ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଗଞ୍ଜେଇ ମାଫିଆଙ୍କ ବିରୋଧରେ ନବରଙ୍ଗପୁର ପୁଲିସ୍କୁ ଗ୍ରହଣ କରିଛି କଠୋର ପଦକ୍ଷେପ । ଗଞ୍ଜେଇ କାରବାରରେ ଲିପ୍ତ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇଥିବା ଗୋଟିଏ ପରିବାରର ୩ ଜଣ ମାଫିଆଙ୍କ ୪.୭୭ କୋଟି ଟଙ୍କାର ସଂପତ୍ତିକୁ ପୁଲିସ୍ ଜବତ କରିଛି । ଅଭିଯୁକ୍ତମାନେ ହେଲେ କୋଷାଗୁମୁଡା ଥାନା ପନାରାଗୁଡା ଗାଁର ୩ ଭାଇ ପ୍ରଭାକର ମାଳି, ଅନିରୁଦ୍ଧ ମାଳି ଓ ରମେଶ ମାଳି । ଜବତ ହୋଇଥିବା ମୋଟ ୪ କୋଟି ୭୭ ଲକ୍ଷ ଟଙ୍କାର ସଂପତ୍ତି ମଧ୍ୟରୁ ୪ କୋଟି ୫୯ ଲକ୍ଷ ଟଙ୍କା କେବଳ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କାରବାର ହୋଇଛି । ଗଞ୍ଜେଇ ମାଫିଆଙ୍କ ସଂପତ୍ତି ଜବତ କରାଯିବା ଜିଲ୍ଲାରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
ନବରଙ୍ଗପୁର ପୁଲିସ୍ ଆଜି ସଦଳବଳେ ଅଭିଯୁକ୍ତ ଗଞ୍ଜେଇ ମାଫିଆମାନଙ୍କ ଘର ଉପରେ ଚଢ଼ଉ କରିଥିଲା । ସେମାନଙ୍କ ନାଁରେ ଥିବା ୪ଟି କୋଠା, ୪ ଏକର ୮୨ ସେଣ୍ଟ ଜମି, ଗୋଟିଏ ବୁଲେଟ୍, ଗୋଟିଏ ସ୍କୁଟି, ଗୋଟିଏ କାର୍, ୨ଟି ଟ୍ରାକ୍ଟର ଏବଂ ୧୪ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିଥିଲା । ତଦନ୍ତ ଜାରି ରହିଥିବାରୁ ଏସବୁ ସଂପତ୍ତିର ହସ୍ତାନ୍ତରୀକରଣ ଏବଂ କିଣାବିକା ଉପରେ କଟକଣା ଲଗାଇ ନୋଟିସ୍ ମାରିଛି ପୁଲିସ୍ । ଏସ୍ପି ନୀତିନ କୁଶଲକରଙ୍କ ନିଦେ୍ର୍ଧଶରେ ଏସ୍ଡିପିଓ ଆଦିତ୍ୟ ସେନ୍, କୋଡିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର, ଏସ୍ଆଇ ଦେବଦତ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଏହି ସଂପତ୍ତି ଜବତ କରିଥିଲା ।
ଅତିରିକ୍ତ ଏସ୍ପି ଜୟକୃଷ୍ଣ ବେହେରାଙ୍କ ସୂଚନା ଅନୁଯାୟୀ, ୨୦୨୦ ମସିହା ଆଜି ଭିତରେ ଜିଲ୍ଲାରେ ମୋଟ ୨୦ଟି ମାମଲାରେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା । ଏସବୁ କାରବାରରେ ୨୯ଟି ଦୁଇ ଚକିଆ ଓ ଚାରିଚକିଆ ଗାଡ଼ି ଜବତ କରାଯିବା ସହ ୩୮ ଜଣଙ୍କୁ ଗିରଫ କରାଯାଇଥିଲା । ଗଞ୍ଜେଇ ମାଫିଆମାନଙ୍କ ଆର୍ଥିକ କାରବାରକୁ ନେଇ ଏସ୍ପି ଶ୍ରୀ କୁଶଲକର ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ତଦନ୍ତ ବେଳେ କୋଷାଗୁମୁଡା ଥାନାରେ ୨୦୧୫ ମସିହାରେ ଗୋଟିଏ ଏବଂ ପାପଡାହାଣ୍ଡି ଥାନାରେ ଚଳିତ ବର୍ଷ ଗୋଟିଏ ମାମଲାରେ ପନାରାଗୁଡା ଗାଁର ୩ ଭାଇ ପ୍ରଭାକର, ଅନିରୁଦ୍ଧ ଏବଂ ରମେଶ ସାମିଲ ଥିଲେ ।
ଓଡିଶାରୁ ଆରମ୍ଭ କରି ଛତିଶଗଡ, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଏହି ୩ ଭାଇଙ୍କ ଗଞ୍ଜେଇ କାରାବାରର ନେଟୱର୍କ ରହିଛି । ପ୍ରଭାକର ପାପଡାହାଣ୍ଡି ଥାନାରେ ରୁଜୁ ହୋଇଥିବା ଗଞ୍ଜେଇ ମାମଲାରେ ଗିରଫ ହୋଇ ଜେଲ୍ରେ ରହିଛି । ଅନ୍ୟ ଦୁଇ ଭାଇ ଅନିରୁଦ୍ଧ ଓ ରମେଶ ଫେରାର୍ ଅଛନ୍ତି । ସେମାନଙ୍କ ନାଁରେ ପୂର୍ବରୁ ଜାମିନବିହୀନ ଗିରଫ ପରୱାନା( ଏନ୍ବିଡବ୍ଲୁ୍ୟ) ଜାରି କରାଯାଇଛି । ଗଞ୍ଜେଇକୁ ନେଇ ୩ ଭାଇଙ୍କ ଅବୈଧ ଆର୍ଥିକ କାରବାର ରହିଥିବା ଜଣାପଡ଼ିବା ପରେ ନବରଙ୍ଗପୁର ପୁଲିସ୍ କୋଲକାତାର ନାର୍କୋଟିକ୍ସ କର୍ତ୍ତୃପକ୍ଷଙ୍କୁ ତଦନ୍ତ ରିପୋର୍ଟ ପଠାଇଥିଲା । ସେମାନଙ୍କ ଅବୈଧ ସଂପତ୍ତି ଜବତ କରି ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଥିଲେ ନାର୍କୋଟିକ୍ସ କର୍ତ୍ତୃପକ୍ଷ । ତଦନୁଯାୟୀ ଆଜି ପୁଲିସ୍ ୩ ଗଞ୍ଜେଇ ମାଫିଆଙ୍କ ସଂପତ୍ତି ଜବତ କରିଥିବା ଏଏସ୍ପି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.