ଚଣ୍ଡିଖୋଲ : ଘରେ ପଶି ଆସବାବ ପତ୍ର ଭଙ୍ଗାରୁଜା କରିବା ସହିତ ଦମ୍ପତ୍ତିଙ୍କୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ସ୍ଥାନୀୟ ପୋଲିସକୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଦୁର୍ବୃତ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଧର୍ମଶାଳା ପୋଲିସ । ଫଳରେ ନ୍ୟାୟ ପାଇବା ପାଇଁ ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ପଞ୍ଚାୟତ ନାନପୁର ଗ୍ରାମର ଦିଲ୍ଲୀପ କର ଓ ତାଙ୍କ ପତ୍ନୀ ।
ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ଦିଲ୍ଲୀପଙ୍କ ଘରେ ପଶି ନିରଞ୍ଜନ ରାଉତ, ଦିଲ୍ଲୀପ ବଳ, ତ୍ରିନାଥ ଜେନାଙ୍କ ସମେତ ଆଉ ୭ ଜଣ ମରଣାନ୍ତକ ଆକ୍ରମଣ କରି ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଦିଲ୍ଲୀପ କର ଧର୍ମଶାଳା ଥାନାରେ ଏତଲା ଦେଇଥିଲେ । ପୋଲିସ ପକ୍ଷରୁ କେସ୍ ନଂ ୩୯୯/୨୦୨୦ ମାମଲା ରୁଜୁ କରାଯାଇଛି । ହେଲେ ଘଟଣାର ୬ ଦିନ ବିତି ଯାଇଥିଲେ ହେଁ ଦୁର୍ବୃତ୍ତମାନଙ୍କୁ ଏପର୍ୟ୍ୟନ୍ତ ଧରିପାରିନି ପୋଲିସ । ତେଣୁ ତାଙ୍କ ପରିବାର ପ୍ରତି ବିପଦ ଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀପ । ଭୟରେ ପରିବାର ଲୋକ ବାହାରକୁ ବାହାରି ପାରୁନାହାନ୍ତି । ଏଭଳି ସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିଯିବା ସହିତ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଅଭିଯୋଗକାରୀ ଏସପିଙ୍କୁ ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.