ପୁରୁଣାକଟକ,(ବି.ବି.ନୁ୍ୟଜ୍): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଦିବାସୀ ବହୁଳ ଅଞ୍ଚଳରେ ବଢ଼ି ଚାଲିଛି ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ । ଗତ ବର୍ଷକ ମଧ୍ୟରେ ୧୧ ଜଣ ଯୁବକଙ୍କ ମୃତୁ୍ୟ ଯୋଗୁଁ ଗୁଣ୍ଡୁରିବିଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହା କୌଣସି ଅତୃପ୍ତ ଆତ୍ମା କିମ୍ବା ଗୁଣିଆର ବଦମାସୀ ହୋଇଥାଇପାରେ ବୋଲି ଗ୍ରାମବାସୀ ଆଶଂକା କରୁଛନ୍ତି । ଗାଁରୁ ଦୁଷ୍ଟ ଶକ୍ତି ଦମନ ପାଇଁ ୩ ଦିନ ହେଲା ଗୁଣ୍ଡୁରିବିଡ଼ା ଗ୍ରାମବାସୀ ବାବା ଗୁପ୍ତଶ୍ୱର ମନ୍ଦିରରେ ବେଲପତ୍ର ଚଢ଼ାଇବା ସହିତ ଶତାଧିକ ପୁରୁଷ ଓ ମହିଳା ଅଧିଆ ପଡ଼ିିଛନ୍ତି । ତିଲେଶ୍ୱର ପଞ୍ଚାୟତ ବୁରବୁଡ଼ା ଗାଁର ଆରାଧ୍ୟଦେବ ବାବା ଗୁପ୍ତଶ୍ୱର ଏ ମହାସଙ୍କଟରୁ ସେମାନଙ୍କୁ ସହାୟ ହେବେ ବୋଲି ଗୁଣ୍ଡୁରିବିଡ଼ା ଗ୍ରାମବାସୀ ଆଶାପୋଷଣ କରିଛନ୍ତି ।
ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୪ କିମି ଦୂରରେ ରହିଛି ଗୁଣ୍ଡୁରିବିଡ଼ା ଗାଁ । ଆଦିବାସୀ ସମ୍ପ୍ରଦାୟର ୪୦ ପରିବାର ଏବଂ ୧୦ ଅନ୍ୟ ପରିବାରକୁ ମିଶାଇ ପାଖାପାଖି ୨ଶହରୁ ଅଧିକ ଲୋକ ବାସକରନ୍ତି ଗୁଣ୍ଡୁରିବିଡ଼ା ଗାଁରେ । ଗ୍ରାମ ସଭାପତି ବାସୁଦେବ ପ୍ରଧାନଙ୍କ କହିବାନୁଯାୟୀ ବର୍ଷକ ମଧ୍ୟରେ ଗାଁର କେଶବ ପ୍ରଧାନ (୪୦), ନରୋତ୍ତମ ନାଏକ (୩୫), ଲକ୍ଷ୍ମଣ ନାଏକ (୩୭), କିଶୋରୀ ପ୍ରଧାନ (୪୫), ପୁରୁନ୍ଦର ପ୍ରଧାନ (୪୦), ହେମନ୍ତ କଅଁର (୪୦), ପ୍ରଭାକର ମଲ୍ଲିକ (୩୪), ଶ୍ରୀମତୀ ପ୍ରଧାନ (୩୫), ଗୁରୁମତି ପ୍ରଧାନ (୩୪), ପୂର୍ଣ୍ଣ ନାଏକ (୩୩), ଝୁମା ନାଏକ (୩୫)ଙ୍କର ମୃତୁ୍ୟ ଘଟିଛି । ଏହି ଯୁବକମାନେ ପୂର୍ବରୁ କୌଣସି ରୋଗବ୍ୟାଧି ରେ ପୀଡିତ ନ ଥିଲେ । ହଠାତ୍ ଏମାନଙ୍କର ମୁଣ୍ଡ ବୁଲାଇଥିଲା, ଏବଂ ଏହାର କିଛି ସମୟ ପରେ ସେମାନେ ଆଖିବୁଜି ଥିଲେ । ଗୁଣ୍ଡୁରିବିଡ଼ା ଗ୍ରାମ ଉପରେ କୌଣସି ଗୁଣିଆଙ୍କ କୋପ ଦୃଷ୍ଟିପଡ଼ିଛି । ହୁଏତ ଏହି କାରଣରୁ ଅଳ୍ପ ବୟସର ଯୁବକଙ୍କ ମୃତୁ୍ୟ ଘଟୁଥିବା ଗ୍ରାମବାସୀ ବିଶ୍ୱାସ କରୁଛନ୍ତି । ‘ବାହାରୁ ଗୁଣିଆ ଡାକି ଝଡ଼ାଫୁଙ୍କା ହେଲା, ପୂଜାର୍ଚ୍ଚନା କଲୁ, ବୋଦା ବଳି ବି ପକାଇଲୁ । ତା’ସତ୍ତେ୍ୱ ଗାଁରେ ଅନିଷ୍ଟ ଘଟୁଛି । ଆମ ପିଲାଛୁଆଙ୍କ ଜୀବନ ରକ୍ଷା ପାଇଁ ଗତ ଶନିବାର ଠାରୁ ଗୁପ୍ତେଶ୍ୱରଙ୍କ ନିକଟରେ ଅଧିଆ ପଡିଛୁ’କହିଥିଲେ ଗ୍ରାମବାସୀ । ଗୁଣ୍ଡୁରିବିଡ଼ା ଗାଁର ଲକ୍ଷ୍ମୀଧର ନାଏକ, ପ୍ରଦୀପ ନାଏକ, ସୁବ୍ରତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର କଅଁର, ଅହଲ୍ୟା ପ୍ରଧାନ , ମାଳତି ପ୍ରଧାନ, ସତ୍ୟବତୀ ପ୍ରଧାନ, ପଦ୍ମନୀ ନାଏକ କୁମାରୀ ନାଏକ ପ୍ରମୁଖ ନିଜ ପିଲାଛୁଆଙ୍କୁ ଧରି ଗୁପ୍ତେଶ୍ୱରଙ୍କୁ ଗୁହାରି କରୁଛନ୍ତି ।
ପ୍ରକାଶ ଯେ, ଅକ୍ଟୋବର ୨୧ ତାରିଖରେ ହରଭଙ୍ଗା ବ୍ଲକ ପୀତାମ୍ବରପୁର ଗାଁର କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ପାଇବା ଲାଗି ଗୁଣିଆର ସାହାଯ୍ୟ ନେଇଥିଲେ । ଗୁଣିଆ ୨୪ ଘଣ୍ଟାରୁ ଅଧିକ ସମୟ ପୂଜାର୍ଚ୍ଚନା କରିଥିଲା । ନିଖୋଜ ବ୍ୟକ୍ତିଙ୍କୁ ପାଣିରୁ କାଢ଼ିବ ବୋଲି କହି ଲୋକଙ୍କୁ ଭୂଆଁବୁଲାଇଥିଲା ଗୁଣିଅାଁ । ମାତ୍ର ନିଖୋଜ ବ୍ୟକ୍ତିଙ୍କୁ ପାଣିରୁ କାଢିବାରେ ସଫଳ ହୋଇ ନ ଥିଲା ଗୁଣିଆ । ପରେ ପୁଲିସ୍ ଆସି ଗୁଣିଆକୁ କାବୁକରି ନେଇଥିଲା । କିଛିି ଦିନ ଆଗରୁ ଲଣ୍ଡ୍ରିଯୋର ଗାଁରେ ପେତେନ (ଡାହାଣୀ)ଭୟରେ ଲୋକେ ଗାଁ ଛାଡ଼ୁଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ସଚେତନତା ଅଭାବରୁ ଏହି ଅଞ୍ଚଳବାସୀ ବାରମ୍ବାର ଅନ୍ଧବିଶ୍ୱାସର ଶିକାର ହୋଇଆସୁଥିବା ବୁଦ୍ଧିଜୀବୀ ମହଲ ଅଭିଯୋଗ କରିଛନ୍ତି । ତୁରନ୍ତ ମେଡ଼ିକାଲ ଟିମ୍ ଉକ୍ତ ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହିତ ଲୋକଙ୍କୁ ସଚେତନ କରିବାକୁ ଦାବି ହେଉଛି ।
Comments are closed, but trackbacks and pingbacks are open.