କୋରାପୁଟ,(ବି.ବି.ନୁ୍ୟଜ୍): ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ସୁଗମ କରିବାକୁ ଏଣିକି ଗଡ଼ିବ ବାଇକ୍ ଆମ୍ବୁଲାନ୍ସ । ଗୁଜୁରାଟରୁ ୮ଟି ସ୍ୱତନ୍ତ୍ର ବାଇକ୍ ଆମ୍ବୁଲାନ୍ସ କୋରାପୁଟରେ ଆସି ପହଞ୍ଚିଛି । ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର, ଲକ୍ଷ୍ମୀପୁର, ଲମତାପୁଟ ଓ ବୈପାରିଗୁଡ଼ା ବ୍ଲକର ଅପହଞ୍ଚ ଗାଁରେ ରୋଗୀ ସେବାରେ ଏହାକୁ ନିୟୋଜିତ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ମକରନ୍ଦ ବେଉରା କହିଛନ୍ତି । ଆମ୍ବୁଲାନ୍ସଗୁଡିକୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯିବ । ଯୋଗାଯୋଗ ପାଇଁ ୧୦୨ ଆମ୍ବୁୁଲାନ୍ସ ଭଳି ସ୍ୱତନ୍ତ୍ର ଟୋଲ୍ ଫ୍ରି ନମ୍ବର ଜାରି ହେବ । ତେବେ କେବେଠାରୁ ଏହାର ଶୁଭାରମ୍ଭ ହେବ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ତାଙ୍କ ସହିତ ଆଲୋଚନା ପରେ କେଉ ଅଞ୍ଚଳରେ କେତୋଟି ବାଇକ୍ ଆମ୍ବୁଲାନ୍ସ ନିୟୋଜିତ କରାଯିବ ସୂଚନା ଦିଆଯିବ ବୋଲି ସିଡିଏମଓ କହିଛନ୍ତି । ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଯୋଜନାରେ ଯୋଗାଇ ଦିଆଯାଇଥିବା ଏହି ବାଇକ୍ ଆମ୍ବୁଲାନ୍ସଗୁଡ଼ିକ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ୩୬ଲକ୍ଷ ବ୍ୟୟରେ ୮ଟି ବାଇକ୍ ଆମ୍ବୁସଲାନ୍ସ ଟେଣ୍ଡର ପାଇଥିବା ଠିକା କମ୍ପାନି ଏହାକୁ ଯୋଗାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ଆମ୍ବୁୁଲାନ୍ସ ପହଞ୍ଚି ପାରୁ ନଥିଲା । ଫଳରେ ରୋଗୀମାନଙ୍କୁ ପାଦଚଲା ରାସ୍ତାରେ ଭାରରେ ବୋହି ଆଣିବାକୁ ପଡ଼ୁଥିଲା । ସେସବୁ ଅଞ୍ଚଳରେ ବାଇକ୍ ଆମ୍ବୁଲାନ୍ସ ରୋଗୀଙ୍କୁ ମେଡ଼ିକାଲରେ ପହଞ୍ଚାଇବା ପାଇଁ ସହାୟକ ହେବ ବୋଲି ପ୍ରଶାସନ ଆଶା ରଖିଛି । ତେବେ ଏହା ପୂର୍ବରୁ ରାୟଗଡାÿ ଜିଲ୍ଲାରେ ରାଜ୍ୟର ପ୍ରଥମ ବାଇକ୍ ଅମ୍ବୁୁଲାନ୍ସ ସେବା ଆରମ୍ଭ କରାଯାଇଥିଲା । ସେହି ଜିଲ୍ଲାର କାଶୀପୁର, ଚନ୍ଦ୍ରଗିରି, ମୁନିଗୁଡାର ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ସହାୟକ ହେବ ବୋଲି ସରକାର ଆଶା ରଥିଲେ । କିନ୍ତୁ ରୋଗୀଙ୍କ ଦୁର୍ଦ୍ଧଶା ଦୂର କରିବାରେ ସେଭଳି ସଫଳତା ମିଳି ନଥିଲା । ପରିଚାଳନାରେ ତ୍ରୁଟି ଯୋଗୁ ଏହା ସଫଳ ହୋଇ ନଥିବା ଅଭିଯୋଗ ହୋଇଥିଲା । ତେଣୁ କୋରାପୁଟ ଜିଲ୍ଲାରେ ଏହି ବାଇକ୍ ଆମ୍ବୁଲାନ୍ସ ରୋଗୀଙ୍କ ପାଇଁ କିଭଳି ସହାୟକ ହେବ ତାହା ଆଗାମୀ ସମୟ କହିବ ।
Comments are closed, but trackbacks and pingbacks are open.