କୋରୁକୋଣ୍ଡା,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ଓର୍କେଲ (ବାଲିମେଳା) ପୁଲିସକୁ ମିଳିଛି ବଡ ଧରଣର ସଫଳତା । ପାଟ୍ରୋଲିଂ ବେଳେ ଏକ ଗାଡି ସହ ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମିଲନ ମଜୁମଦାର କହିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ତେନ୍ତୁଳିଗୁଡା ଗାଁର ଚୈତନ୍ୟ ମାଢି(୩୪), ଏମଭି-୫୪ ଗାଁର ଅଜିତ ସରଦାର(୨୮), ଏମଭି-୧୨୩ ଗାଁର ନାରାୟଣ ସରଦାର(୪୮) ଓ ଏମଭି-୩୩ ଗାଁର ଅଜୟ ମଣ୍ଡଳ(୨୩) ।
ମିଳିଥିବା ସୂଚନା ଅନୁଯାଇ ରବିବାର ସନ୍ଧ୍ୟାରେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ସରୋଲୁକୋଣ୍ଡା ହାଟପଦା ଛକ ନିକଟରେ ଓର୍କେଲ ଥାନା ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ଏସଆଇ ରଜନୀକାନ୍ତ ଦୀପ ଓ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ତେନ୍ତୁଳିଗୁଡା ପଟୁ ଆସୁଥିବା ଏକ ପିକ୍ଅପ (ଓଡି ୩୦ସି ୨୪୧୬) ଆସୁଥିଲା । ସନେ୍ଦହରେ ଗାଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଗାଡି ଭିତରେ ପଲିଥିନ୍ ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡିଥିଲା । ପରେ ଗାଡି ଚାଳକ ଚୈତନ୍ୟଙ୍କ ସମେତ ୩ଜଣ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଅଣାଯାଇଥିଲା । ଜବତ ଗଞ୍ଜେଇ ଓଜନ କରାଯିବା ପରେ ୬୬ଟି ପଲିଥିନ୍ ବ୍ୟାଗରେ ୨୦ କୁଇଣ୍ଟାଲ ୪କେଜି ୮ଶହ ଗ୍ରାମ ଥିବା ଜଣାପଡିଥିଲା । ଅଭିଯୁକ୍ତଙ୍କ ନିକଟରୁ ୪ଟି ମୋବାଇଲ ଫୋନ ମଧ୍ୟ ଯବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨୦ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ତଦନ୍ତ ବେଳେ ଅଭିଯୁକ୍ତମାନେ ଏହି କାରବାରରେ ସମ୍ପୃକ୍ତ ଏମଭି-୩୩ ଗାଁର ଅଜୟଙ୍କ ବିଷୟରେ କହିବା ପରେ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା । ଚିତ୍ରକୋଣ୍ଡା ଅଞ୍ଚଳରୁ ତେନ୍ତୁଳିଗୁଡା ଜଙ୍ଗଲରାସ୍ତା ଦେଇ ଛତିଶଗଡକୁ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିବା ପୁଲିସ କହିଛି । ଏନେଇ ଥାନାରେ ୯୧/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନାଧିକାରୀ ଜଗଦୀଶ ବାରା କହିଛନ୍ତି ।
Comments are closed, but trackbacks and pingbacks are open.