ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଅପରାଧୀମାନେ ପୁଲିସ୍କୁ ଭୟକରୁ ନାହାନ୍ତି । ପୁଲିସ୍ ଉପସ୍ଥିତିରେ ଆତଙ୍କ ଖେଳାଉଛନ୍ତି । ମଙ୍ଗବାର ଏମିତି ଘଟଣା ଦେଖିବାକୁ ମିଳିଛି ବଡ଼ଗଡ଼ ଥାନା ଅଞ୍ଚଳରେ । ପୂର୍ବ ବିବାଦକୁ କେନ୍ଦ୍ର କିଛି କୁଖ୍ୟାତ ଅପରାଧୀ ଖଣ୍ଡା ଧରି ବିଏମ୍ସି ଅଫିସ୍ ଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଗୌତମନଗରର ମଣ୍ଟୁ ମହାନ୍ତି ଓ ରାଜ କିଶୋର ରାୟ । ଏମାନଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଏନେଇ ବଡ଼ଗଡ଼ ଥାନା ପୁଲିସ୍ ବିଭିନ୍ନ ଆଡେ଼ ଚଢ଼ଉ ଆରମ୍ଭ କରିଛି ।
ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଗୌତମନଗରର ମଣ୍ଟୁ ବିଏମ୍ସି ଅଫିସ୍ ନିକଟରେ ଏକ ପରିବା ଦୋକାନ କରିଛନ୍ତି । ସେଠାରେ ଅନେକ ସମୟ ବସାଉଠା କରନ୍ତି ତାଙ୍କ ସାଙ୍ଗ ରାଜକିଶୋର । ତେବେ ପୂର୍ବରୁ କୌଣସି କାରଣକୁ ନେଇ ପାଖ ବସ୍ତିର ପ୍ରକାଶ ଓ ରାମାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା । ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ପ୍ରକାଶ, ରାମା ଓ ଅନ୍ୟ ଜଣେ ଯୁବକ ପହଞ୍ଚିଥିଲେ ବିଏମ୍ସି ଅଫିସ୍ ନିକଟରେ । ରାସ୍ତାରେ ଗାଡ଼ି ମୋଟର ଜାମ୍ । ଏହି ସମୟରେ ପ୍ରକାଶ ୩ ଫୁଟିଆ ଖଣ୍ଡା ବାହାର କରି ମଣ୍ଟୁକୁ ହାଣିବାରେ ଲାଗିଲା । ଏହା ଦେଖି ବାଟରେ ଯାଉଥିବା ଲୋକ ଭୟରେ ବାଇକ୍ ଛାଡି ଧାଇଁଥିଲେ । ମଣ୍ଟୁ ରାସ୍ତାରେ ପଡି ଛଟପଟ ହେଉଥିଲେ । ପ୍ରକାଶ, ରାମା ସେଠାରୁ ଖଣ୍ଡା ଧରି ବାଇକ୍ରେ ଆସି ପହଞ୍ଚିଥିଲେ କଳ୍ପନା ଛକ ଠାରୁ କିଛି ଦୂରରେ ଥିବା ହୋଟେଲ୍ ଫର୍ଚୁନ୍ ପାଖରେ । ସେଠାରେ ବସିଥିଲେ ରାଜକିଶୋର । ଏମାନେ ମିଶି ତାଙ୍କୁ ମଧ୍ୟ ହାଣି ଚାଲିଲେ । ଏହା ଦେଖି ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ । ରକ୍ତରେ ଜୁଡୁବୁଡୁ ହୋଇ ରାଜକିଶୋର ତଳେ ପଡ଼ି ଚେତା ହରାଇଲେ । ତଥାପି ଅପରାଧୀମାନେ ସେଠାରୁ ନ ଯାଇ ବାଟରେ ଯାଉଥିବା ଲୋକଙ୍କୁ ଭୟଭୀତ କରାଇଥିଲେ । ଖବର ପାଇ ପୁଲିସ୍ ପହଞ୍ଚି ଉଭୟଙ୍କୁ ହସ୍ପିଟାଲ୍ ପଠାଇଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଆଡେ ଚଢ଼ଉ କରୁଛି ପୁଲିସ୍ । ଅପରାଧୀମାନେ ଖଣ୍ଡା ଧରି ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କ ଖେଳାଉଥିବାରୁ ରାଜଧାନୀର ଆଇନଶୃଙ୍ଖଳା ପ୍ରତି ଜନସାଧାରଣ ଅଙ୍ଗୁଳି ନିଦେ୍ର୍ଧଶ କରିଛନ୍ତି ।
Comments are closed, but trackbacks and pingbacks are open.