ଜୟପୁର: ବିନା ପ୍ଲାଣ୍ଟେସନରେ ସୃଷ୍ଟି ହୋଇଛି ଜଙ୍ଗଲ । ଏକର କି ଦୁଇ ଏକର ନୁହଁ । ପୂରା ୩୫୫ ହେକ୍ଟର ଜମିରେ ସୃଷ୍ଟି ହୋଇଛି ଜଙ୍ଗଲ । ଜଙ୍ଗଲ ସୃଷ୍ଟି କରିବାକୁ ପ୍ଲାଣ୍ଟେସନର ଆବଶ୍ୟକ ନାହିଁ । ଛୋଟଛୋଟ ଗଛକୁ ନ କାଟି ରକ୍ଷଣାବେକ୍ଷଣ କଲେ କିଛି ବର୍ଷ ପରେ ଆପେ ଆପେ ଜଙ୍ଗଲ ସୃଷ୍ଟି ହୋଇଯିବ । ଫାମ୍ପୁଣି ପଞ୍ଚାୟତର ଫାମ୍ପୁଣି, ଗୌଡ଼ଗୁଡ଼ା ଓ ଦିର୍ବିଗୁଡ଼ାରେ ଏଭଳି ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରାଯାଇଥିବା ଗ୍ରାମବାସୀ କହିଛନ୍ତି । ତେବେ ବନବିଭାଗର କୌଣସି ଅଧିକାରୀ ଆଜି ପର୍ଯ୍ୟନ୍ତ ସହାୟତା କରିବାକୁ ଆଗେଇ ଆସି ନାହାନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ ଗାଁ ଲୋକଙ୍କ ସହଯୋଗରୁ ଜଙ୍ଗଲ ସଂରକ୍ଷଣ କରାଯାଇପାରିଛି । ପରିବେଶ ସନ୍ତୁଳନ ସହ କେତେକ ପରିବାର ଏଥିରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ଚଳୁଛନ୍ତି । ସରକାରଙ୍କ ଉପରେ ନିର୍ଭର ନ କରି ନିଜ ନିଜ ଗାଁ ନିକଟରେ ଜଙ୍ଗଲ ସୃଷ୍ଟି କରିବା ଦରକାର । ଯାହା ଭବିଷ୍ୟତରେ ସମସ୍ତଙ୍କ କାମରେ ଆସିବ । ଜଙ୍ଗଲ ସୃଷ୍ଟି କରିବାକୁ ପ୍ଲାଣ୍ଟେସନର ଆବଶ୍ୟକ ନାହିଁ । ନିଜ ନିଜ ଅଞ୍ଚଳରେ ଥିବା ଖାଲି ସ୍ଥାନକୁ ଯଦି ରକ୍ଷଣାବେକ୍ଷଣ କରାଯାଏ, କିଛି ବର୍ଷ ପରେ ତାହା ଜଙ୍ଗଲରେ ପରିଣତ ହୋଇଯିବ । ପକ୍ଷୀମାନେ ବିଭିନ୍ନ ଫଳ ଖାଇ ପକାଇଥାନ୍ତି । ବର୍ଷା ହେଲେ ଏହି ଫଳରୁ ଗଛ ସୃଷ୍ଟି ହୋଇଥାଏ । ତାଙ୍କ ଗାଁ ନିକଟରେ ଏଭଳି ଭାବେ ଜଙ୍ଗଲ ସୃଷ୍ଟି ହୋଇପାରିଛି । ବାପା ଜେଜେବାପାଙ୍କ ଅମଳରୁ ଏହି ଜଙ୍ଗଲ ରହିଛି । କେହି ଏଥିରେ ପ୍ଲାଣ୍ଟେସନ କରିନାହାନ୍ତି । କେବଳ ରକ୍ଷଣାବେକ୍ଷଣ କରାଯିବା ଦ୍ୱାରା ଜଙ୍ଗଲ ସୃଷ୍ଟି ହୋଇପାରିଛି । ଏଥିରେ ଶାଳ, ପିଆଶାଳ, ମହୁଲ, ଚାକୁଣ୍ଡା, ବାଉଁଶ ସହ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରହିଛି । ଏହାର ରକ୍ଷଣାବେକ୍ଷଣ ଓ ତଦାରଖ କରିବାକୁ ୧୧ ଜଣିଆ କମିଟି ଗଠନ କରାଯାଇଛି । ନିୟମିତ ବ୍ୟବଧାନରେ କମିଟିର କର୍ମକର୍ତ୍ତା ବଦଳାଯାଉଛି । କମିଟି ପକ୍ଷରୁ ଗାଁର ୪ଜଣ ବ୍ୟକ୍ତିଙ୍କୁ ଜଙ୍ଗଲ ଜଗିବାକୁ ନିଯୁକ୍ତି ଦିଆଯାଇଛି । ମାସକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩ ହଜାର ଟଙ୍କା ପାରିଶ୍ରମିକ ଦିଆଯାଉଛି । ବର୍ଷକୁ ପ୍ରତ୍ୟେକ ପରିବାରଙ୍କ ଠାରୁ ୨୦୦ ଟଙ୍କା ଆଦାୟ ହେଉଛି । ଆଦାୟ ହେଉଥିବା ଏହି ଟଙ୍କାରେ ଜଗୁଥିବା ବ୍ୟକ୍ତିଙ୍କୁ ପାରିଶ୍ରମିକ ଦେବା ସହ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯାଉଥିବା ଗ୍ରାମବାସୀ କହିଛନ୍ତି । ଏହି ଜଙ୍ଗଲରୁ ଶାଳପତ୍ର ଓ ଦାନ୍ତକାଠି ସଂଗ୍ରହ କରି ଅନେକ ଗରିବ ପରିବାର ବଞ୍ଚୁଛନ୍ତି । କାହାର ବିବାହ କିମ୍ବା କୌଣସି ଉତ୍ସବ ପାଇଁ କାଠ ଦରକାର ପଡିଲେ ଜଙ୍ଗଲରୁ ନେଇପାରିବେ । କିନ୍ତୁ ଏଥିପାଇଁ କମିଟି ନିକଟରେ ଆବେଦନ କରିବାକୁ ପଡିବ । କମିଟି ଅନୁମତି ଦେବା ପରେ ହିଁ କାଠ ନେଇପାରିବେ । ଏହାକୁ ସମସ୍ତେ ମାନି ଚଳୁଛନ୍ତି । କେହି ବି କମିଟିର ଅଜଣାତରେ କାଠ ନେଉ ନାହାନ୍ତି । ଯେହେତୁ ଗ୍ରାମବାସୀଙ୍କ ସହଯୋଗ ରହିଛି, ଏଥିପାଇଁ ଅନ୍ୟ ଅଞ୍ଚଳ ଭଳି ଜଙ୍ଗଲ ନଷ୍ଟ ହେଉ ନାହିଁ । ଏହି ଜଙ୍ଗଲକୁ ଲାଗି ୫୦ରୁ ୬୦ ଏକର ଅଲଗା ଜମି ରହିଛି । ଏହାର ମାପଚୁପ ପାଇଁ କମିଟି ପକ୍ଷରୁ ଲିଖିତ ଭାବେ ତହସିଲଦାରଙ୍କୁ ଦିଆଯାଇଛି । ମାପଚୁପ ହେବା ପରେ ସେଠାରେ ମଧ୍ୟ ଜଙ୍ଗଲ ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି । ସରକାରଙ୍କ ପକ୍ଷରୁ ସେମିତି କିଛି ପ୍ରୋତ୍ସାହନ ନାହିଁ । ବନବିଭାଗ ପକ୍ଷରୁ କିଛି ସହୟତା ମିଳିଥିଲେ ଅଧିକ ଉନ୍ନତି କରାଯାଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।
ରିପୋର୍ଟ :ବାସୁଦେବ ଜେନା
Comments are closed, but trackbacks and pingbacks are open.