ଜୟପୁର: ଗୁରୁତର ଅସସ୍ଥ ଜଣେ ଗର୍ଭବତୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ପୁଲିସ କର୍ମଚାରୀ । ସେ ହେଉଛନ୍ତି ସ୍ଥାନୀୟ ଏସ୍ଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ହୋମଗାଡର଼୍ ସୁଧୀର ମୁଦୁଲି(୩୩) । ନିଜ ଘର ବାରିଣିପୁଟରେ । ସୁଧୀରଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଜିଲ୍ଲା ହସ୍ପିଟାଲ୍ରେ କଙ୍ଗା ପଞ୍ଚାୟତର ଚନ୍ଦ୍ରମା ହରିଜନ ନାମ୍ନୀ ଗର୍ଭବତୀ ଭର୍ତ୍ତି ହୋଇଛନ୍ତି । ଶରୀରରେ ହିମୋଗ୍ଲୋବିନ୍ ପରିମାଣ କମ୍ ଥିବାରୁ ରକ୍ତ ଦେବାକୁ ପଡ଼ିବ ବୋଲି ଡାକ୍ତର କହିଥିଲେ । ତୁରନ୍ତ ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ବ୍ଲଡ୍ ବ୍ୟାଙ୍କରେ ‘ଏ ପଜିଟିଭ୍’ ରକ୍ତ ଅଭାବ ଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟରେ ଅନୁରୋଧ କରାଯିବା ପରେ ମନୋହର ତ୍ରିପାଠୀ ନାମକ ସ୍ୱେଚ୍ଛାସେବୀଙ୍କୁ ସୁଧୀର ଯୋଗାଯୋଗ କରିଥିଲେ । ‘ଏ ପଜିଟିଭ୍’ ରକ୍ତ ଦେବାକୁ ସେ ପ୍ରସ୍ତୁତ ଥିବା ଉକ୍ତ ହ୍ୱାଟ୍ସ ଆପ୍ ଗ୍ରୁପ୍ରେ ଲେଖିଥିଲେ । ରକ୍ତଦାତା ପ୍ରବର୍ତ୍ତନ କାର୍ତ୍ତିକ ରାଉତ ତୁରନ୍ତ ଯୋଗାଯୋଗ କରି ସୁଧୀରଙ୍କୁ ସ୍ଥାନୀୟ ବ୍ଲଡ୍ ବ୍ୟାଙ୍କ ଆସିବାକୁ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଏକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସୁଧୀରଙ୍କ ମହାନତାଙ୍କୁ ପୀଡ଼ିତା ଚନ୍ଦ୍ରମାଙ୍କ ପରିବାର ଏବଂ ସହ କର୍ମଚାରୀ ପ୍ରଶଂସା କରିଛନ୍ତି । ରକ୍ତଦାନ କରି ଜଣେ ଗର୍ଭବତୀଙ୍କ ଜୀବନ ବଞ୍ଚାଇବା ଦ୍ୱାରା ଖୁସି ଲାଗୁଥିବା ସୁଧୀର କହିଛନ୍ତି । ପୂର୍ବରୁ ସେ ୭ ଥର ସ୍ୱେଚ୍ଛାକୃତ ରକ୍ତ ଦେଇଛନ୍ତି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.