ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ । ପୁଲିସ ଏଠି ଅପରାଧୀଙ୍କ ସହ ବନ୍ଧୁ ବାନ୍ଧିଛି । ବିଜେଡି ସରକାରଙ୍କ ଶାସନ କାଳ ଯେତିକି ବଢ଼ି ବଢ଼ି ଚାଲିଛି, ରାଜ୍ୟରେ ଅପରାଧର ମାତ୍ରା ସେତିକି ବଢୁଛି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ । ମାତ୍ର ବିଭାଗରେ କ’ଣ ହେଉଛି ସେ ବୁଝୁନାହାନ୍ତି । ବର୍ଷକୁ ବର୍ଷ ଅପରାଧର ହାର ବଢ଼ୁଛି, ଦଣ୍ଡବିଧାନ କମୁଛି । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ରାଜ୍ୟରେ ଦିନକୁ ୭ ଧର୍ଷଣ, ୪ ହତ୍ୟା ହେଉଛି । ପୁଲିସ ସରକାରଙ୍କ ହାତବାରିସୀ ସାଜିଛି । ସବୁ ବ୍ଲକରେ ବେଧଡକ ପିସି କାରବାର ଚାଲିଛି ।
ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଏମିତି ଅଭିଯୋଗ କରିଛନ୍ତି ବିରୋଧୀ । ସରକାରଙ୍କ ମୁଣ୍ଡରେ ପାପ ବୋଳି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଲେ, ଏବେ ସରକାର ‘ ୫ ଟି’ ରୁଦ୍ରାକ୍ଷ ଧରି ଜପୁଛି । ମାତ୍ର ଅପରାଧୀଙ୍କୁ ଧରିପାରୁନି । କୁନ୍ଦୁଲି ମାମଲାରେ ଦୋଷୀ ଖସିଗଲେ । ନାବାଳିକାଙ୍କୁ ଧର୍ଷଣ କରିଥିବା ଅଭିଯୁକ୍ତ ଧରାପଡ଼ିଲେନି । ବଡ଼ବଡ଼ିଆଙ୍କ ଚାପରେ ରିପୋର୍ଟ ବଦଳିଗଲା ।
ଶ୍ରୀ ନାଏକ କହିଲେ, ଓଡ଼ିଶାରେ ଅପରାଧର ମାତ୍ରା ଦ୍ରୁତ ବଢ଼ୁଛି । ୨୦୧୦ରେ ବର୍ଷକୁ ୧୩୦୮ ଟି ମର୍ଡର ହୋଇଥିଲା । ମାତ୍ର ଚଳିତ ବର୍ଷ ଏପ୍ରିଲ ଓ ମେ’ ଦୁଇ ମାସରେ ୫୬୩ଟି ମର୍ଡର ହୋଇଛି । ଧର୍ଷଣ ସଂଖ୍ୟା ମଧ୍ୟ ୯୩୭ ଛୁଇଁଛି । ୨୦୧୦ରେ ମୋଟ ଅପରାଧ ସଂଖ୍ୟା ୬୮ ହଜାର ୫୦୮ ଥିଲା ବେଳେ ୨୦୧୮ରେ ବାର୍ଷିକ ଅପରାଧ ସଂଖ୍ୟା ୧ ଲକ୍ଷ ୭୪ ହଜାର ଡେଇଁଛି । ପିପିଲି ଓ କୁନ୍ଦୁଲି ଘଟଣା ରାଜ୍ୟ ପାଇଁ ଥିଲା ଭିନ୍ନ ଘଟଣା । ମଦ ପାଇଁ ଅପରାଧର ମାତ୍ରା ବଢ଼ିଛି । ମାତ୍ର ସରକାର ପୁଣି ମଦର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି । ରାଜ୍ୟରେ ଆଉ କେତେ ଝିଅ, ବୋହୂ ଧର୍ଷଣର ଶିକାର ହେବେ? ଯାଜପୁର ହରିଦାସପୁରରେ ସିରିଏଲ ମର୍ଡର ହେଉଛି । ସ୍ମିତାରାଣୀଙ୍କୁ ଧର୍ଷଣ ସହ ମର୍ଡର କରାଗଲା । ଜଣେ ଅଫିସରଙ୍କୁ ମର୍ଡର କରାଯାଇଛି । ରଙ୍ଗଶାଳା ନିର୍ମାଣକୁ କିଏ ଅନୁମତି ଦେଲା? ସେଠାରେ ଥିବା ସିସିଟିଭି ଗଲା କୁଆଡେ଼? ସରକାର କାହିଁକି ଏ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଡରୁଛନ୍ତି? କଟକ-ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଗୁଳି ଫୁଟୁଛି । ନକ୍ସଲଙ୍କ ଉପଦ୍ରବ ବଢ଼ିଛି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ଶ୍ରୀ ନାଏକ ଅଭିଯୋଗ କରିଥିଲେ ।
କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଲେ, ରାଜ୍ୟରେ ଆଉ ଗଣତନ୍ତ୍ର ଶାସନ ନାହିଁ । ଗୃହ ବିଭାଗ ସଂପର୍କିତ ପ୍ରଶ୍ନ କଲେ ଉତ୍ତର ମିଳୁଛି, ତଥ୍ୟ ସଂଗ୍ରହ ଚାଲିଛି । ମୁଖ୍ୟମନ୍ତ୍ରୀ ଏ ପଟେ ୫-ଟି କଥା କହୁଛନ୍ତି, ସେପଟେ ସବୁ ବ୍ଲକରେ ପିସି କାରବାର ବେଧଡ଼କ ଚାଲିଛି । ଲୋକମାନେ ନାହିଁନଥିବା ହଇରାଣ ହେଉଛନ୍ତି । ରାଜ୍ୟରେ ଦଳିତ ଅତ୍ୟାଚାର ବଢ଼ିଛି । ଦଣ୍ଡବିଧାନ ହାର ମାତ୍ର ୩.୨ଧ ପ୍ରତିଶତ । ଦଳିତମାନେ ଅଧିକ ଶୋଷିତ ଓ ନିର୍ଯାତିତ ହେଉଛନ୍ତି । ଜନଜାତି ମାମଲାରେ ତ ସରକାର ରେକର୍ଡ କରିଛନ୍ତି । ଜନଜାତି ନିର୍ଯାତନାରେ ଦଣ୍ଡବିଧାନ ହାର ଶୂନ ପ୍ରତିଶତ । ୩,୩୪୫ ମାମଲା ବିଚାରଧୀନ ରହିଛି । ମହିଳା ହିଂସା ମାମଲାରୁ ୯୪.୭ଧ ବିଚାର ନହୋଇ ପଡ଼ି ରହିଛି । ସ୍ମିତାରାଣୀ ମାମଲାରେ ଏତଲକାରୀ କହୁଛନ୍ତି, ମୋତେ ଏଭଳି ଲେଖିବା ପାଇଁ ବାଧ୍ୟ କରାଯାଇଛି । ତେଣୁ ଏହାର ତଦନ୍ତ ହେବା ଦରକାର । ବିରୋଧୀ ଦଳ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ତେଣୁ ସିବିଆଇ ତଦନ୍ତ ସୁପାରିଶ କରିବାରେ ଅସୁବିଧା କେଉଁଠି? କୁନ୍ଦୁଲି ଘଟଣାରେ ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ବଲାଙ୍ଗୀରରେ ୪୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ହୋଇଛି । ମାତ୍ର ଏ ପ୍ରସଙ୍ଗରେ ସରକାର ଚୁପ୍ ବସିଛନ୍ତି । ଭୁବନେଶ୍ୱରରେ ଜଣେ ବିଜେଡି ନେତାଙ୍କୁ ହୋଟେଲ କରିବା ପାଇଁ ୫ ଏକର ଜମି ଦିଆଯାଇଥିଲା । ସେଥିରୁ ସାଢେ଼ ୪ ଏକର ଜମି ପଡ଼ିଆ ପଡ଼ିଛି । ତଥାପି କିଛି କାର୍ଯ୍ୟାନୁÂାନ ହେଉନି । ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ, ଏଭଳି ଅଭିଯୋଗ କରିଛନ୍ତି ନରସିଂହ ।
ଶାସକ ଦଳ ପକ୍ଷରୁ ବିଧାୟକ ଅମର ପ୍ରସାଦ ଶତପଥୀ କହିଲେ, ରାଜ୍ୟ ସରକାର କୌଣସି ମାମଲାରେ ଦୋଷୀଙ୍କୁ ଅନୁକମ୍ପା ଦେଖାଉନାହାନ୍ତି । କଠୋର ଦଣ୍ଡରେ ଦଣ୍ଡବିଧାନ କରାଯାଉଛି । ଅପରାଧ ନିୟନ୍ତ୍ରଣରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । ଗୃହ ବିଭାଗ କେବଳ ଆଇନ ଶୃଙ୍ଖଳା ନୁହଁ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ ସହଯୋଗ କରୁଛି । ନବକଳେବର ଭିଡ଼ ନିୟନ୍ତ୍ରଣ କରିବା ବଡ଼ ଚାଲେଞ୍ଜ ଥିଲା । ମାତ୍ର ଓଡ଼ିଶା ପୁଲିସ ଏଥିରେ ସଫଳ ହୋଇଥିଲା । ପଡେ଼ାଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ମଧ୍ୟପ୍ରଦେଶରେ ନାବାଳିକା ବିକ୍ରି ମାମଲା ହୋଇଥିବାବେଳେ ଓଡ଼ିଶାରେ ଏଭଳି ଗୋଟିଏ ବି ମାମଲା ନାହିଁ । କେନ୍ଦ୍ର ଆମକୁ ସବୁବେଳେ ପ୍ରଶଂସା କରି ଆସିଛି । ସ୍ମିତାରାଣୀ ମାମଲାରେ ପୁଲିସ ବିନା ଚାପରେ ତଦନ୍ତ କରୁଛି । ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ।
ଶାସକ ଦଳ ସଭ୍ୟ ପ୍ରଫୁଲ୍ଲ ସାମଲ କହିଲେ, ଆଗରୁ ଲୋକେ ଥାନାକୁ ଯିବାକୁ ଡରୁଥିଲେ, ଏବେ ସ୍ଥିତି ବଦଳିଛି । ପୁଲିସ ପ୍ରତି ଲୋକଙ୍କ ଆସ୍ଥା ଆହୁରି ବଢ଼ିଛି । ରାଜ୍ୟ ଗୁଇନ୍ଦା ବିଭାଗ ଚମକ୍ରାର କାମ କରୁଛି । ରାଜ୍ୟରେ ନକ୍ସଲ ହିଂସା କମିଛି । ଏଥର ସାଧାରଣ ନିର୍ବାଚନକୁ ଶାନ୍ତିଶଙ୍ଖଳାର ସହ ପରିଚାଳନା କରାଯାଇଛି । ଉପକୂଳ ଓଡ଼ିଶାର ସୁରକ୍ଷା ପାଇଁ ତପôରତା ବଢ଼ିଛି । ୧୮ଟି ସାମୁଦ୍ରିକ ଥାନା କରାଯାଇଛି । ଦ୍ରୁତ ଇଣ୍ଟରସେପ୍ଟର ଯୋଗାଇ ଦିଆଯାଇଛି ।
ଅପରପକ୍ଷରେ ବିରୋଧୀ ଦଳ ପକ୍ଷରୁ ବିଜେପି ବିଧାୟକ ସୁକାନ୍ତ ନାୟକ ସ୍ମିତାରାଣୀ ମୃତୁ୍ୟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଆକ୍ରମଣ କରିଥିବାବେଳେ ବିଧାୟକ ସନାତନ ବିଜୁଳି ଲୁଟ୍, ରାହାଜାନି ବଢ଼ିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ବି୍ରଟିଶ ଅମଳରେ ଥାନାରେ ଯେତିକି କର୍ମଚାରୀ ଥିଲେ, ଏବେ ବି ସେତିକି । ଭିଜିଲାନ୍ସ ବିଭାଗ ପୂରା ଦୁର୍ବଳ ଅବସ୍ଥାରେ ଅଛି । ସ୍ୱରାଷ୍ଟ୍ର ବିଭାଗ ପାଇଁ ସ୍ୱତନ୍ତ୍ର ଅର୍ଥ ଆବଶ୍ୟକ । କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ଗୃହ ବିଭାଗ ପାଇଁ ଅଧିକ ଅନୁଦାନ ଆସୁଥିଲା । ମାତ୍ର କେନ୍ଦ୍ରରେ ବିଜେପି ସରକାର ଆସିବା ପରେ କେତେ ବାଟାଲିଅନ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ହେବା ଦରକାର । ମାତ୍ର ବିଳମ୍ବରେ ସରକାରଙ୍କ ଚେତା ପଶୁଛି । ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, ରାଜ୍ୟରେ ଦଳିତମାନଙ୍କ ପ୍ରତି ଅତ୍ୟାଚାର ମାମଲାରେ ଦଣ୍ଡବିଧାନ ହାର କମ୍ ରହିଛି । ସୁରକ୍ଷା ଦୃଷ୍ଟିକୋଣରୁ ଯାଞ୍ଚ୍ କଡ଼ାକଡ଼ି ହେବା ଦରକାର ।
ଶାସକ ଦଳ ପକ୍ଷରୁ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ବିଧାୟକ ରମେଶ ବେହେରା, ଅଶ୍ୱିନୀ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉତ୍ତର ରଖିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ । ଏହା ପରେ ୨୦୧୯-୨୦ ପାଇଁ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ବାଚନିକ ଭୋଟରେ ଗୃହୀତ ହୋଇଥିଲା ।
Comments are closed, but trackbacks and pingbacks are open.