ଗୁଣି ସନେ୍ଦହରେ ଯୁବତୀଙ୍କୁ ପିଆଇଲେ ଗୋବର ପାଣି:ବାପା, ଝିଅଙ୍କୁ ଆକ୍ରମଣ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ଏବେ ବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଣି ଗାରେଡ଼ିକୁ ଲୋକେ ବିଶ୍ୱାସ କରୁଛନ୍ତି । ଏଥି ପାଇଁ କେଉଁଠି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟୁଛି । ଅନ୍ୟ କେଉଁଠି ବିଭିନ୍ନ ଜାତନା ଦିଆଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି । ନୀଳଗିରି ଏନ୍ଏସି ଅଧୀନ ୧୦ ନଂ ୱାର୍ଡ କାହାଳିଆ ପୋଖରୀସାହି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗୁଣି ଗାରେଡ଼ି ସନେ୍ଦହରେ ବାପା, ଝିଅଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ଝିଅକୁ ଗୋବର ପାଣି ପିଆଇଛନ୍ତି ଲୋକେ । ଏହି ଗ୍ରାମର ପର୍ଶୁରାମ ବାରିକ ତାଙ୍କ ଘର ବାଡ଼ିରେ ଠାକୁରାଣୀ ପୂଜା କରନ୍ତି । ପଡେ଼ାଶୀ ଯୋଗେନ୍ଦ୍ର ବାରିକଙ୍କ ପରିବାର ସହ ତାଙ୍କର ଜମିଜମାକୁ ନେଇ ଶତ୍ରୁତା ଲାଗି ରହିଥିଲା । କିଛି ଦିନ ଧରି ଯୋଗେନ୍ଦ୍ରଙ୍କ ପୁତ୍ରବଧୂ ଲକ୍ଷ୍ମୀଙ୍କୁ ଜ୍ୱର ହୋଇଥିଲା । ଜ୍ୱର ନଛାଡ଼ିବାରୁ ପର୍ଶୁରାମ ଗୁଣି କରିଥିବା ସନେ୍ଦହ କରିଥିଲେ ଯୋଗେନ୍ଦ୍ରଙ୍କ ପରିବାର । ଏ ନେଇ ସେ ଅନ୍ୟ ଜଣେ ଗୁଣିଆର ପରାମର୍ଶ ଲୋଡ଼ିଥିଲେ । ଗୁଣି ଯୋଗୁ ବୋହୂକୁ ଜ୍ୱର ହୋଇଛି ବୋଲି ଗୁଣିଆ ଜଣକ କହିଥିଲା । ଏ କଥା ଶୁଣି ପର୍ଶୁରାମଙ୍କ ଉପରେ ସନେ୍ଦହ ଅଧିକ ଦୃଢ଼ୀଭୂତ ହୋଇଥିଲା । ସୋମବାର ମଧ୍ୟାହ୍ନରେ ପର୍ଶୁରାମ ଓ ତାଙ୍କ ବଡ଼ ଝିଅଙ୍କୁ ଏକ ଗଛରେ ବାନ୍ଧି ଯୋଗେନ୍ଦ୍ରଙ୍କ ପରିବାର ଲୋକେ ମାଡ଼ ମାରିଥିଲେ । ଏପରିକ ପର୍ଶୁରାମଙ୍କ ଝିଅକୁ ଗୋବର ପାଣି ପିଆଇଥିଲେ ।
ଏ ନେଇ ପର୍ଶୁରାମ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କୁ ଓ ଝିଅକୁ ବାନ୍ଧି ମାଡ଼ ମାରିବା ସହ ଝିଅକୁ ଯୋଗେନ୍ଦ୍ରଙ୍କ ପରିବାର ଗୋବର ପାଣି ପିଆଇଥିବା ଉଲ୍ଲେଖ କରିଛନ୍ତି । ଯୋଗେନ୍ଦ୍ର ବାରିକ, ପୁଅ ଗୌରହରି, ତ୍ରିଲୋଚନ, ପୁତ୍ରବଧୂ ଲକ୍ଷ୍ମୀ, ସାନ ପୁଅ ଶ୍ରବଣ, ଭାଇ ନରେନ୍ଦ୍ର ବାରିକ, ଶଶିଧର ବାରିକ, ବିଶ୍ୱନାଥ ବାରିକଙ୍କ ନାମରେ ପର୍ଶୁରାମ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଯୋଗେନ୍ଦ୍ର ବାରିକଙ୍କ ପତ୍ନୀ ଶାନ୍ତିଲତା ଥାନାରେ ପାଲଟା ଅଭିଯୋଗ ଦେଇଛନ୍ତି । ସମ୍ପତ୍ତି ନେଇ ବାପା, ଝିଅ ତାଙ୍କ ପରିବାର ନାଁରେ ମିଥ୍ୟା ଆରୋପ ଆଣିଥିବା ଅଭିଯୋଗ ପତ୍ରରେ ଶାନ୍ତିଲତା ଦର୍ଶାଇଛନ୍ତି । ନୀଳଗିରି ଆଇଆଇସି ମିନତି ବିଶ୍ୱାଳ ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଏ ବାବଦରେ ପୃଥକ ଦୁଇଟି ମାମଲା ରୁଜୁ କରି ଯୋଗେନ୍ଦ୍ର, ତାଙ୍କ ଝିଅ ଏବଂ ଶାନ୍ତିଲତାଙ୍କୁ ଅଟକ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons