । ନିଅାଁ ଲଗାଇବାପରେ ଦୋକାନରୁ ୬୭୫୦ଟଙ୍କା ଓ କିଛି ସାବୁନ, ପେଷ୍ଟ, ତେଲ ମଧ୍ୟ ଚୋରିକରି ନେଇଥିଲା । ଯାହାକି ପୁଲିସ ତାର ଘରୁ ଜବତ୍ କରିବାବାରେ ସଫଳ ହୋଇଛି । ଗତକାଲି ପୁଲିସ ତାକୁ ସନେ୍ଦହରେ ଥାନାକୁ ଆଣି ପଚରା ଉଚୁରା କରିବାପରେ ସେ ସମସ୍ତ ତଥ୍ୟ ପୁଲିସକୁ ଦେବା ସହିତ ହତ୍ୟା ବିଷୟରେ ମାନି ଯାଇଥିଲା ବୋଲି ଡିଏସ୍ପି ସୁବୋଧ ମଲ୍ଲିକ କହିଛନ୍ତି । ଏହି ଘଟଣାରେ ପୁଲିସ ୪୬୧/ ୩୭୯/୪୦୨/୪୩୬ଆଇପିସି ରେ ମାମଲା ରୁଜୁକରି ଅଭିଯୁକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବାନେଇ ପୁଲିସ ପାଖରେ କାଣସି ସୂଚନା ନ ଥିବା କହିବା ସହ ତଦନ୍ତ ଚାଲୁ ରହିଛି ଯଦି ଆଉ କାହାରି ସଂପୃକ୍ତି ଥିବା ପ୍ରମାଣ ମିଳେ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons