ଗୁଳିମାଡ଼ରେ ଔଷଧ ଦୋକାନିଙ୍କ ମୃତୁ୍ୟ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ସହର ଉପକଣ୍ଠ ମାର୍ଶାଘାଇ ଥାନା ହାତିଆ-ହଜାରି ରାସ୍ତା ମଝିରେ ଆଜି ସକାଳ ପ୍ରାୟ ୯ଟା ବେଳେ ସର୍ବସମ୍ମୁଖରେ ଦୁର୍ବୃତ୍ତମାନେ ଜଣେ ଔଷଧ ଦୋକାନିଙ୍କୁ ଗୁଳିମାଡ଼ କରିଛନ୍ତି । ଗୁଳିକାଣ୍ଡର ଶିକାର ମଣିକୁଣ୍ଡାର ଗଗନ ସାହୁଙ୍କୁ ଗୁରୁତର ଆହତ ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଦୁର୍ବୃତ୍ତମାନେ ଗଗନଙ୍କ ଉପରକୁ ୮ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ତାଙ୍କ ମୁଣ୍ଡ, ବେକ, ପିଠି, ଆଣ୍ଠୁରେ ୩ଟି ଗୁଳି ବାଜିଥିଲା । ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଭିନ୍ନ କଥା ଆଲୋଚନା ହେଉଛି । ସ୍ଥାନୀୟ ଲୋକଙ୍କ କହିବା କଥା, ଦାବି ମୁତାବକ ଗଣେଶ ପୂଜା ଚାନ୍ଦା ନଦେବାରୁ ତାଙ୍କୁ ଗୁଳିମାଡ଼ କରି ହତ୍ୟା କରାଯାଇଛି । ପୁଣି ଆଉ କେତେଜଣ କହୁଛନ୍ତି, ନିଶା ଲାଗି ବ୍ୟବହାର କରାଯାଉଥିବା କଫ୍ ସିରପ୍ କୋରେr ପେଟି ମାଗି ନପାଇବାରୁ ଦୁର୍ବୃତ୍ତମାନେ ରାଗରେ ଅନ୍ଧ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି । ତେବେ ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ପୁଲିସ ଅନୁମାନ କରୁଛି କି ଗୁଳିକାଣ୍ଡ ଭୟଭୀତ କରିବାକୁ ହୋଇନଥିଲା । ବରଂ ଗଗନଙ୍କୁ ରାସ୍ତାରୁ ସମ୍ପୂର୍ଣ୍ଣ ହଟାଇବାକୁ ହୋଇଥିଲା ଏ ଯୋଜନା । ଖବର ପାଇ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ପ୍ରମୁଖଙ୍କ ସହ ମାର୍ଶାଘାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି ।
ମୃତ ଗଗନ ସାହୁ (୨୭)ଙ୍କ ଘର ମଣିକୁଣ୍ଡା ଗ୍ରାମରେ । ଆଜି ସକାଳେ ସେ ସବୁଦିନ ପରି ପାଖ ବଜାରରୁ ମାଛ ଆଣି ଘରେ ପଖାଳ ଭାତ-ମାଛ ଭଜା ଖାଇ ବାହାରିଥିଲେ କାମରେ । ତାଙ୍କର ମଣିକୁଣ୍ଡା ବଜାରରେ ଏକ ଔଷଧ ଦୋକାନ ରହିଛି । ଏଥିସହିତ ସେ ମେଡିସିନ୍ ରିପ୍ରେଜେଣ୍ଟେଣ୍ଟିଭ୍ (ଏମ୍ଆର୍) ଭାବେ ମଧ୍ୟ କାମ କରୁଥିଲେ । ପୁଣି କେତେବେଳେ କେମିତି ଠିକାଦାରି ବି କରୁଥିଲେ । ସେ ଘରୁ ବାହାରିବାଠାରୁ ହାତିଆ-ହଜାରି ରାସ୍ତା ଦେଇ ଯିବା ଭିତରେ ତାଙ୍କ ଉପରେ ନଜର ରଖିଥିଲେ ଦୁର୍ବୃତ୍ତ । ସକାଳ ପ୍ରାୟ ୯ଟା ବେଳେ ଗଗନ ତାଙ୍କ ବାଇକ୍ରେ ଘରୁ ହଜାରି ଛକ ଅଭିମୁଖେ ଆସୁଥିବା ସମୟରେ ଏକ ହିରୋ ଗ୍ଲାମର ବାଇକରେ ତାଙ୍କୁ ପିଛା କରୁଥିବା ୨ ଜଣ ଦୁର୍ବୃତ୍ତ ହାତିଆ-ହଜାରି ରାସ୍ତାର ନିରୋଳା ସ୍ଥାନ ଦେଖି ତାଙ୍କୁ ଗୁଳି କରିଥିଲେ । ଦୁର୍ବୃତ୍ତମାନେ ୮ ରାଉଣ୍ଡ ଗୁଳି ଚଳାଇଥିଲେ । ଗଗନଙ୍କ ଦେହରେ ୩ଟି ଗୁଳି ବାଜିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ, କିଛିଦିନ ତଳେ କେତେକ ଅସାମାଜିକ ଯୁବକ ତାଙ୍କୁ ଗୋଟେ ପେଟି କୋରେr ମାଗିଥିଲେ । ମାତ୍ର ସେ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଧମକ ଚମକ ଦେଉଥିଲେ । ଏପରିକି ଜୀବନ ନେଇଯିବୁ ବୋଲି ମଧ୍ୟ ଧମକ ଦେଇଥିଲେ । ଏହାଛଡ଼ା ଗଣେଶ ପୂଜା ଚାନ୍ଦା ଦେଇନଥିବା ଯୋଗୁଁ କେତେକ ଯୁବକଙ୍କ ସହ ତାଙ୍କର ବିବାଦ ହୋଇଥିଲା ବୋଲି କୁହାଯାଉଛି । ପୁଣି ଶତ୍ରୁତାର ଆଉ ଏକ ଦିଗ ହେଲା ଗତ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ରାଜେଶ ଓରଫ ରାଜା ମୁଦୁଲି ଗଗନଙ୍କ ବନ୍ଧୁ । ତାଙ୍କ ସହ ଗଗନ ବସାଉଠା କରୁଥିଲେ । ଅଗଷ୍ଟ ୧୪ରେ ଦୁର୍ବୃତ୍ତମାନେ କଳପଡ଼ା ପୋଲ ପାଖରେ ପାଟକୁରା ଥାନା ମାର୍ଶାଘାଇ ବ୍ଲକ୍ ବଛରାଇର ରାଜେଶ ମୁଦୁଲି ଏବଂ ଅଙ୍ଗୁଳାଇ-ବରେଇର ବିନୋଦ ସାହୁଙ୍କୁ ଗୁଳି କରିଥିଲେ । ସେମାନେ ତାଙ୍କର ଅନ୍ୟ ଜଣେ ସହଯୋଗୀ କଜଳାର ରଞ୍ଜନ ଭୂୟାଁଙ୍କ ସହ ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଦୁର୍ବୃତ୍ତମାନେ ଅଚାନକ ଗୁଳି କରି ଫେରାର ହୋଇଯାଇଥିଲେ । ଏହି ଗୁଳିକାଣ୍ଡକୁ ମାସେରୁ ଅଧିକ ସମୟ ପୂରିଯାଇଥିଲେ ବି ଅଦ୍ୟାବଧି ଅପରାଧୀ ଧରାପଡ଼ି ନାହାନ୍ତି । ତା’ର ମାସକ ଆଗରୁ ଜୁଲାଇ ୧୩ରେ ସଦର ଥାନା ଗୁଲନଗର ହାଇସ୍କୁଲ ଛକ ପାଖରେ ଦୁର୍ବୃତ୍ତମାନେ ତିନିମୁହାଣି ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ । ଏହି ୩ଟି ଗୁଳିକାଣ୍ଡ ଘଟଣାର ପରସ୍ପର ସହ ଲିଙ୍କ୍ ଥିବା କୁହାଯାଉଛି । କେଉଁଠି ନା କେଉଁଠି କିଛି ଉହ୍ୟ ରହିଯାଇଛି ଯାହାକୁ ପୁଲିସ ଭେଦ କରିପାରୁନି । ଗଣେଶ ପୂଜା ଚାନ୍ଦା, କୋରେr ପେଟି ମାଗି ନପାଇବାରୁ ଏ ଗୁଳିକାଣ୍ଡ ଘଟିଛି ଅଥବା ପୂର୍ବ ଶତ୍ରୁତାରୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନି । ତେବେ ଆମେ ତଦନ୍ତର ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଉଛୁ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons