ନବରଙ୍ଗପୁର,(ବି.ବି.ନୁ୍ୟଜ୍): କୋଷାଗୁମୁଡା ଗୁମଣ୍ଡଳି ମାମଲାର ପର୍ଦ୍ଧାଫାସ କରିଛନ୍ତି ଏସ୍ପି ନୀତିନ କୁଶଲକର । ଦୀର୍ଘ ୨୦ ଦିନ ପରେ ସେ ସ୍ପଷ୍ଟ କରିଛନ୍ତି ଯେ, ନାବାଳିକାକୁ ବଳାକ୍ରାର କରାଯାଇନଥିଲା । ଏକତରଫା ପ୍ରେମ କରି ବିଫଳ ହେବା ପରେ ନାବାଳିକାକୁ ହତ୍ୟା କରିଥିଲା ପ୍ରେମିକ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କୋଟପାଡ ଥାନା ପଖନାଗୁଡା ଗାଁର ଖାଡି ଭତ୍ରା (୨୦) ଓ ତା ସହଯୋଗୀ ବଳି ଭତ୍ରା (୧୮) । ଉଭୟଙ୍କ ନାଁରେ କୋଷାଗୁମୁଡା ଥାନାରେ ଦଫା ୩୦୨ ଏବଂ ୩୪ରେ ମାମଲା ରୁଜୁ କରାଯାଇଛି । ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ଏସ୍ପି କହିଛନ୍ତି ଯେ, ଏହି ମାମଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତଦନ୍ତ ପାଇଁ ଗଢା ଯାଇଥିଲା ସ୍ୱତନ୍ତ୍ର ଟିମ୍ । ପ୍ରତିଦିନ ପ୍ରାୟ ୧୫ ଘଣ୍ଟା ତଦନ୍ତରେ ଲାଗିଥିଲା ପୁଲିସ୍ । ଏକତରଫା ପ୍ରେମକୁ ନେଇ ଏହି ଘଟଣା ଘଟିଥିଲା । ହତ୍ୟାକାଣ୍ଡର ୨୫ ଦିନ ଆଗରୁ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲା ଖାଡ଼ି । ଏହାକୁ ତିରଷ୍କାର କରିଥିଲେ ନାବାଳିକା । ବଣିଆ ପୋଲ ନିକଟରେ ସମସ୍ତଙ୍କ ଆଗରେ ଖାଡିକୁ ଚାପୁଡା ମାରିବା ସହ ଗାଳିଗୁଲଜ କରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଖାଡ଼ି । ହତ୍ୟାକାଣ୍ଡର ୫ଦିନ ଆଗରୁ ଗୁମଣ୍ଡଳିରେ ରହୁଥିବା ସଂପର୍କୀୟ ବଳି ଭତ୍ରାର ଘରେ ରହିଥିଲା । ଘଟଣା ଦିନ ସନ୍ଧ୍ୟାରେ ଗାଁର ଅନ୍ୟଜଣେ ଝିଅ ସହାୟତାରେ ନାବାଳିକାଙ୍କୁ ଘରୁ ଡକାଯାଇଥିଲା । ସେ କିଛିଦୂର ଯିବା ପରେ ଓଢଣିରେ ପାଟି ବନ୍ଦ କରିଦିଆଯାଇଥିଲା । ପରେ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ବଳାକ୍ରାର ହୋଇନଥିବା ସ୍ପଷ୍ଟ ହୋଇଛି । ତଥାପି ତଦନ୍ତ ଅଟକି ନାହିଁ । ପୁଲିସ୍ ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଏସ୍ପି । ସାମ୍ବାଦିକ ସମ୍ମିଳୀନରେ ଏଏସ୍ପି ସି.ଏଚ୍ ହୃଦାନନ୍ଦ, ଏସ୍ଡିପିଓ ବିଜୟ କୁମାର ନାୟକ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, କୋଷାଗୁମୁଡା ଥାନା ଅଧିକାରୀ ନଟବର ନନ୍ଦ, ରାଧାକାନ୍ତ ବାରିକ, ରାକେଶ ବେହେରା, ଅଶୋକ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଗତ ଡିସେମ୍ବର ୧୩ ତାରିଖ ସନ୍ଧ୍ୟାରେ ନାବାଳିକା ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କୁ ଘରଠାରୁ ୩ଶହ ମିଟର ଦୂରରେ ହତ୍ୟା କରିଥିଲେ । ଏହାକୁ ନେଇ ସୃଷ୍ଟି ହୋଇଥିଲା ରାଜନୈତିକ ଝଡ । କଂଗ୍ରେସ ପକ୍ଷରୁ ମୃତ ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା ।


Comments are closed, but trackbacks and pingbacks are open.