ଘରୋଇ ବସ୍ କର୍ମଚାରୀଙ୍କ ମନମାନି

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ଦିନକୁ ଦିନ ବଢିବାରେ ଲାଗିଛି ଘରୋଇ ବସ୍ କର୍ମଚାରୀଙ୍କ ମନମାନି । ବସ୍ ଭଡ଼ାକୁ ନେଇ ଯାତ୍ରୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି । କରୋନାକୁ ଆଳ କରି କେତେକ କର୍ମଚାରୀ ଯାତ୍ରୀଙ୍କୁ ଲୁଟୁଛନ୍ତି । କିଲୋମିଟର ପିଛା ସରକାର ନିର୍ଦ୍ଧାରିତ କରିଥିବା ଭଡ଼ା ନନେଇ ମନଇଛା ଦର କସୁଛନ୍ତି । ୨୨ କିଲୋମିଟରକୁ ୩୦ ଟଙ୍କା ନେଉଛନ୍ତି । ଦାବି ମୁତାବକ ଭଡ଼ା ନଦେଲେ ନାଲି ଆଖି ଦେଖାଉଛନ୍ତି । ଯାହାକୁ ନେଇ ଯାତ୍ରୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି ।
ଜଣେ ଯାତ୍ରୀ ବୋରିଗୁମ୍ମାରୁ ଜୟପୁର ଆସିବା ଲାଗି ଏକ ଘରୋଇ ବସ୍ରେ ଚଢିଥିଲେ । ବସ୍ରେ ଅନ୍ୟ ଯାତ୍ରୀଙ୍କ ଭିଡ଼ ଖଚାଖଚ ଥିଲା । ବୋରିଗୁମ୍ମାରୁ ଚଢିଥିବା ଯାତ୍ରୀ ଜଣଙ୍କ ଉପକୂଳ ଅଞ୍ଚଳର । ସେ ପ୍ରଥମ ଥର ଲାଗି କୌଣସି କାମରେ ଏଠାକୁ ଆସିଥିଲେ । ଏକ ଘରୋଇ ବସ୍ କର୍ମଚାରୀ ତାଙ୍କୁ ଭଡ଼ା ବାବଦରେ ୩୦ ଟଙ୍କା ମାଗିଥିଲେ । ସରକାରୀ ନିୟମ ଅନୁଯାୟୀ, ସାଧାରଣ ବର୍ଗ ବସରେ ଭଡ଼ା ୨୦ ଟଙ୍କା ନେବା ଉଚିତ ବୋଲି ଯାତ୍ରୀଜଣଙ୍କ କହିଥିଲେ । ଭଡ଼ା ଟଙ୍କାକୁ ନେଇ ଉଭୟ କର୍ମଚାରୀ ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କରୋନା ଲାଗି ଯାତ୍ରୀ ନହେବା ଏବଂ ଡିଜେଲ ଦର ୧୦୦ ଟଙ୍କା ଡେଇଁଲାଣି ବୋଲି ବସ୍ କର୍ମଚାରୀ ଯୁକ୍ତି ଦର୍ଶାଇଥିଲେ । ମାସ ମାସ ଧରି ବସ୍ ବନ୍ଦ ରହିବା ଦ୍ୱାରା ମାଲିକ ଏବଂ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ଭୁଶୁଡ଼ି ଯାଇଥିବା କହିଥିଲେ । ଯାତ୍ରୀଜଣଙ୍କ କିନ୍ତୁ ନିଜ ଯିଦ୍ରେ ଅଟଳ ଥିଲେ । ୩୦ ଟଙ୍କା ଭଡ଼ା ନେଲେ, ପକ୍କା ଟିକେଟ୍ ଦେବାକୁ ଦାବି କରିଥିଲେ । ଶେଷରେ ଉତ୍ୟକ୍ତ ହୋଇ କର୍ମଚାରୀଜଣଙ୍କ ଯାତ୍ରୀଜଣଙ୍କୁ ବସ୍ରୁ ଓହ୍ଲାଇ ଦେବାକୁ ଧମକ ଦେଇଥିଲେ । କାନମୁଣ୍ଡା ଆଉଁସି ଯାତ୍ରୀଜଣଙ୍କ ଚୁପ୍ ରହିଥିଲେ । ଏଭଳି ଲୁଟିଲେ ଭଗବାନ ଭଲରେ ରଖିବେନି ବୋଲି କହି ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅଧିକ ୧୦ ଟଙ୍କା ପାଇଁ କାହିଁକି ଯୁକ୍ତି ବୋଲି କେତେକ ସହଯାତ୍ରୀ ପରାମର୍ଶ ଦେଇଥିଲେ ।
କେବଳ ଜୟପୁର-ବୋରିଗୁମ୍ମା ନୁହେଁ, ଜିଲ୍ଲାର ବିଭିନ୍ନ ରୁଟ୍ରେ କେତେକ ଘରୋଇ କର୍ମଚାରୀ ଯାତ୍ରୀଙ୍କୁ ଲୁଟୁଛନ୍ତି । ଜୟପୁରରୁ କୋଟପାଡ଼ ୭୦ ଟଙ୍କା, ଜୟପୁର-ନବରଙ୍ଗପୁର ୬୦ ଟଙ୍କା, ଜୟପୁର-କୋରାପୁଟ ୩୦ ଟଙ୍କା, ଜୟପୁର-ଉମରକୋଟ ୧୪୦ ଟଙ୍କା, ଜୟପୁର-ମାଲକାନଗିରି ୧୫୦ ଟଙ୍କା ଏବଂ ଅନ୍ୟ ରାସ୍ତାରେ ୨୦ କିମିକୁ ୩୦ ଟଙ୍କା ହିସାବରରେ ନେଉଥିବା ଜଣାପଡ଼ିଛି । ସରକାରୀ ବସ୍ କର୍ମଚାରୀ ନିର୍ଦ୍ଧାରିତ ଦରରେ ଭଡ଼ା ନେଉଥିବା ବେଳେ ଘରୋଇ କର୍ମଚାରୀଙ୍କ ଉପରେ କୌଣସି କଟକଣା ନାହିଁକି ବୋଲି ପ୍ରଶ୍ନଉଠୁଛି । ସୂଚନାଥାଉକି, ଗତ ଜୁଲାଇରେ ରାଜ୍ୟ ସରକାର କିଲୋମିଟର ପିଛା ବସ୍ ଭଡ଼ା ସଂଶୋଧନ କରିଥିଲେ । ସାଧାରଣ ବର୍ଗ ବସ୍ କିଲୋମିଟର ପିଛା ୮୯ ପଇସା, ଏକ୍ସପ୍ରେସ୍ ଭଡ଼ା ୯୩ ପଇସା, ଡିଲକ୍ସ ଭଡ଼ା ୧ ଟଙ୍କା ୨୯ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୯ ପଇସା ଏବଂ ଭଲଭୋ ବସ୍ ଭଡ଼ା ୨ ଟଙ୍କା ୪୪ ପଇସା ରହିଛି । ଓଏସଆରଟିସି ପକ୍ଷରୁ ଏହି ଭଡ଼ା ଆହୁରି କମ ରହିଛି । ସାଧାରଣବର୍ଗରୁ ଆରମ୍ଭ କରି ଭଲଭୋ ପର୍ଯ୍ୟନ୍ତ ଏହି ଭଡ଼ା କିଲୋମିଟର ପିଛା ଯଥାକ୍ରମେ ୮୯ ପଇସା, ୯୩ ପଇସା, ୧ ଟଙ୍କା ୨୩ ପଇସା, ୧ ଟଙ୍କା ୫୨ ପଇସା ଏବଂ ୨ ଟଙ୍କା ୧୨ ପଇସା ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons