ଗରମ ପେଜ ପଡି ଆହତ ଯୁବକ ମୃତ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ମହୁଗାଁରେ ଗରମ ପେଜ ପଡି ଆହତ ହୋଇଥିବା ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତ ଯୁବକ ହେଲେ ମହେଶ୍ୱର କମାର(୩୦) । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ମୃତୁ୍ୟ ହୋଇଥିଲା । ମହେଶ୍ୱରଙ୍କ ସ୍ତ୍ରୀ ଚମ୍ପା କମାରଙ୍କ ଅଭିଯୋଗ ପାଇବା ପରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନାଥାଉକି, ଗତ ୧୦ ତାରିଖ ବୁଧବାର ମହୁଗାଁରେ ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜି ଚାଲିଥିଲା । ଭୋଜି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରୋଷେଇଶାଳରେ ମହେଶ୍ୱର ରୋଷେୟାଙ୍କୁ ସହଯୋଗ କରୁଥିଲେ । ଭାତ ଗାଳୁଥିବା ବେଳେ ଅସାବଧାନତାରୁ ତାଙ୍କ ହାତ ଖସିଯାଇଥିଲା । ଫଳରେ ଗରମ ପେଜ ତାଙ୍କ ଅଣ୍ଟା ଉପରେ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ ଚମ୍ପା ଦଶମନ୍ତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ମେଡିକାଲ୍ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏ ସମ୍ପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଥାନା ତଦନ୍ତକାରୀ ଅଧିକାରୀ ତଥା ଏସ୍ଆଇ ବାବୁଲା ପ୍ରଧାନ କହିଛନ୍ତି । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପକ୍ଷରେ ରୋଜଗାରିଆ ସ୍ୱାମୀଙ୍କୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ମହେଶ୍ୱରଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପିଲାଙ୍କ ଭବିଷ୍ୟତ କିପରି ଗଢିବେ, ତାକୁ ନେଇ ଚମ୍ପା ଚିନ୍ତାରେ ପଡିଯାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁର କଣ୍ଠ କୁମାର, ଅଭି କମାର ଓ କେଶବ କମାର ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons