ଗାଁ ଦାଣ୍ଡରେ ୯ ଘଣ୍ଟା ପଡ଼ିରହିଲା ମୃତଦେହ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ଶେଷକୃତ୍ୟ ପାଇଁ ନିଆଯାଉଥିବା ମୃତଦେହକୁ ବି ବାଟ ଛାଡ଼ିଲେନି । କୋକେଇରେ ବାନ୍ଧି ମରଶରୀରକୁ ମଶାଣି ନିଆଯିବା ବେଳେ ଅଟକାଇ ଦେଲେ । ଫଳରେ ୯ ଘଣ୍ଟା ଧରି ଗାଁ ଦାଣ୍ଡରେ ପଡ଼ିରହିଲା ମୃତଦେହ । ପୁରୁଣା ଜାଗାବାଡ଼ି ବିବାଦକୁ ଆଳ କରି ମାନବିକତାକୁ ଏକପ୍ରକାର ଦଳି ଚକଟି ଦିଆଗଲା, ବଳି ଚଢ଼ାଇ ଦିଆଗଲା । ଏଭଳି ଅମାନବୀୟ ଘଟଣା ଆଜି ଦେଖିବାକୁ ମିଳିଛି ରାଜନଗର ବ୍ଳକ କୁରୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଶିରିଗଡ଼ ଗାଁରେ । ୯ ଘଣ୍ଟା ପରେ ପ୍ରଶାସନର ହସ୍ତକ୍ଷେପ ଓ ଆପୋସ ବୁଝାମଣା ବୈଠକ ପରେ ଶବ ସକôାର ପାଇଁ ଛଡ଼ା ଯାଇଛି ।
ଶିରିଗଡ଼ ଗାଁର ଶୁକଦେବ ସ୍ୱାଇଁ(୭୦) କିଛି ଦିନ ତଳେ ବ୍ରେନ୍ଷ୍ଟେ୍ରାକ୍ର ଶିକାର ହୋଇଥିଲେ । ତେଣୁ ତାଙ୍କୁ କଟକ ନିଆଯାଇଥିଲା । ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଓ ଶୁକଦେବଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ୩ ଦିନ ତଳେ ଶୁକଦେବଙ୍କୁ ଘର ଲୋକେ ଗାଁକୁ ଫେରାଇ ନେଇ ଆସିଥିଲେ । ଆଜି ସକାଳ ୬ଟାବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ଦିନ ପ୍ରାୟ ୯ଟାରେ ମୃତଦେହକୁ ପରିବାର ଲୋକେ କୋକେଇରେ ଗାଁ ମଶାଣିକୁ ନେଉଥିଲେ । ଘରଠାରୁ ୨ ଶହ ମିଟର ଯିବା ପରେ ଗାଁ ଦାଣ୍ଡରେ ବାଉଁଶ ବାନ୍ଧି କିଛି ଲୋକ ଶବକୁ ଅଟକାଇ ଦେଇଥିଲେ । ‘ଗାଁ ରାସ୍ତା ଆମ ବ୍ୟକ୍ତିଗତ ଜାଗାରେ ତିଆରି ହୋଇଛି । ଏହି ବାଟ ଦେଇ ଶବ ମଶାଣିକୁ ଯାଇପାରିବ ନାହିଁ’ ବୋଲି କହି ମୃତଦେହ ଛାଡ଼ି ନଥିଲେ । ଏ ନେଇ ରାଜନଗର ଥାନାକୁ ଖବର ଦିଆଯାଇଥିଲା ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ଗାଁ ଦାଣ୍ଡରେ ଶବ ଛାଡୁନଥିବା ଲୋକେ ପୁଲିସକୁ ବି ନାଲିଆଖି ଦେଖାଇଥିଲେ ଓ ରାସ୍ତା ଆମ ଜାଗାରେ ତିଆରି ହୋଇଛି, ଆମେ ଏବାଟେ ମୃତଦେହ ଛାଡିବୁ ନାହିଁ ବୋଲି ପୁଲିସକୁ କହିଥିଲେ । ପରେ ତହସିଲଦାର ଭୋଳାନାଥ ସେଠୀ, ଆଇଆଇସି ତପନ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଁ ଦାଣ୍ଡରେ ଶବ ମଶାଣିକୁ ଯିବ ବୋଲି ପ୍ରଶାସନ କହିବା ପରେ ଶବ ଅଟକାଇଥିବା ଲୋକେ ପୁଲିସ, ମାଜିଷ୍ଟେ୍ରଟଙ୍କୁ ଠେଲାପେଲା କରିଥିଲେ । ଏହାକୁ ନେଇ ଗାଁର ଦୁଇ ଗୋÂୀ ମଧ୍ୟରେ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶବ ଅଟକାଇଥିବା ଲୋକେ ଠେଙ୍ଗା, ବାଡି ଓ ଇଟା, ପଥର ଧରି ଗଣ୍ଡଗୋଳ ଆରମ୍ଭ କରିଥିଲେ ।
ଏସ୍ଡିପିଓ ରଞ୍ଜନ କୁମାର ଦେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷର ମୁରବି, ସରପଞ୍ଚ ଜୁମର କୁମାର ସ୍ୱାଇଁ, ତହସିଲଦାର ଓ ପୁଲିସ ବସି ଆଲୋଚନା କରିଥିଲେ । ଗାଁରେ ଥିବା ଅନ୍ୟ ଏକ ରାସ୍ତାକୁ ସରପଞ୍ଚ ୬ ମାସ ମଧ୍ୟରେ ନିର୍ମାଣ କରିବେ । ୬ ମାସ ଯାଏ ବର୍ତ୍ତମାନର ଗାଁ ରାସ୍ତା ଦେଇ ଶବ ଯିବ । ୬ ମାସ ପରେ ଗୋଟିଏପଟ ସାହିର ଶବ ନୂଆ ରାସ୍ତାରେ ଓ ଅନ୍ୟପଟ ସାହିର ଶବ ବର୍ତ୍ତମାନ ଥିବା ରାସ୍ତାରେ ଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହାପରେ ଅର୍ଥାତ୍ ଘଟଣାର ପ୍ରାୟ ୯ ଘଣ୍ଟା ପରେ ଶବ ସ+ାର ପାଇଁ ମଶାଣିକୁ ଛଡ଼ା ଯାଇଥିଲା । ତେବେ ମୃତଦେହକୁ ଅଟକାଯିବା ଓ ରାସ୍ତାରେ ପକାଇ ରଖାଯାଇ ଅସମ୍ମାନ କରାଯିବା ଭଳି ଅମାନବିକ ଘଟଣାକୁ ଅଞ୍ଚଳରେ ସବୁ ମହଲରେ ନାପସନ୍ଦ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons