ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ରାଜ୍ୟରେ ସରକାର ଗଠନ ନେଇ ଦାବି ଜଣାଇବା ଲାଗି ଶିବସେନା ୩ ଦିନ ସମୟ ମାଗିଥିଲା । ରାଜ୍ୟପାଳ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏହାପରେ ସରକାର ଗଢ଼ିବା ପାଇଁ ଏନ୍ସିପିକୁ ଡକରା ଆସିଛି । ଦାବି ଜଣାଇବା ଲାଗି ଏନ୍ସିପିକୁ ୨୪ ଘଣ୍ଟାର ମହଲତ ମିଳିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ କରିବାକୁ କୁହାଯାଇଛି । ରାଜ୍ୟ ରାଜନୀତିରେ ଯଦି ଏହିଭଳି ସ୍ଥିତି ଜାରି ରହେ, ତେବେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ଆଜି ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପ୍ରଥମେ ଶିବସେନା ନେତା ଆଦିତ୍ୟ ଠାକରେ, ବିଧାୟକ ଦଳ ନେତା ଏକନାଥ ସିନେ୍ଦ ଓ ବରିÂ ନେତା ବିନାୟକ ରାଉତ ସନ୍ଧ୍ୟାରେ ରାଜ୍ୟପାଳ ଭଗତ୍ ସିଂହ କୋଶ୍ୟାରିଙ୍କୁ ରାଜଭବନରେ ଭେଟିଥିଲେ । ଶିବସେନା ସରକାର ଗଢ଼ିବାକୁ ଚାହେଁ ବୋଲି ସେମାନେ ଜଣାଇଥିଲେ । ତେବେ ଅଧିକ ବିଧାୟକଙ୍କ ସମର୍ଥନ ହାସଲ ପାଇଁ ଆଉ ୩ ଦିନ ସମୟ ଦରକାର ବୋଲି ସେମାନେ କହିଥିଲେ । କିନ୍ତୁ ରାଜ୍ୟପାଳ ତାହାକୁ ଅଗ୍ରାହ୍ୟ କରିଦେଇଛନ୍ତି । ରବିବାର ଦିଆଯାଇଥିବା ମହଲତ ଆଜି ଶେଷ ହୋଇଥିବାରୁ ଆଉ ସମୟ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।
ରାଜ୍ୟପାଳଙ୍କୁ ଭେଟିବା ପରେ ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି, ସରକାର ଗଢ଼ିବା ନେଇ ଆମେ ଇଚ୍ଛା ଜାହିର କରିଛୁ । କିନ୍ତୁ ଅନ୍ୟ ଦଳ ସହ ଆଲୋଚନା ଚାଲିଥିବାରୁ ଆଉ ୭୨ ଘଣ୍ଟା ଅଧିକ ସମୟ ମାଗିଥିଲୁ । ଯଦିଓ ଆମକୁ ଅଧିକ ସମୟ ମିଳିନାହିଁ, ଆମ ଦାବିକୁ ଅଗ୍ରାହ୍ୟ କରାଯାଇ ନାହିଁ । ତେଣୁ ସରକାର ଗଠନ ପାଇଁ ଉଦ୍ୟମ ଜାରି ରହିବ । ଦଳଗୁଡ଼ିକର ସମର୍ଥନ ପତ୍ର ଧରି ଶିବସେନା ଦାବି ଉପସ୍ଥାପନ କଲେ ରାଜ୍ୟପାଳ ତାହାକୁ ସ୍ୱୀକାର କରିପାରନ୍ତି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ଶିବସେନାକୁ ସମର୍ଥନ ଜଣାଇବା ବାବଦରେ ସହଯୋଗୀ ଏନ୍ସିପି ସହିତ ଅଧିକ ଆଲୋଚନା କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଏ ନେଇ ସୂଚନା ଦେଇ କହିଛନ୍ତି, ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । ଦଳ ଏନ୍ସିପି ସହ ଅଧିକ ଆଲୋଚନା କରିବାକୁ ଚାହେଁ । ମଙ୍ଗଳବାର ଦଳ ଏହାର ଆଭିମୁଖ୍ୟ ଜଣାଇପାରେ ।
