କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ଆଫ୍ରିକା ମହାଦେଶର ବୁରୁଣ୍ଡି ଦେଶ ସହ ଯୋଡ଼ିହେବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଧୀନସ୍ଥ ଭଗବାନପୁର ଗାଁ । ବୁରୁଣ୍ଡିର ଏକ ଗ୍ରାମ ସହ ଭଗବାନପୁରର କୃଷି, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଓ ସାଂସ୍କୃତିକ ସମ୍ପର୍କ ଯୋଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଭାରତରେ ଅବସ୍ଥାପିତ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲା ବୁଦୁରଗାନ୍ୟା । ଫଳରେ ଭଗବାନପୁରରେ ବୁରୁଣ୍ଡିର କଳା, ସଂସ୍କୃତି, ସଭ୍ୟତାର ସମନ୍ୱୟ ଘଟିବ ।
ଭଗବାନପୁର ଗ୍ରାମ ପରିଦର୍ଶନରେ ଆସିଥିବା ବେଳେ ଭାରତୀୟ ଗ୍ରାମ୍ୟ ସଭ୍ୟତା ଦେଖି ଖୁସି ହୋଇଥିଲେ ଷ୍ଟେଲା । ଓଡ଼ିଶାରେ ଏତେ ଗାଁ ଥାଉ ଥାଉ କେନ୍ଦ୍ରାପଡ଼ାର ଭଗବାନପୁର ଗାଁକୁ ଆସିବାକୁ ଷ୍ଟେଲା କାହିଁକି ମନ ବଳାଇଲେ ତାହା ପଛରେ ବି ଏକ ରୋଚକ କାହାଣୀ ରହିଛି । ଦୁଇ ଦିନ ତଳେ ଷ୍ଟେଲା ଓଡ଼ିଶା ଗସ୍ତରେ ଆସିଥିଲେ । ତାଙ୍କ ସହ ତାଙ୍କ ପରାମର୍ଶଦାତା ଜନ୍ସନ୍ ବି ଥିଲେ । ଭୁବନେଶ୍ୱରରେ ବୁଲୁଥିବାବେଳେ ହଠାତ୍ ଭଗବାନପୁର ଗ୍ରାମର ଶିକ୍ଷାବିତ୍ ସମୀର ସାମଲଙ୍କ ସହ ତାଙ୍କର ଭେଟ ହୋଇଥିଲା । କିଛି ସମୟର ମିଳିମିଶା ପରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥିଲା । କଥା ହୋଇଥିଲେ ସେ ଓଡ଼ିଶାର ଚଳଣି, ରହଣି ବାବଦରେ । ଷ୍ଟେଲା ଓଡ଼ିଶାର ଏକ ଗ୍ରାମ୍ୟ ସଭ୍ୟତା ବିଷୟରେ ଜାଣିବାକୁ ଇଚ୍ଛା କରିଥିଲେ । ଏହି ସୁଯୋଗ ହାତଛଡ଼ା କରିନଥିଲେ ଶିକ୍ଷାବିତ୍ ଶ୍ରୀ ସାମଲ । ନିଜ ଗାଁ ଭଗବନପୁରକୁ ଆମନ୍ତ୍ରଣ କରିଥିଲେ ଷ୍ଟେଲାଙ୍କୁ ।
ଲଗାଣ ବର୍ଷା ସତ୍ତେ୍ୱ ନିଜ ସହଯୋଗୀଙ୍କ ସହ ସମୀରଙ୍କୁ ନେଇ ଭଗବାନପୁର ଗ୍ରାମରେ ପହଞ୍ôଚଥିଲେ ଷ୍ଟେଲା । ବର୍ଷା ଯୋଗୁଁ ବେଶି ସ୍ଥାନ ବୁଲିପାରିନଥିଲେ ବି ଗାଁରେ ପାଦ ପକାଇବା ପରେ ରାଧାରମଣ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍କୁଲ କମିଟିର ସଦସ୍ୟମାନେ ବି ଏଥିରେ ସାମିଲ ହୋଇଥିଲେ । ଷ୍ଟେଲା ଗାଁର ଶିକ୍ଷା, ସଂସ୍କୃତି, କୁଟୀର ଶିଳ୍ପ, ମତ୍ସ୍ୟଚାଷ, ଦୁଗ୍ଧ ଚାଷ, କୃଷି ଆଦି ବିଷୟରେ ଜାଣିବାକୁ ଗାଁ ଠାକୁରାଣୀଙ୍କ ପୀଠରେ ପହଞ୍ôଚ ଗାଁ ଲୋକଙ୍କୁ ଭେଟିଥିଲେ ।
