କବିସୂର୍ଯ୍ୟନଗର, (ବି.ବି.ନ୍ୟୁଜ୍): ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ଶବ ଜୀବନ୍ୟାସ ପାଇବାର ବିଶ୍ୱାସ । ଜଣେ ମୃତ ଲୋକକୁ ବଞ୍ଚାଇବାକୁ ଗୁଣିଆର ସହାୟତା ନେଇଛନ୍ତି ମୃତକ ପରିବାର । ଦୀର୍ଘ ୧୬ ଘଣ୍ଟା ଘରେ ପଡ଼ି ରହିଲା ଶବ । ଶ୍ମଶାନରେ ଚାଲିଲା ଦୀର୍ଘ ସମୟ ମନ୍ତ୍ରତନ୍ତ୍ର, ପୂଜାପାଠ । ଶେଷରେ ବିଫଳ ହେଲା ଗୁଣିଆ । ଥାନାଠାରୁ ମାତ୍ର ୨ କିମି ଦୂରରେ ଏସବୁ ଘଟଣା ଘଟିଥିଲେ ସୁଦ୍ଧା ପୁଲିସ ନିକଟରେ ଖବର ନପହଞ୍ଚିବା ଆଉ ଏକ ଚର୍ଚ୍ଚାର ବିଷୟ । ଏଭଳି ଘଟଣା ଦେଖିବାକୁ ମିଳିଛି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମ କେନ୍ଦୁପାଟଣା ସାହିରେ । ଘଟଣା ସମ୍ପର୍କରେ କୌଣସି ସୂଚନା ନଥିବା କହିଛନ୍ତି ଆଇଆଇସି ତପନ କୁମାର ପତି ।
ମୃତକ କୃଷ୍ଣଚନ୍ଦ୍ର ଜେନା(୩୬) । ଗୁରୁବାର ରାତି ୮ଟାରେ କୃଷ୍ଣଙ୍କ ପେଟରେ ଯନ୍ତ୍ରଣା ହେଲା । ପରିବାର ଲୋକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରାତି ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘରକୁ ଶବ ଆଣିଥିଲେ ପରିବାର ଲୋକ । ଅପରପକ୍ଷରେ ଡାକ୍ତରଙ୍କ ମୃତ୍ୟୁ ଘୋଷଣାକୁ ବିଶ୍ୱାସ କରି ନଥିଲେ କୃଷ୍ଣଙ୍କ ଶ୍ୱଶୁର ଘର ଲୋକ । କେହି ଗୁଣି କରିଥିବା ସନ୍ଦେହ କରିଥିଲେ । ଶବ ସକ୍ରାର କରି ନଥିଲେ । ଘରେ ପଡ଼ି ରହିଥିଲା ଶବ । ଶ୍ୱଶୁର ଘର ଶେରଗଡ଼ ନିକଟ ଇନ୍ଧନପୁର ଗ୍ରାମର ଜଣେ ଯୁବ ଗୁଣିଆକୁ ଆଣି ଶୁକ୍ରବାର ଗାଁ ଶ୍ମଶାନରେ ପହଞ୍ଚିଥିଲେ । ସେଠାରେ ପୂଜାପାଠ ଆରମ୍ଭ କରିଥିଲା ଗୁଣିଆ । ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୃତକ ଜୀବନ୍ୟାସ ନପାଇବାରୁ ଗୁଣିଆକୁ ଘେରାଉ କରିଥିଲେ ଗ୍ରାମବାସୀ । ତା’ର ନାମ, ଠିକଣା ପଚାରିଥିଲେ । ତାକୁ କାବୁ କରି ବାନ୍ଧି ରଖିବାକୁ ଉଦ୍ୟମ କରିବା ସମୟରେ ଅତି ଚତୁରତାର ସହ ଗ୍ରାମବାସୀଙ୍କ କବଳରୁ କୌଶଳ କ୍ରମେ ଖସି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲା । ତ’ପରେ ସଂସ୍କାର ହୋଇଥିଲା ଶବ ।
ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସଠାରୁ ଦୂରେଇ ରହିବାକୁ ଆମ ପୁଲିସ ସମିତି ଜରିଆରେ ବହୁ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତଥାପି ଲୋକଙ୍କ ମାନସକିତାରେ କୌଣସି ପରିବର୍ତ୍ତନ ହୋଇଥିବା ଦେଖାଯାଇନାହିଁ । ଶ୍ମଶାନରେ ମନ୍ତ୍ରତନ୍ତ୍ର କରିବା ସମୟରେ ଗ୍ରାମର କିଛି ସଚେତନ ଲୋକ ଆଇଆଇସିଙ୍କୁ ଫୋନ୍ କରିଥିବା କୁହାଯାଉଛି ।


Comments are closed, but trackbacks and pingbacks are open.