ପିପିଲି/ବଳଙ୍ଗା, (ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ବଳଙ୍ଗା ଓ ପିପିଲି ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇବା ସହ ରବିବାର ମାତ୍ର ଘଣ୍ଟାକ ଭିତରେ ୩ ଜଣଙ୍କୁ ଦଳିଦେଇଛି । ଏହା ସହ ସଂଧ୍ୟାରେ ହାତୀ ଘଉଡ଼ାଇବା ବେଳେ ଆଉ ଜଣେ ବ୍ୟକ୍ତିଙ୍କୁ ଦନ୍ତା ଭୁସି ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଛି । ଏହି ଦନ୍ତା ଆକ୍ରମଣରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି । ହାତୀଟି ୪ ଜଣଙ୍କ ଜୀବନ ନେଇଥିବା ବେଳେ ଆଉ ୭ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କ୍ଷତାକ୍ତ କରିଛି । ମୃତକମାନେ ହେଲେ ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ(୫୯), ପିପିଲି ବ୍ଲକ୍ ଚନ୍ଦ୍ରାଦେଇପୁର ମାଟିଘରର ମକରା ପଲେଇ(୬୦), ରାଜତେଇର ଚୈତନ୍ୟ ସାହୁ (୪୧) ଏବଂ ଦୁର୍ଗାଦାସପୁର ପଞ୍ଚାୟତ ଅନ୍ତର୍ଗତ ଜମାଲପୁର ଗ୍ରାମର ଅଜୟ କୁମାର ନାୟକ(୪୫) । ସେହିପରି ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ଗୋପିନାଥପୁର ଗ୍ରାମର ହାଡ଼ିବନ୍ଧୁ ସାହୁ (୫୮) ଓ ବାବନ ପୃଷ୍ଟି(୫୨), ତେରହଳ ଗ୍ରାମର ଛବିଦେଇ (୪୮), ଚନ୍ଦ୍ରାଦେଇପୁର ଗ୍ରାମର କାଳିଆ ବେହେରା(୪୦) । ତେବେ ବନବିଭାଗ ଓ ପୁଲିସ ପକ୍ଷରୁ ହାତୀକୁ କାବୁ କରିବା ପାଇଁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନଥିବା ଜଣାଯାଇଛି । ପୁରୀ ଡିଏଫ୍ଓ ପ୍ରଶାନ୍ତ କୁମାର ସ୍ୱାଇଁ, ଗୋପ ରେଞ୍ଜର ବେଣୁଧର ବେହେରା, ବାଲିପାଟଣା ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସ, ବଳଙ୍ଗା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ, ପିପିଲି ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି । ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହା ସହ ଗୁରୁତର ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବାକୁ ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ବଳଙ୍ଗା ଓ ପିପିଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛି ।
