ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ ରେଞ୍ଜରେ ଶନିବାର ସକାଳୁ ଏସ୍ଓଜି ଯୱାନ ଏବଂ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୯୦ ରାଉଣ୍ଡ ଗୁଳି ବିନିମୟ ହେବା ପରେ ଜିଲ୍ଲାକୁ ନrଲମାନେ ଛତିଶଗଡ଼ ପଟୁ ଆସିଥିବା ସ୍ପଷ୍ଟ ହୋଇଛି । ଦୀର୍ଘ ଏକାଧିକ ଘଣ୍ଟା ଧରି ହୋଇଥିବା ଗୁଳି ବିନିମୟରେ କେହି ମୃତାହତ ହୋଇ ନଥିଲେ ବି ବର୍ଷା ଦିନିଆ କାଦୁଅ ପଚ୍ପଚ୍ ଘନ ଜଙ୍ଗଲ ସୁଯୋଗରେ ମାଓବାଦୀମାନେ ସେଠାରୁ ଖସି ପଳାଇ ଯିବାରେ ସକ୍ଷମ ହୋଇଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି । ତେବେ ଏମାନଙ୍କ ସନ୍ଧାନ ପାଇଁ ସିଆର୍ପିଏଫ୍ର ନେତୃତ୍ୱରେ ପୁଲିସ୍ ଓ ଏସ୍ଓଜି ଯୱାନ ସକାଳୁ ଆରମ୍ଭ କରି ରାତିସାରା ଖୋଜାଖୋଜି କରିବା ପରେ କାହାରି ସୁରାକ ପାଇ ନଥିଲେ ବି ସେଠାରେ ବହୁଦିନରୁ କାମ କରୁଥିବା ୪ଟି ମାଓ କ୍ୟାମ୍ପ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଯାଞ୍ଚରୁ ଉପରୋକ୍ତ କ୍ୟାମ୍ପମାନଙ୍କରୁ ହିନ୍ଦୀ ଓ ଓଡ଼ିଆ ଭାଷାରେ ହାତ ଲେଖା ମାଓ ପ୍ରଚାରପତ୍ର ସହ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଜଙ୍ଗଲ ରାସ୍ତାରୁ ଜୀବନ୍ତ ଗୁଳି ସହ ଖୋକା ଉଦ୍ଧାର କରାଯାଇଥିବା ଏସ୍ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି ।
ବରଗଡ଼ ଏସ୍ପି ଅଫିସ୍ ସଭାକକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀମତୀ ସାହୁ ଶନିବାର ସକାଳ ୭.୩୦ରୁ ଆରମ୍ଭ କରି ରବିବାର ସକାଳ ଯାଏଁ ଯୱାନମାନେ ଉଠାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ରଖିଥିଲେ । ଶନିବାର ସକାଳେ ଏସ୍ଓଜି ଯୱାନ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ଗନ୍ଧମାର୍ଦ୍ଧନ ରିଜର୍ଭ ଫରେଷ୍ଟରେ ଏକ ୧୦/୧୫ ଜଣିଆ ମାଓଟିମ୍ର ଗିତିବିଧି ଦେଖିବାକୁ ପାଇଥିଲେ । ମାଓବାଦୀ ଟିମ୍ ବିଳମ୍ବ ନକରି ଏସ୍ଓଜିଙ୍କ ଉପରକୁ ଆଖିବୁଜା ଫାୟାରିଂ କରିଥିଲେ । ଏସ୍ଓଜି ଟିମ୍ ତାଙ୍କ ପରିଚୟ ଦେଇ ଗୁଳିଚାଳନା ବନ୍ଦ କରି ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ ହେଁ ଲାଲସଲାମ ନାରା ଦେଇ ମାଓବାଦୀମାନେ ଫାୟାରିଂକୁ ବୃଦ୍ଧି କରିଥିଲେ । ଫଳରେ ଏସ୍ଓଜି ଟିମ୍ ମଧ୍ୟ ପାଲଟା ଗୁଳିଚାଳନା ଆରମ୍ଭ କରିଥିଲେ । ଉଭୟ ପଟୁ ପ୍ରାୟ ୩୦ ମିନିଟ୍ ଧରି ଗୁଳି ବିନିମୟ ହେବା ପରେ ମାଓଗୋÂୀ ଛତ୍ରଭଙ୍ଗ ଦେଇଥିଲେ । ଏସ୍ଓଜି ସେମାନଙ୍କ ପିଛା କରିଥିଲେ ବି ଘଞ୍ଚଜଙ୍ଗଲ ସହ ଅନବରତ ପଡ଼ୁଥିବା ବର୍ଷାର ସୁଯୋଗରେ ପଳାଇ ଯିବାରେ ସକ୍ଷମ ହୋଇଥିଲେ । ତେବେ ସର୍ଚ୍ଚ ଅପରେସନରୁ ଜଙ୍ଗଲ ସାରା ପଡ଼ିଥିବା ଜୀବନ୍ତ ଗୁଳି ସହ କିଛି ଖାଲିଖୋକା ଉଦ୍ଧାର କରିବା ସହ ଜଙ୍ଗଲ ଭିତରେ ଥିବା ଚାରୋଟି ମାଓକ୍ୟାମ୍ପ ଠାବ କରିଥିଲେ ଏବଂ ସେଥିରୁ ବିପୁଳ ମାତ୍ରାରେ ସେମାନଙ୍କ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିବା ଏସ୍ପି ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି । ତେବେ ଆଗକୁ ସ୍ୱାଧୀନତା ଦିବସ ପାଳିତ ହେବାକୁ ଥିବାରୁ ବରଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ବରଗଡ଼/ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟ କରୁଥିବା ୧୮୯ ବାଟାଲିୟନ ସିଆର୍ପିଏଫ୍ ଓ ଏସ୍ଓଜି ଯୱାନ ଗନ୍ଧମାର୍ଦ୍ଧନ ରିଜର୍ଭ ଫରେଷ୍ଟରେ ମିଳିତ କୁମ୍ବିଂ ଜାରି ରଖିଥିବା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।
ଅନୁସନ୍ଧାନରୁ ମାଓବାଦୀମାନେ ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ(ବିବିଏମ୍) ଡିଭିଜନର ହୋଇଥିବା ବେଳେ ଏମାନେ ବେଶ୍ କିଛିମାସ ହେଲା ଏଠି ରହୁଥିବା ଅନୁମାନ କରାଯାଉଛି । ଗତକାଲି ଫେରାର ମାରିଥିବା ଟିମ୍ରେ ପ୍ରାୟ ୧୦ରୁ ୧୫ ମାଓବାଦୀ ଥିବା ବେଳେ ସର୍ଚ୍ଚରୁ ଏକେ-୪୭, ଇନ୍ସାସ, ଏସଏଲଆର, ୩୦୩ ବନ୍ଧୁକର ଗୁଳି ମିଳିଥିବାରୁ ଏମାନଙ୍କ ସହ ନିଶ୍ଚିତ ଭାବେ କିଛି ବଡ଼ କ୍ୟାଡରର ମାଓ ଲିଡ଼ର ଥିବା ସମ୍ଭାବନା ରହିଛି ବୋଲି ସୂଚନା ଦେଇ ଏସ୍ପି ଶ୍ରୀମତୀ ସାହୁ ଏସ୍ଓଜି ପକ୍ଷରୁ ୭୨ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ସୂଚନା ଦେଇଛନ୍ତି । ସମ୍ମିଳନୀରେ ୧୮୯ ବାଟାଲିୟନର କମାଣ୍ଡାଣ୍ଟ ଯୋଗେନ୍ଦ୍ର କୁମାର ସିଂ ଓ ଡେପୁ୍ୟଟି କମାଣ୍ଡାଣ୍ଟ ସୁରେଶ ଉପସ୍ଥିତ ଥିଲେ ଏବଂ ପରିଚାଳନାରେ ବରଗଡ଼ ଥାନାଧିକାରୀ ସଦାନନ୍ଦ ପୂଜାରୀ ସହଯୋଗ କରିଥିଲେ ।
ସେହିଭଳି ଏସ୍ଓଜି ଓ ସିଆର୍ପିଏଫ୍ ଠାବ କରିଥିବା ଚାରୋଟି ମାଓକ୍ୟାମ୍ପରୁ ଗୋଟିଏ ଜୀବନ୍ତ ଗୁଳି ସହ ଏକେ-୪୭ ଓ ବିଭିନ୍ନ କିସମର ୧୨ ଟି ଖାଲି ଖୋକା ଜବତ କରିଥିବା ବେଳେ ସେମାନେ ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି । ସେହିପରି ହିନ୍ଦୀ ଓ ଓଡ଼ିଆ ହାତ ଲେଖା ମାଓ ପ୍ରଚାର ପତ୍ର, ଷ୍ଟାର ଥିବା ଟୋପି, ଟାରପୋଲିନ, ପିଠି ଓହଳା ବ୍ୟାଗ, ମଶାରୀ, ୱାଟର ଫିଲ୍ଟର, ପ୍ଲାଷ୍ଟିକ ଜାରକିନ, ରଶି ସହ ବାଲ୍ଟି/ଜଗ ଭଳି ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି । ସେହିଭଳି ଔଷଧ ଓ ଶୁଖିଲା/ରନ୍ଧା ଖାଦ୍ୟଦ୍ରବ୍ୟ ସହ ଛତା ଓ ଜୋତା ଆଦି ଜବତ କରିବାରେ ସକ୍ଷମ ହୋଇଛି । ଏନେଇ ପାଇକମାଲ ଥାନାରେ ଏକ ମାମଲା ରୁଜୁ କରି ସର୍ଚ୍ଚ ଅପରେସନ ଜାରି ରଖାଯାଇଥିବା ବେଳେ ଜବତ ହାତଲେଖା ଚିଠିର ତର୍ଜମା କରାଯାଉଛି । ସରକାର ବିଭିନ୍ନ ପ୍ରକାର ଥଇଥାନ ଯୋଜନା ଲାଗୁ କରିଥିବାରୁ ଏହାର ସୁଯୋଗ ଉଠାଇ ଆତ୍ମସମର୍ପଣ କରିବାକୁ ଏସ୍ପି ଶ୍ରୀମତୀ ସାହୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ।
Comments are closed, but trackbacks and pingbacks are open.