ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଗୁରୁ-ଶିଷ୍ୟ ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛି ମହିମା ଧର୍ମ । ଢେଙ୍କାନାଳ ଯୋରନ୍ଦା ଗାଦିରୁ ଗୁରୁ ତଥା ବାବା ଧନୁର୍ଜୟଙ୍କୁ ଭାରରେ ବୋହିଛନ୍ତି ଶିକ୍ଷ୍ୟମାନେ । ୧୦ କି ୨୦ କିମି ନୁହେଁ, ପୂରା ୫୪୦ କିଲୋମିଟର । ପହଞ୍ଚାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୋଡ଼ାଗଡ଼ର ସାନଭରଣ୍ଡି ଆଶ୍ରମରେ । କେତେବେଳେ ପକ୍କା ରାସ୍ତାରେ ତ ଆଉ କେତେବେଳେ ନଦୀ, ନାଳ ଭରା ପାହାଡ଼ିଆ, ଜଙ୍ଗଲିଆ ରାସ୍ତାରେ ଗୁରୁଙ୍କୁ ବୋହି ଚାଲିଛନ୍ତି । ଏଥିପାଇଁ ଲାଗିଯାଇଛି ୨୪ ଦିନ । ବାବା ଧନୁର୍ଜୟ ବୁଧବାର ଆଶ୍ରମରେ ପହଞ୍ଚିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରି ।
ସାନଭରଣ୍ଡି ଗାଁର ଅଲେଖ ମହିମା ଆଶ୍ରମରେ ରହନ୍ତି ଧନୁର୍ଜୟ ବାବା(୭୦) । ଏହି ଧର୍ମରେ ଦୀକ୍ଷିତ ବାବାମାନେ ବଳ୍କଳ ଧାରଣ କରନ୍ତି । ଯାନବାହାନରେ ଯାତାୟାତ କରନ୍ତି ନାହିଁ । ଯେତେଦୂର ହେଉ ପଛେ, ଚାଲି ଚାଲି ଯିବାଆସିବା କରନ୍ତି । ଧନୁର୍ଜୟ ବାବାଙ୍କୁ ଢେଙ୍କାନାଳ ଯୋରନ୍ଦା ପୀଠର ସାଧୁ ସମ୍ମିଳନୀ, ସତ୍ସଙ୍ଗ ଏବଂ ଧର୍ମସଭାରେ ଯୋଗଦେବାର ଥିଲା । ପରିଣତ ବୟସ ଏତେବାଟ ଚାଲି ଚାଲି ଯିବା ସମ୍ଭବ ନଥିଲା । ତେଣୁ ମାସକ ତଳେ ଶିଷ୍ୟମାନେ ତାଙ୍କୁ ଭାରରେ ବୋହି ବୋହି ନେଇଥିଲେ । ଜୁନ୍ ୧ରେ ସେଠାରେ କାର୍ଯ୍ୟକ୍ରମ ସରିବା ପରେ ଶିଷ୍ୟମାନେ ପୁଣିଥରେ ତାଙ୍କୁ ଭାରରେ ବୋହି ସାନଭରଣ୍ଡି ଆଶ୍ରମକୁ ଆଣିଛନ୍ତି । ଢେଙ୍କାନାଳ, ଅନୁଗୁଳ, ସୋନପୁର, ବଲାଙ୍ଗୀର, କଳହାଣ୍ଡି ଜିଲ୍ଲା ଦେଇ ନବରଙ୍ଗପୁର ଜିଲ୍ଲାର ସାନଭରଣ୍ଡିରେ ପହଞ୍ଚିବା ଲାଗି ଚାଲି ଚାଲି ଅତିକ୍ରମ କରିବାକୁ ପଡ଼ିଛି ୫୪୦ କିମି । ଏହି ଦୀର୍ଘ ଯାତ୍ରାରେ ଥରେ ମହାନଦୀ ପାରିହେବାକୁ ପଡ଼ିଥିଲା ବେଳେ ୩ଥର ତେଲନଦୀ ପାରି ହୋଇଛନ୍ତି । ପାହାଡ଼ ଏବଂ ଜଙ୍ଗଲିଆ ରାସ୍ତାଦେଇ ଗୁରୁଙ୍କୁ ଆଣିଥିବା ଶିଷ୍ୟ ବିଦ୍ୟାଧର ପୂଜାରୀ, ବୁଦୁରାମ ଭକ୍ତ, ମିଶ୍ର ଟହଲିଆ ପ୍ରମୁଖ କହିଛନ୍ତି ।
ବାବାକୁ ଭାରରେ ବସାଇ ଯୋରନ୍ଦା ପୀଠକୁ ନେବାଲାଗି ବାହାରିଥିଲେ ପୋଡ଼ାଗଡ଼ର ୪୦ ଜଣ ଶିଷ୍ୟ । ପ୍ରତି ୫ରୁ ୬ କିମି ଗଲାପରେ ଶିଷ୍ୟମାନେ ପାଳିକରି ବଦଳୁଥିଲେ । ସେମାନଙ୍କ ମଧ୍ୟରେ କେବଳ ଗୋଟିଏ ଜିଲ୍ଲାର ଶିଷ୍ୟ ନଥିଲେ । ବାଟରେ ପଡୁଥିବା ବିଭିନ୍ନ ମହିମା ଆଶ୍ରମର ଶିଷ୍ୟମାନେ ବାବାଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲାଗି ଆନନ୍ଦରେ ଏହି ଅଭିଯାନରେ ସାମିଲ ହେଉଥିଲେ । ଗୋଟିଏ ଆଶ୍ରମରୁ ଅନ୍ୟ ଆଶ୍ରମରେ ପହଞ୍ଚିଗଲେ ସେଠାରୁ ଅନ୍ୟ ଶିଷ୍ୟମାନେ ବାହାରୁଥିଲେ । ବାଟରେ ପଡୁଥିବା ବିଭିନ୍ନ ମନ୍ଦିର ଓ ମଠରେ ଅଟକି ପ୍ରସାଦ ସେବନ କରୁଥିଲେ । ବାଟରେ ପଡୁଥିବା ମହିମା ଆଶ୍ରମରେ ତ’ ଆଉ କେତେବେଳେ ଗଛମୂଳେ ରାତି ବିତାଉଥିଲେ । ଏହି ଧର୍ମରେ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ସେବନ ନିୟମ ରହିଛି । ଏହାକୁ ଆଖିରେ ରଖି ସମସ୍ତ କାର୍ଯ୍ୟ କରୁଥିଲେ । ଯୁଗ ବଦଳିଥିଲେ ବି ମହିମା ଧର୍ମରେ ଗୁରୁଶିଷ୍ୟ ପରମ୍ପରା ବଦଳିନି । ଏଭଳି ପରମ୍ପରା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.