ଖବରରୁ ପ୍ରକାଶ ଯେ, ଚନ୍ଦକା ଜଙ୍ଗଲର ଦନ୍ତା ‘ବାହୁବଳୀ’ ପ୍ରାୟ ସପ୍ତାହେ ହେବ ଖୋର୍ଦ୍ଧା ଡିଭିଜନକୁ ପଳାଇଥିଲା । ସେଠାରୁ ଗତକାଲି ଡେଲାଙ୍ଗ ଅଞ୍ଚଳରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲା । ଡେଲାଙ୍ଗ ରେଞ୍ଜ୍ କର୍ମଚାରୀ ଜାଣିଥିଲେ ମଧ୍ୟ ବାହୁବଳୀ ଉପରେ ନଜର ରଖି ନଥିଲେ । ଫଳରେ ସେ ରାତାରାତି ପ୍ରାୟ ୧୫ କି.ମି ରାସ୍ତା ଅତିକ୍ରମ କରି ପିପିଲି ଅଞ୍ଚଳକୁ ପଳାଇ ଆସିଥିଲା । ରବିବାର ଭୋର ପ୍ରାୟ ୫ଟା ସମୟରେ ଗୋପୀନାଥପୁର ଗ୍ରାମର ଯୁଗଳ ଶୌଚ ହେବାକୁ ନିକଟସ୍ଥ କେନାଲ ବନ୍ଧକୁ ଯାଇଥିଲେ । ସକାଳୁ ସକାଳୁ କୁହୁଡ଼ି ଥିବାରୁ ସେ ହାତୀକୁ ଦେଖି ପାରିନଥିଲେ । ହଠାତ୍ ହାତୀ ତାଙ୍କୁ ଗୋଡ଼ାଇବାରୁ ଯୁଗଳ ପାଖରେ ଥିବା ଏକ ବୁଦା ମୂଳରେ ଲୁଚିଯାଇଥିଲେ । ମାତ୍ର ହାତୀ ତାଙ୍କୁ ଶୁଣ୍ଢରେ ଭିଡ଼ି ଆଣି କଚାଡ଼ି ଦେଇଥିଲା । ଜୀବନ ବିକଳରେ ଯୁଗଳ ଚିକ୍ରାର କରୁଥିବା ବେଳେ ହାତୀଟି ତାଙ୍କୁ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଯୁଗଳଙ୍କ ସହ ଶୌଚ ହେବାକୁ ଯାଇଥିବା ସେହି ଗ୍ରାମର ହାଡ଼ିବନ୍ଧୁ ଓ ବାବନ ପୃଷ୍ଟିଙ୍କୁ ମଧ୍ୟ ଦନ୍ତା ଆକ୍ରମଣ କରିଥିଲା । ହାଡ଼ିବନ୍ଧୁଙ୍କୁ ହାତୀଟି ଶୁଣ୍ଡରେ ଟେକି ନେଇ ଏକ ବୁଦା ଭିତରକୁ ଫୋପାଡି ଦେଇଥିଲା । ତେବେ ବାବନ ନିଜ ଜୀବନ ରକ୍ଷା କରିବାକୁ ଯାଇ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । ବିଲକୁ ଆସୁଥିବା ସେହି ଗ୍ରାମର ଶଙ୍କର ପଢ଼ିହାରୀ ନାମକ ଜଣେ ଯୁବକ ଏ ସମସ୍ତ ଘଟଣା ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ପରେ ଗାଁ ଲୋକ ଆସି ଘଟଣାସ୍ଥଳରୁ ଯୁଗଳଙ୍କ ଶବ ଗାଁକୁ ଆଣିଥିଲେ । ସେଠାରୁ ହାତୀଟି ଭାର୍ଗବୀ ନଦୀ ପଠା ଦେଇ ମାଜିବେଗ ମାଟିଘର ଆଡ଼କୁ ମୁହାଁଇଥିଲା । ସେହି ସମୟରେ ତେରହଳ ଗ୍ରାମର ଛବି ଦେଈ ନଦୀରୁ ଗାଧୋଇ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ତଳେ ପକାଇ ଦଳି ଦେବାରୁ ତାଙ୍କ ଅଣ୍ଟା ଏବଂ ଛାତି ପଞ୍ଜରା ହାଡ଼ ଭାଙ୍ଗି ଯାଇଛି । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେହିଭଳି ସକାଳ ପ୍ରାୟ ସାଢେ଼ ୬ଟା ବେଳେ ଚନ୍ଦ୍ରାଦେଇପୁର ମାଟିଘରର ମକରା ପଲେଇ(୬୦) ବିଲରେ କାମ କରୁଥିଲା ବେଳେ ହାତୀଟି ତାଙ୍କୁ ଗୋଡ଼ାଇବାରୁ ସେ ବିଲ ପାଖରେ ଥିବା ବାଡ଼ରେ ଲୁଚି ଯାଇଥିଲେ । ତେବେ ହାତୀଟି ତାଙ୍କୁ ସେହିଠାରେ ଦଳିଦେବାରୁ ତାଙ୍କର ଅନ୍ତ ବୁଜୁଳା ବାହାରି ପଡିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ପରେ ହାତୀଟି ନିକଟସ୍ଥ ମୁଗ ବିଲରେ ଓøଷଧ ସିଞ୍ଚନ କରୁଥିବା ଚନ୍ଦ୍ରାଦେଇପୁରର କାଳିଆଙ୍କୁ ଆକ୍ରମଣ କରିଥିଲା । ମାତ୍ର କାଳିଆ କୌଣସି ପ୍ରକାରେ ହାତୀଠାରୁ ରକ୍ଷା ପାଇଯାଇଥିଲେ । ମାଟିଘର ସାହିରେ ମୃତୁ୍ୟର ବିଭୀଷିକା ଖେଳାଇ ହାତୀ ରାଜତେଇ ଅଭିମୁଖେ ଯାଇଥିଲା । ସେଠାରେ ଘରର ବାଡ଼ିପଟକୁ ଯାଇଥିବା ଚୈତନ୍ୟ ହାତୀ କବଳରେ ପଡ଼ିଯାଇଥିଲେ । ସମାନ ଢଙ୍ଗରେ ଦନ୍ତା ହାତୀଟି ଚୈତନ୍ୟଙ୍କ ଛାତିରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ମୃତୁ୍ୟର ତାଣ୍ଡବ ଖେଳାଇ ହାତୀଟି ପାଖରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ପାଗଳ ପ୍ରାୟ ବୁଲୁଥିବା ବେଳେ ସେଠାରେ ବାଲିପାଟଣା ବନବିଭାଗ, ପୁଲିସ୍ ଏବଂ ସ୍ଥାନୀୟ ଗ୍ରାମବାସୀ ଘେରି ରହିଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ଏବଂ ଦିନ ଦ୍ୱିପ୍ରହରରେ ବି ସମସ୍ତଙ୍କ ଘରେ ତାଟି କବାଟ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେହିଭଳି ସଂଧ୍ୟାରେ ଦୁର୍ଗାଦାସପୁର ପଞ୍ଚାୟତ ଜମାଲପୁର ଗାଁର ଅଜୟ କୁମାର ନାୟକ(୪୫) ଗ୍ରାମର ଅନ୍ୟମାନଙ୍କ ସହ ମିଶି ହାତୀ ଘଉଡ଼ାଉଥିବା ବେଳେ ଦନ୍ତାଟି ବୁଲିପଡ଼ି ତାଙ୍କୁ ଗୋଡ଼ାଇବା ସହ ଦାନ୍ତରେ ତାଙ୍କ ପେଟକୁ ଭୁସି ଦେଇଥିଲା । ଫଳରେ ଦାନ୍ତଟି ତାଙ୍କ ପେଟରେ ଫୁଟି ପିଠି ପଟେ ବାହାରି ପଡ଼ିଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଦନ୍ତା ଆକ୍ରମଣରେ ମୃତୁ୍ୟକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ବନବିଭାଗକୁ ସିଧାସଳଖ ଦାୟୀ କରିଛନ୍ତି । ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୪୦ ହଜାର ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ଚିକିତ୍ସା ନିମନ୍ତେ ସେମାନଙ୍କ ପରିବାର ଲୋକଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରାଥମିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ଶେଷ ଖବର ଅନୁଯାୟୀ ହାତୀଟି ଡେଲାଙ୍ଗ ଆଡ଼କୁ ମୁହାଁଉଥିବାରୁ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରି ଲୋକମାନଙ୍କୁ ରାତିରେ ବାହାରକୁ ନ ବାହାରିବା ପାଇଁ ସତର୍କ ସୂଚନା ଦେଇଛନ୍ତି । ସଂପ୍ରତି ଦନ୍ତା ଆକ୍ରମଣକୁ ନେଇ ପିପିଲି, ବଳଙ୍ଗା ଓ ଡେଲାଙ୍ଗ ଅଞ୍ଚଳର ପ୍ରାୟ ୩୦ଟି ଗ୍ରାମର ଲୋକେ ଆତଙ୍କିତ ହୋଇ ପଡ଼ିଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.