ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଲକ୍ଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଖୁସି ଖବର । କଟକଣା ଯୋଗୁଁ ବାହାର ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଅଧିକ ଶ୍ରମିକ ଥିବା ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂପୃକ୍ତ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଶ୍ରମିକମାନଙ୍କୁ ଓଡ଼ିଶା ଫେରାଇ ଆଣିବାରେ ସହଯୋଗ କରିବାକୁ ନବୀନ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା ବେଳେ ଦୁହେଁ ସମ୍ମତି ପ୍ରଦାନ କରିଛନ୍ତି । ତେବେ ଅନ୍ୟ ରାଜ୍ୟରୁ ଶ୍ରମିକ ଫେରିବାକୁ ହେଲେ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଭିଡିଓ କନଫରେନ୍ସିଂରେ ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ୍ ହୋଇଥିଲେ ।
କରୋନା ଲକ୍ଡାଉନ ଯୋଗୁଁ ବାହାର ରାଜ୍ୟରେ ଥିବା ଶ୍ରମିକମାନଙ୍କୁ କିଭଳି ସୁରକ୍ଷିତ ଭାବେ ଫେରାଇ ଅଣାଯିବ ସେ ନେଇ ସପ୍ତାହକ ତଳୁ ରାଜ୍ୟ ସରକାର ରୋଡମ୍ୟାପ୍ ଆରମ୍ଭ କରିଥିଲା ବେଳେ ଆଜି ପ୍ରଥମେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଭିଡିଓ କନଫରେନ୍ସିଂରେ ଏ ନେଇ ଆଲୋଚନା କରିଥିଲେ ନବୀନ । ନବୀନ-ରୂପାନୀଙ୍କ ଆଲୋଚନାରେ ନିଷ୍ପତ୍ତି ହୋଇଛି ଯେ, ଗୁଜୁରାଟର ସୁରତ, ଅହମ୍ମଦାବାଦ ସହ ଅନ୍ୟ ସ୍ଥାନରେ ଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଦୁଇ ରାଜ୍ୟରୁ ଦୁଇ ଜଣ ଲେଖାଏଁ ବରିÂ ଅଫିସରଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯିବ । ଗୁଜୁରାଟରେ ବହୁ ସଂଖ୍ୟାରେ ଓଡ଼ିଆ ଶ୍ରମିକ ଥିବା ବେଳେ ସେମାନଙ୍କୁ ବସ ଯୋଗେ ଫେରାଇ ଆଣିବାକୁ ବିଚାର କରାଯାଇଛି । ଏପରିକି ଆବଶ୍ୟକସ୍ଥଳେ ଅନ୍ୟ ପରିବହନ ବ୍ୟବସ୍ଥା ନେଇ ମଧ୍ୟ ସରକାରଙ୍କ ବିଚାର ବିମର୍ଶ ଜାରି ରହିଛି । ଗୁଜୁରାଟରୁ ଶ୍ରମିକମାନଙ୍କୁ ନେଇ ଫେରିବା ବସର ରୋଡ ଟ୍ୟାକ୍ସ ଛାଡ଼ କରିବାକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ସେହିଭଳି ଅପରାହ୍ନରେ ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କୁ କିଭଳି ନିରାପଦରେ ଓଡ଼ିଶା ଫେରାଇ ଅଣାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ସହ ଆଲୋଚନା କରିଥିଲେ । ନବୀନ-ଉଦ୍ଧବ ଆଲୋଚନା ବେଳେ ସ୍ଥିର ହୋଇଛି ଯେ, ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଲୋଚନା କରି ବରିÂ ଅଫିସରଙ୍କୁ ସମନ୍ୱୟ ରକ୍ଷା କରିବାକୁ ଦାୟିତ୍ୱ ଦେବେ । ଗୁଜୁରାଟ ଭଳି ମହାରାଷ୍ଟ୍ରରୁ ମଧ୍ୟ ବସରେ ଶ୍ରମିକଙ୍କୁ ଆଣିବାକୁ ନିଷ୍ପତ୍ତି ହୋଇଛି । ଶ୍ରମିକଙ୍କୁ ଫେରାଇ ଆଣିବାକୁ ଯେଉଁ ବସ୍ ଯିବ ସେଗୁଡ଼ିକୁ ସମସ୍ତ ପ୍ରକାର ଟ୍ୟାକ୍ସ ଛାଡ଼ କରିବାକୁ ଶ୍ରୀ ଥାକରେ ପ୍ରତିଶ୍ରୁତି ଦେଇଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଟ୍ୟାକ୍ସ ଛାଡ଼ କରିବାକୁ ଅନୁରୋଧ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଦୁଇ ରାଜ୍ୟ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଭିଡିଓ କନଫରେନ୍ସିଂ ବେଳେ ସହମତି ପ୍ରକାଶ କରିଛନ୍ତି । ଏ ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ସାମିଲ୍ ହୋଇଥିଲେ । ଏ ଦୁଇ ରାଜ୍ୟ ପରେ ଅନ୍ୟ ରାଜ୍ୟରୁ ଶ୍ରମିକଙ୍କୁ ଫେରାଇ ଆଣିବା ନେଇ ସରକାର ବିଚାର କରୁଥିବା ସୂଚନା ମିଳିଛି ।
ସରକାର ଅନୁମାନ କରୁଛନ୍ତି ଯେ ପ୍ରାୟ ୫ ଲକ୍ଷ ଓଡ଼ିଆ ଶ୍ରମିକ ଘରକୁ ଫେରିବାକୁ ବ୍ୟଗ୍ର ଅଛନ୍ତି । ତେବେ ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିବା ନେଇ ସରକାର ନିର୍ଦ୍ଧିଷ୍ଟ ସର୍ତ୍ତ ରଖିଛନ୍ତି । ପଞ୍ଜୀକରଣ କରିବା ପରେ ଜଣେ ନିଜ ଗାଁକୁ ଫେରିବାକୁ ଅନୁମତି ମିଳିବ । ବାହାର ରାଜ୍ୟରେ ଥିବା ବ୍ୟକ୍ତି ନିଜେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ପଞ୍ଜିକରଣ କରି ପାରିବେ । ଏଥିପାଇଁ ଏକ ୱେବସାଇଟ୍ ୩ ଦିନ ହେବ ଆରମ୍ଭ କରାଯାଇଛି । ବାହାର ରାଜ୍ୟରେ ଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଓ ଆଧାର ନମ୍ବର ପଞ୍ଜୀକରଣ ସମୟରେ ଦେବା ପାଇଁ ବାଧ୍ୟ କରାଯାଇଛି । ଏହି ପଞ୍ଚିକରଣ ଘରେ ବସି କମ୍ପୁ୍ୟଟର ଓ ମୋବାଇଲ ସାହାଯ୍ୟରେ ହୋଇପାରିବ । ଗ୍ରାମପଞ୍ଚାୟତରେ ପରିବାର ଲୋକ ମଧ୍ୟ ଏହି ପଞ୍ଜୀକରଣ କରପାରିବେ । ଏଥିରେ ସହଯୋଗ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ପଞ୍ଚାୟତକୁ ଫେରିବା ପରେ ପ୍ରବାସୀ ଓଡ଼ିଆମାନେ ନିଜ ଘରକୁ ସିଧାସଳଖ ଯାଇପାରିବେ ନାହିଁ । ସେମାନେ ପଞ୍ଚାୟତଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ । ଏହାପରେ ସେମାନେ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ୧୪ ଦିନ ରହିବେ । ସେଠାରେ ସେମାନଙ୍କୁ ମାଗଣା ରହିବା, ଖାଇବା ପିଇବା ସହ ଚିକିତ୍ସା ସେବା ମିଳିବ । ୧୪ ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିଲେ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହ ନିଜ ଘରକୁ ଯିବାକୁ ଅନୁମତି ମିଳିବ । ସମାନ ବ୍ୟବସ୍ଥା ସହରାଞ୍ଚଳ ପାଇଁ ମଧ୍ୟ କରାଯାଇଛି । ଏହି କାମ ସୁରୁଖୁରୁରେ କରିବାକୁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ମଧ୍ୟ ଦେଇଛନ୍ତି ।
ଉଲ୍ଳେଖଯୋଗ୍ୟ, ଲକଡାଉନ୍ ହଟିବା ପରେ ବାହାରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବା ନେଇ ଶନିବାର ମୁଖ୍ୟମନ୍ତ୍ରୀ ଇଙ୍ଗିତ କରିଥିଲେ । ପ୍ରତିଟି ଓଡ଼ିଆଙ୍କ ଜୀବନ ଆମପାଇଁ ମୂଲ୍ୟବାନ । ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ଆମ ସମସ୍ତଙ୍କ ଦାୟିତ୍ୱ । ତେଣୁ ଘରକୁ ଫେରିବାକୁ ଚାହୁଁଥିବା ଓଡ଼ିଆଙ୍କୁ ସହଯୋଗ କରିବା ସହ ଆଇନକୁ ସମ୍ମାନ ଦେବା ଏବେ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ୍ କରିଥିଲେ ।
Comments are closed, but trackbacks and pingbacks are open.