ଉଲ୍ଲେଖଥାଉ କି ସରକାର ଗଢ଼ିବା ପାଇଁ ଶିବସେନାକୁ ସମର୍ଥନ ଜଣାଇବ ବୋଲି ଏନ୍ସିପି ପ୍ରଥମେ ସମ୍ମତି ଜଣାଇଥିଲା । ଏହାପରେ କଂଗ୍ରେସର ସମର୍ଥନ ହାସଲ ପାଇଁ ଶିବସେନା ଅଣ୍ଟା ଭିଡ଼ିଥିଲା । ଏନ୍ସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଫୋନ୍ କରି ସମର୍ଥନ ମାଗିଥିଲେ । ଏହାପରେ ଦିଲ୍ଲୀରେ ସୋନିଆଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକାଧିକ ବୈଠକ ବସି ମାନସମନ୍ଥନ ଚାଲିଥିଲା । ଶେଷରେ ଶିବସେନାକୁ ସମର୍ଥନ ଜଣାଇବା ନେଇ ଏନ୍ସିପି ସହ ଅଧିକ କଥାବାର୍ତ୍ତା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ସର୍ବାଧିକ ୧୦୫ ଆସନ ପାଇଥିବାରୁ ପ୍ରଥମେ ରାଜ୍ୟପାଳ କୋଶ୍ୟାରି ବିଜେପିକୁ ସରକାର ଗଢ଼ିବା ପାଇଁ ଶନିବାର ଆମନ୍ତ୍ରଣ କରିଥିଲେ । କିନ୍ତୁ ବିଜେପି ସରକାର ଗଢ଼ିବା ସ୍ଥିତିରେ ନାହିଁ ବୋଲି ଜଣାଇଥିଲା । ଏନ୍ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢ଼ିପାରିବ ବୋଲି ଦଳ କହିଥିଲା । ଏହାପରେ ଦ୍ୱିତୀୟ ବୃହତ୍ ଦଳ ଭାବେ ଶିବସେନାକୁ ରବିବାର ରାଜଭବନରୁ ଡକରା ଆସିଥିଲା । ସୋମବାର ସନ୍ଧ୍ୟା ସାଢେ଼ ୭ଟା ସୁଦ୍ଧା ସ୍ଥିତି ସ୍ପଷ୍ଟ ପାଇଁ କୁହାଯାଇଥିଲା । ଆଜି ଦିନତମାମ ଛକାପଞ୍ଝା ଓ ଧାଁଦଉଡ଼ ପରେ ଶେଷରେ ଶିବସେନା ନେତା ରାଜଭବନ ଧାଇଁଥିଲେ ।
ମହାରାଷ୍ଟ୍ରରେ ସରକାର ଗଢ଼ିବା ଲକ୍ଷ୍ୟରେ ଶିବସେନା ଏନ୍ଡିଏଠାରୁ ୩୦ ବର୍ଷର ସମ୍ପର୍କ ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏଥିପାଇଁ ଏନ୍ସିପି ସର୍ତ୍ତ ରଖିଥିଲା ଏବଂ ଏହାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗ୍ରହଣ କରିନେଇଛନ୍ତି । ରବିବାର ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା, ଯେତେବେଳେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ମୋଦି କ୍ୟାବିନେଟ୍ରୁ ଇସ୍ତଫା ଦେଇଥିଲେ ।
ଉଲ୍ଲେଖଥାଉ କି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନ୍ସିପି ସହ ମିଶି ଲଢ଼ିଥିଲା କଂଗ୍ରେସ । ଏନ୍ସିପିକୁ ୫୪ ଆସନ ମିଳିଥିଲା ବେଳେ କଂଗ୍ରେସ ୪୪ଟି ପାଇଥିଲା । ଦଳର ୩୭ ବିଧାୟକ ଶିବସେନାକୁ ସମର୍ଥନ କରିବା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଥିଲେ । ଏମାନେ ଦଳର ଅଧ୍ୟକ୍ଷା ସୋନିଆଙ୍କୁ ନିଜ ମତାମତ ପ୍ରଦାନ କରିଥିଲେ ।
ସୋମବାର କଂଗ୍ରେସ ବ୍ୟତୀତ ଏନ୍ସିପିର ମଧ୍ୟ ଘନଘନ ବୈଠକ ବସିଥିଲା । ବୈଠକ ପରେ ଏନ୍ସିପି ନେତା ନୱାବ ମଲିକ୍ କହିଥିଲେ, ଶିବସେନା ସହିତ ମିଶି ସରକାର ଗଢ଼ିବା ପାଇଁ ଆମ ଦଳ ପ୍ରସ୍ତୁତ । ବୈଠକରେ ଏଥିପାଇଁ ସହମତି ପ୍ରକାଶ ପାଇଛି । କିନ୍ତୁ ଯେ ପର୍ଯ୍ୟନ୍ତ କଂଗ୍ରେସ କୌଣସି ନିର୍ଣ୍ଣୟ ନ ନେଇଛି, ସେଯାଏ ତାଙ୍କ ଦଳ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବ ନାହିଁ । ପୂର୍ବରୁ ଏନ୍ସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସମାନ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ, ଆମେ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିଥିଲୁ । ତେଣୁ ଏହାକୁ ଛାଡ଼ି ଆମେ କୌଣସିମତେ ଏକପାଖିଆ ନିଷ୍ପତ୍ତି ନେଇପାରିବୁ ନାହିଁ ।
ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ହେଲେ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଶିବସେନା (୫୬) ଓ ଏନ୍ସିପି (୫୪) ଚାହିଁଲେ ସରକାର ଗଢ଼ିପାରିବେ ନାହିଁ । କାରଣ ଏମାନଙ୍କ ମିଳିତ ଅଙ୍କ ହେଉଛି ୧୧୦ । କଂଗ୍ରେସର ୪୪ ବିଧାୟକଙ୍କ ସମର୍ଥନ ମିଳିବା ପରେ ମୋଟ ସଂଖ୍ୟା ୧୫୪ ହେବ, ଯାହା ସରକାର ଗଠନ ପାଇଁ ଯଥେଷ୍ଟ ହେବ । ତେଣୁ କଂଗ୍ରେସକୁ ଛାଡ଼ି ଏନ୍ସିପି କୌଣସି ନିଷ୍ପତ୍ତି ନେବାକୁ ଚାହୁଁନଥିଲା । ଏବେ କଂଗ୍ରେସ ଏହାର ସ୍ଥିତି ସ୍ପଷ୍ଟ କରି ନଥିବାରୁ ଶିବସେନାର ଅଡୁଆ ବଢ଼ିଛି ।
ଉଲ୍ଲେଖଯୋଗ୍ୟ, ସୋମବାର ମୋଦି କ୍ୟାବିନେଟ୍ରୁ କେନ୍ଦ୍ର ଭାରୀ ଶିଳ୍ପ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଛନ୍ତି । ଏ ନେଇ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସାୱନ୍ତ କହିଛନ୍ତି, ମହାରାଷ୍ଟ୍ରରେ ୫୦:୫୦ ସରକାର ଚଳାଇବା ପାଇଁ ବିଜେପି ଓ ଶିବସେନା ମଧ୍ୟରେ ସହମତି ହୋଇଥିଲା । କିନ୍ତୁ ନିର୍ବାଚନ ଫଳ ପ୍ରକାଶ ପରେ ବିଜେପି ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ । କେନ୍ଦ୍ର କ୍ୟାବିନେଟ୍କୁ ମୋତେ ଦଳ ପଠାଇଥିଲା । ଏବେ ବିଶ୍ୱାସ ଭାଙ୍ଗିଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବା ଆଉ ସମ୍ଭବ ନୁହେଁ ।
ଦଳଗୁଡ଼ିକ ମଧ୍ୟରେ ଏଭଳି ଛକାପଞ୍ଝା ଜାରି ରହିଥିବା ବେଳେ ଶିବସେନା ନେତା ସଞ୍ଜୟ ରାଉତ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲୀଳାବତୀ ହସ୍ପିଟାଲ୍ ନିଆଯାଇଛି । ଦୁଇଦିନ ତଳେ ରାଉତ ହସ୍ପିଟାଲକୁ ସମାନ କାରଣ ପାଇଁ ଯାଇଥିଲେ । ତେବେ ଆଜି ତାଙ୍କର ଇସିଜି କରାଯାଇଛି । ଏହାପରେ ତାଙ୍କର ଅନ୍ୟ ପରୀକ୍ଷା ମଧ୍ୟ କରାଯାଇଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.