ଗ୍ରାମବାସୀ ବି ତାଙ୍କୁ ଗାଁର ବିଭିନ୍ନ ସ୍ଥାନ ବୁଲାଇ ଦେଖାଇଥିଲେ । ଗାଁର ବିକାଶ ଦେଖି ଖୁସି ହୋଇପଡ଼ିଥିଲେ ଷ୍ଟେଲା । ଏପଟେ ବୁରୁଣ୍ଡି ରାଷ୍ଟ୍ରଦୂତଙ୍କୁ ପାଇ ଗ୍ରାମବାସୀଙ୍କ ଖୁସି ବି କହିଲେ ନସରେ । ଆଫ୍ରକୀୟ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କର ଭଗବାନପୁର ଭଳି ନିପଟ ମଫସଲ ଗାଁରେ ପାଦ ପଡ଼ିବା କିଛି କମ୍ ବଡ଼ କଥା ନଥିଲା । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର କିଛି ସୋପାନ ଯୋଡ଼ି ଗାଁର ଅଧିକ ବିକାଶ କରିବାକୁ ଷ୍ଟେଲା ଆଗ୍ରହ ପ୍ରକାଶ କରିଛନ୍ତି । ବିକାଶର ନକ୍ସା ବି ପ୍ରସ୍ତୁତ କରିଛନ୍ତି । ସ୍କୁଲର ଛାତ୍ରାଛାତ୍ରୀଙ୍କୁ ପ୍ରଯୁକ୍ତି ବିଦ୍ୟାରେ ଅଧିକ ଧୂରୀଣ କରିବାକୁ କଥା ଦେଇଛନ୍ତି ।
ଏତଦ୍ଭିନ୍ନ ବୁରୁଣ୍ଡିର ଏକ ବିକଶିତ ଗାଁର ଶିକ୍ଷା, ସଂସ୍କୃତି, କଳା, କୃଷି, ପଶୁପାଳନ ସହିତ ଭଗବାନପୁର ଗାଁକୁ ଯୋଡ଼ିବାକୁ ଇଚ୍ଛା ରଖିଛନ୍ତି ଷ୍ଟେଲା । ଭଗବାନପୁର ଉଚ୍ଚ ବିଦ୍ୟାଳୟରେ ପହଞ୍ôଚ ବିଦ୍ୟାଳୟର ପିଲାମାନଙ୍କ ସହିତ ଭାବର ଆଦାନପ୍ରଦାନ କରିବା ସହିତ ପାଠପଢ଼ା ବିଷୟରେ ସେ ପଚାରି ବୁଝିଥିଲେ । ଗ୍ରାମରେ ଥିବା ଚାଟଶାଳି, ମନ୍ଦିର, ଓମ୍ଫେଡ୍ କେନ୍ଦ୍ର, ମତ୍ସ୍ୟ ଓ କୃଷି କ୍ଷେତ୍ର ବୁଲି ଦେଖିଥିଲେ ।
ଏହି ସମୟରେ ଗ୍ରାମର ବିଭିନ୍ନ ଲୋକଙ୍କ ସହିତ ମିଶିବା ସହ ମହିଳାମାନଙ୍କୁ ଭେଟି ଉପହାରମାନ ଦେଇଥିଲେ । ପରିଦର୍ଶନ ସମୟରେ ରଷ୍ଟ୍ରଦୂତଙ୍କ ସମ୍ପାଦକ ଗୟେସ ଜଙ୍କସନ, ରାଷ୍ଟ୍ରଦୂତଙ୍କ ଉପଦେଷ୍ଟା ଏସ୍.କେ ତିଆରି, ଏସ୍.କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଭଗବାନପୁର ଗ୍ରାମର କେହି ଉଦ୍ୟୋଗୀ ବୁରୁଣ୍ଡି ଯାଇ ସେଠାକାର ବିକାଶ ସମ୍ପର୍କରେ ଜାଣିବାକୁ ଚାହିଁଲେ ବୁରୁଣ୍ଡି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଗ୍ରାମବାସୀଙ୍କୁ କଥା ଦେଇଛନ୍ତି ଷ୍ଟେଲା ।
Comments are closed, but trackbacks and pingbacks are open.