ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): “ହେଲୋ! ମୁଁ ସିଏମ୍ କହୁଛି… । ଆପଣ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ? ସେଠି ଡାକ୍ତର ଓ ନର୍ସ କିଭଳି ସେବା ଯୋଗାଉଛନ୍ତି? ଏନେଇ ଆପଣଙ୍କ ଅନୁଭବ କ’ଣ?”
ଗାନ୍ଧି ଜୟନ୍ତୀ ପରଠାରୁ ସାଧାରଣ ଲୋକଙ୍କ ପାଖକୁ ଏମିତି କିଛି ପ୍ରଶ୍ନ ନେଇ ଫୋନ୍କଲ୍ ଯିବ । ଖୋଦ୍ ମୁଖ୍ୟମନ୍ତ୍ରୀ ଫୋନ୍ କରି ଲୋକଙ୍କଠାରୁ ସରକାରୀ ସେବାର ମାନ ଯାଞ୍ଚ କରିବେ । ଖାଲି ଡାକ୍ତରଖାନା ନୁହେଁ, ଥାନା ଓ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟର ମିଳୁଥିବା ସେବା ବିଷୟରେ ବୁଝିବେ । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକ ସରକାରଙ୍କ ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ସାଧାରଣ ଲୋକକୁ ତାର ହକ୍ ଦେବା ପାଇଁ ଆମେ ୫ଟି ମନ୍ତ୍ର କାର୍ଯ୍ୟକାରୀ କରୁଛୁ । ଏହି ୫ଟି ମନ୍ତ୍ର ପ୍ରଶାସନକୁ ଅଧିକ ଉତ୍ତରଦାୟୀ କରିବାରେ ସଫଳ ହେବ । ଲୋକଙ୍କ ପାଇଁ ହିଁ ସରକାର । ଗଣତନ୍ତ୍ରରେ ସାଧାରଣ ଲୋକ ହିଁ ଶ୍ରେଷ୍ଠ । ତେଣୁ ଆମ ପାଇଁ ଆପଣଙ୍କ ମତାମତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ୫ ‘ଟି’କୁ ଭିତ୍ତିକରି ଆମେ ଆରମ୍ଭ କରୁଛୁ ‘ମୋ ସରକାର’ କାର୍ଯ୍ୟକ୍ରମ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।
ପ୍ରଥମ ପର୍ଯ୍ୟାୟରେ ସବୁ ଥାନା ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ରେ ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ପର୍ଯ୍ୟାୟକ୍ରମେ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି, ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ । ନିଜେ ଆପଣଙ୍କୁ ଫୋନ୍ କରିବି । ଥାନା ଓ ହସ୍ପିଟାଲରେ ଆପଣଙ୍କୁ କିପରି ସେବା ମିଳିଲା ସେ କଥା ବୁଝିବି । ଥାନାରେ ଆପଣଙ୍କ ଅଭିଯୋଗକୁ କିପରି ଗୁରୁତ୍ୱ ଦିଆଗଲା, ହସ୍ପିଟାଲ୍ରେ କିପରି ସେବା ପାଇଲେ, ସେ ବିଷୟରେ ବି ମୁଁ ଫୋନ୍ରେ ଆଲୋଚନା କରିବି । ମୋ ଛଡ଼ା ମନ୍ତ୍ରିମଣ୍ଡଳରେ ମୋ ସହଯୋଗୀମାନେ ମଧ୍ୟ ଆପଣଙ୍କୁ ଫୋନ୍ କରିବେ ।
ଓଡ଼ିଶାର ସବୁ ଗାଁରେ ବିଜୁଳି ପହଞ୍ଚିଛି । ଯଦି କାହା ଘରକୁ ବିଜୁଳି ସଂଯୋଗ ଯାଇ ନାହିଁ, ତେବେ ସେମାନେ ସଙ୍ଗେ ସଙ୍ଗେ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରନ୍ତୁ । ୪୮ ଘଣ୍ଟା ମଧ୍ୟରେ ବିଜୁଳି ସଂଯୋଗ ଦିଆଯିବ । ମୋର ବିଶ୍ୱାସ ଆମର ଏହି ସବୁ କାର୍ଯ୍ୟକ୍ରମ ସରକାର ଓ ଲୋକଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବ । ସାଧାରଣ ଲୋକ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିବ ।
ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତୁ, ଲୋକଙ୍କ ପାଇଁ, ଲୋକଙ୍କ କଲ୍ୟାଣ ପାଇଁ ଓ ଏକ ନୂଆ ଓଡ଼ିଶା ଗଠନ ପାଇଁ ମିଳିମିଶି କାମ କରିବା ।
ଏ ଅବସରରେ ନବୀନ ଜାତିର ପିତା ମହାତ୍ମା ଗାନ୍ଧି, ପଣ୍ଡିତ ଜବାହରଲାଲ ନେହରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ୍, ମୌଲନା ଆଜାଦ, ଡଃ ବି ଆର ଆମ୍ବେଦକର, ଡ. ରାଜେନ୍ଦ୍ର ପ୍ରସାଦ, ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉକ୍ରଳ ଗୌରବ ମଧୁସୂଧନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମା’ ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି ସହିଦ୍ ଲକ୍ଷ୍ମଣ ନାଏକ, ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ଦେଶଭକ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ପୁଲିସ୍ କମିଶନର ଡ. ସତ୍ୟଜିତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons