ରାଞ୍ôଚ: ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଏକ ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଆଜି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବିଚାରପତି ଅପରେଶ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ଅମାନତ ଜମା ସହିତ ଲାଲୁଙ୍କୁ ଜାମିନ ଦେଇଛନ୍ତି । ଏହି ମାମଲାରେ ଲାଲୁଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦୧୭ ଡିସେମ୍ବରରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ । ଲାଲୁ ବିହାରର ମୁଖ୍ୟମନ୍ତ୍ରୀ ଥିଲା ବେଳେ ୧୯୯୧ରୁ ୧୯୯୪ ମଧ୍ୟରେ ଦେଓଘର ଟ୍ରେଜେରୀରୁ ଅନିୟମିତତା କରି ୮୯ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ କିଛିଦିନ ଲାଗି ଜାମିନ ପ୍ରଦାନ କରିବାକୁ ଲାଲୁ ହାଇକୋର୍ଟରେ ଆବେଦନ କରିଥିଲେ । ଗତବର୍ଷ ମେ ୧୧ ତାରିଖରେ ହାଇକୋର୍ଟ ତାଙ୍କୁ ୬ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଥିଲେ । ପରେ ଏହାକୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କିନ୍ତୁ ଏହାକୁ ପୁଣିଥରେ ବୃଦ୍ଧି କରିବା ଲାଗି ଲାଲୁ କରିଥିବା ଆବେଦନକୁ ହାଇକୋର୍ଟର ଅଗ୍ରାହ୍ୟ କରିଦେବା ସହ ତାଙ୍କୁ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଆତ୍ମସମର୍ପଣ ଲାଗି ନିର୍ଦ୍ଦେଶ ଦେଇଥିଲେ । ଦଣ୍ଡାଦେଶ ରଦ୍ଦ କରିବା ଲାଗି ଲାଲୁ ଅନେକଥର ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା । ଶେଷରେ ସେ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା ।


Comments are closed, but trackbacks and pingbacks are open.