ଗୋଟିଏ ସଙ୍ଗରୋଧ କେନ୍ଦ୍ରରୁ ୪୨ ପଜିଟିଭ୍

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲାରେ ସୋମବାର ଗୋଟିଏ ଦିନରେ ସର୍ବାଧିକ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ସବୁଠୁ ଚିନ୍ତାର କାରଣ ହୋଇଛି ଦାରିଙ୍ଗିବାଡ଼ି ବ୍ଲକ୍ର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେଣ୍ଟାଇନ୍ରେ ଥିବା ୪୨ ଜଣ ଏକାଥରକେ ପଜିଟିଭ୍ ଠାବ ହୋଇଛନ୍ତି । ଫଳରେ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ପାର୍ କରିଛି । ବର୍ତ୍ତମାନ ସୁଦ୍ଧା ଜିଲା୍ଲରେ ୭ ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ମୋଟ ୧୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏଯାବତ୍ ୩୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୧୦୭ ଜଣ ପଜିଟିଭ୍ ବ୍ୟକ୍ତି କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ରହିଛନ୍ତି ।
ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ସୋମବାର ଚିହ୍ନଟ ସମସ୍ତ କରୋନା ସଂକ୍ରମିତ ପୁରୁଷ । ସେମାନଙ୍କ ମଧ୍ୟରୁ ୪୭ ଜଣ ପ୍ରବାସୀ ଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି କ୍ୱାରେଣ୍ଟାଇଇନ୍ ସେଣ୍ଟର୍ର କର୍ମଚାରୀ । ଦାରିଙ୍ଗିବାଡ଼ି ବ୍ଲକ୍ କ୍ୱାରେଣ୍ଟାଇନ୍ ସେଣ୍ଟର୍ରେ ଥିବା ୪୧ ଜଣ ପ୍ରବାସୀ, ଏହି କେନ୍ଦ୍ରର ଜଣେ କର୍ମଚାରୀ ଏବଂ ଜି. ଉଦୟଗିରି ବ୍ଲକ୍ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପ୍ରବାସୀଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି ଜିଲ୍ଲା କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ୫ ଜଣ ପ୍ରବାସୀଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଏମାନଙ୍କ ମଧ୍ୟରୁ ୨୧ ଜଣ ତାମିଲନାଡୁରୁ, ୧୭ ଜଣ କେରଳ, ୬ ଜଣ ଗୁଜୁରାଟ, ୨ ଜଣ ଆନ୍ଧ୍ରପ୍ରଦେଶ ଓ ଜଣେ ତେଲେଙ୍ଗାନାରୁ କନ୍ଧମାଳ ଜିଲ୍ଲାକୁ ଫେରିଥିଲେ ।
ଅନ୍ୟପକ୍ଷରେ ରବିବାର ସୁଦ୍ଧା ଜିଲ୍ଲାକୁ ଫେରିଥିବା ୮,୪୬୧ ପ୍ରବାସୀଙ୍କ ମଧ୍ୟରୁ ୩,୯୫୮ ଜଣ କ୍ୱାରେଣ୍ଟାଇନ୍ ଅବଧି ସାରି ଘରକୁ ଫେରିଛନ୍ତି । ଅବଶିଷ୍ଟ ୪,୫୦୩ ଜଣ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ସେହିପରି ଜିଲ୍ଲାରୁ ପଠାଯାଇଥିବା ୨,୦୬୨ଟି ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୧୯୨୩ ରିପୋର୍ଟ ହସ୍ତଗତ ହୋଇଛି । ସେଥିମଧ୍ୟରୁ ୧୩୬ ପଜିଟିଭ୍ ଓ ୧୭୮୭ ରିପୋର୍ଟ ନେଗେଟିଭ୍ ଆସିଛି । ରବିବାର ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାରୁ ଜିଲ୍ଲାବାସୀ ଏଥିରେ ଭୟଭୀତ ହେବାର କିଛି ନାହିଁ ବୋଲି ଆଶ୍ୱାସନା ଦେଇଛି ଜିଲ୍ଲା ପ୍ରଶାସନ । ଅଞ୍ଚଳବାସୀ ଆତଙ୍କିତ ନହେବା ପାଇଁ ବ୍ଲକ୍ ପ୍ରଶାସନ ତରଫରୁ ମଧ୍ୟ ସଚେତନତା କରାଯାଉଛି ।
ଉଲ୍ଲେଖଯୋଗ୍ୟ- ଗତ ଚାରି ଦିନରେ ଜିଲ୍ଲାରେ ପ୍ରାୟ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଦାରିଙ୍ଗବାଡ଼ି ବ୍ଲକ୍ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ୍ ଚିହ୍ନଟ ପ୍ରବାସୀମାନେ ତାମିଲନାଡ଼ୁ, କେରଳ, ତେଲେଙ୍ଗାନା ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଫେରିଥିଲେ । ଚିହ୍ନଟ ସମସ୍ତଙ୍କୁ ଚିକିତ୍ସା ପାଇଁ ସଙ୍ଗରୋଧ କେନ୍ଦ୍ରରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons