ଗାଁରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ଗୁଜରାଟର ସୁରଟ ଅନ୍ତର୍ଗତ ପାଣ୍ଡେସାରା ବିସ୍ତାରା ଓ ସାଏନ୍ ଅଞ୍ଚଳରୁ ସୋମବାର ବାହାରିଥିବା ୫ଟି ବସ୍ରେ ପ୍ରାୟ ୨୫୦ ପ୍ରବାସୀ ଓଡ଼ିଆ ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ସେଥିରୁ ୪ଟି ବସ୍ର ଶ୍ରମିକ ବୁଧବାର ମଧ୍ୟରାତ୍ରରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି । ଆଉ ଏକ ବସ୍ ଖୋର୍ଦ୍ଧା ଅଭିମୁଖେ ଅନ୍ୟ ରୁଟ୍ରେ ଯାତ୍ରା କରୁଥିବା ଜଣାପଡ଼ିଛି । ଗଞ୍ଜାମ ଆସୁଥିବା ବସ୍ଗୁଡ଼ିକ ଛତିଶଗଡ଼ ରାଜ୍ୟ ରାୟପୁରରେ ମଧ୍ୟାହ୍ଣ ୧୨ଟା ସୁଦ୍ଧା ପହଞ୍ଚିଥିବା ବେଳେ ସନ୍ଧ୍ୟା ବେଳକୁ ବୌଦ୍ଧ, ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଫୁଲବାଣୀ ସହର ଅତିକ୍ରମ କରିଥିଲା । ବସ୍ ଆଗ ଓ ପଛରେ ପୁଲିସ ଏସ୍କର୍ଟ ଭ୍ୟାନ୍ ରହିଛି । ଯାତ୍ରୀ ଯେପରି ମଝିରେ କେଉଁଠି ନ ଓହ୍ଲାନ୍ତି ତାହା ଉପରେ ନଜର ରଖାଯାଇଛି । ବୁଧବାର ମଧ୍ୟରାତ୍ରରେ ସେଗୁଡ଼ିକ କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଭଞ୍ଜନଗରଠାରେ ପହଞ୍ଚିବା ଆଶା କରାଯାଉଛି । ଭଞ୍ଜନଗର ଠାରେ ଡାକ୍ତରୀ ପରୀକ୍ଷା କରାଯିବ ଓ ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ସେମାନେ ଯାତ୍ରା କରିବେ । ଏହି ସବୁ ବସ୍ରେ ଧରାକୋଟ, ଆସିକା, ଶେରଗଡ଼, ହିଞ୍ଜିଳିକାଟୁ, ଦିଗପହଣ୍ଡି ଆଦି ବ୍ଲକ୍ର ଯାତ୍ରୀ ରହିଛନ୍ତି । ବାହାରୁ ଫେରନ୍ତାମାନଙ୍କୁ ନିଜ ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ୍ ହୋମ୍ରେ ୧୪ ଦିନ ପାଇଁ ସଙ୍ଗରୋଧରେ ରଖାଯିବ । ଜିଲ୍ଲାପାଳ ବୁଧବାର ବିଭିନ୍ନ ବ୍ଲକ୍ ବୁଲି ପ୍ରସ୍ତୁତି ତଦାରଖ କରିଛନ୍ତି । ପଞ୍ଚାୟତରେ ପହଞ୍ଚିବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସ୍କ୍ରିନିଂ କରାଯିବ । ଯଦି କାହାର କରୋନା ଲକ୍ଷଣ ଥିବ ସେମାନଙ୍କ ସ୍ୱାବ୍ ଟେଷ୍ଟ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯିବ ।
ଅପରପକ୍ଷରେ ମଙ୍ଗଳବାର ୪ଟି ଓ ବୁଧବାର ଆଉ ୨ଟି ବସ୍ ସୁରଟରୁ ଗଞ୍ଜାମ ଓ ଭଦ୍ରକ ଅଭିମୁଖେ ଯାତ୍ରାରମ୍ଭ କରିଛି । ମଙ୍ଗଳବାର ହରିନଗରରୁ ୩ଟି ଏବଂ ଉଧନାରୁ ଗୋଟିଏ ବସ୍ ଗଞ୍ଜାମକୁ ବାହାରିଥିବା ବେଳେ ସେଥିରେ ପ୍ରାୟ ୧୫୦ ଯାତ୍ରୀ ଅଛନ୍ତି । ଜଗନ୍ନାଥପ୍ରସାଦକୁ ୨ଟି, ଶେରଗଡ଼ ଓ ଭଞ୍ଜନଗରକୁ ଗୋଟିଏ ଲେଖାଏଁ ବସ୍ ବାହାରିଛି । ପଟେଲ୍ ନାମକ ବସ୍ରେ ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇର ୪୫ ଲୋକଙ୍କ ସମେତ ଅନ୍ୟ ଅଞ୍ଚଳର ଆଉ କିଛି ଜଣ ଥିବା ଏହାର ଟିମ୍ ଲିଡର୍ ଭଗବାନ ବେହେରା କହିଛନ୍ତି । ଗୁଜରାଟ-ମହାରାଷ୍ଟ୍ର ସୀମାରେ ଘଣ୍ଟାଏ କାଳ ବସ୍ ସବୁକୁ ଅଟକାଇ ଦେଇଥିଲା ପୁଲିସ । ଅନୁମତିପତ୍ର ଦେଖାଇବା ସହ ବହୁ ପ୍ରକ୍ରିୟା ପରେ ସେହି ରାଜ୍ୟରେ ପ୍ରବେଶ ଅନୁମତି ମିଳିଥିଲା ବୋଲି କହିଛନ୍ତି ଆଉ ଏକ ବସ୍ର ଟିମ୍ ଲିଡର୍ କୃଷ୍ଣଚନ୍ଦ୍ର ପ୍ରଧାନ ।
ସେହିପରି ବୁଧବାର ବାହାରିଥିବା ଗୋଟିଏ ବସ୍ ଗଞ୍ଜାମ ଓ ଆରଟି ଭଦ୍ରକ ଯିବ ବୋଲି ଜଣାଯାଇଛି । ୨ଟି ବସ୍ରେ ପ୍ରାୟ ୮୦ ଯାତ୍ରୀ ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି ସୁରଟ ନିକଟ ତ୍ରିପତ୍ରାରୁ ବାହାରିଥିବା ଏକ ବସ୍ର ଯାତ୍ରୀ ସୁବାସ ପ୍ରଧାନ ଓ ବୁଦ୍ଧିରାମ କହିଛନ୍ତି । ୩ ଦିନରେ ୧୧ଟି ବସ୍ରେ ସୁରତରୁ ଓଡ଼ିଶାର ୩ଟି ଜିଲ୍ଲାକୁ ପ୍ରାୟ ୪ ଶହରୁ ଊଦ୍ଧ୍ୱର୍ ଯାତ୍ରୀ ଆସୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons