ଘର, ଆହାର ଛଡ଼ାଇନେଲା ଭୁଲ୍ ‘ଆଧାର’

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ପ୍ରଶାସନର ଭୁଲ୍ ପାଇଁ ହିନସ୍ତା ହେଉଛନ୍ତି ରାମକୃଷ୍ଣଙ୍କ ପରିବାର । ମହାନ୍ତି ସ୍ଥାନରେ ମହାନ୍ତ ବୋଲି ଆଧାର କାର୍ଡ ମିଳିବା ପରେ ସବୁଥିରୁ ବଞ୍ଚିତ ହୋଇଛନ୍ତି । ଶେଷରେ ସେ ୪ ସନ୍ତାନ ଓ ପତ୍ନୀଙ୍କୁ ଧରି ଏକ ନିର୍ମାଣାଧୀନ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ପଡ଼ି ରହିଛନ୍ତି । ହେଲେ ଚିକିତ୍ସାକେନ୍ଦ୍ର ସମ୍ପୂର୍ଣ୍ଣ ହୋଇଗଲେ କୁଆଡେ଼ ଯିବେ ବୋଲି ଚିନ୍ତା ଘାରିଛି ।
କେନ୍ଦୁଝର ଜିଲ୍ଲା ଜଙ୍ଘିରା ଗ୍ରାମର ରାମକୃଷ୍ଣ ମହାନ୍ତିଙ୍କ ବାପା ପୁଲିସ ବିଭାଗରେ କାମ କରୁଥିଲେ । ସେତେବେଳ ପାଠପଢ଼ା ପରେ ରାମକୃଷ୍ଣ ଦିଲ୍ଲୀରେ ଯାଇ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ୧୫ ବର୍ଷ ତଳେ ବାପା ମୃତୁ୍ୟବରଣ କରିବା ପରେ ମା’ ମଧ୍ୟ ଆରପାରିକୁ ଚାଲିଗଲେ । ଏହି ଦୁଃଖରେ ସେ ଦିଲ୍ଲୀରୁ ଫେରି ଆସିଥିଲେ ବି ନିଜେ ମାନସିକସ୍ଥିତି ହରାଇ ବସିଲେ । ମାନସିକ ସ୍ଥିତି ସୁଧୁରିବା ପରେ ନିଜର ପୈତୃକ ନଡ଼ାଛପର ଘରେ ଜୀବନ କାଟୁଥିଲେ । ଇତିମଧ୍ୟରେ ବିବାହ କରି ପରିବାର ସହିତ ସେହି ଘରେ ରହୁଥିଲେ । ତେବେ ଘରଟି ମରାମତି ଅଭାବରୁ ପୂରା ଭାଙ୍ଗି ପଡିଲା । ସ୍ଥାନୀୟ ଯୁବକମାନଙ୍କ ସହଯୋଗରେ ପଲିଥିନ୍ ଟାଙ୍ଗି ସେହି ଘରେ ରହୁଥିଲେ । ଆଧାର ଦ୍ୱାରା ସରକାରୀ ସୁବିଧା ସୁଯୋଗ ପାଇବା ଆଶାରେ ସେ ୨ା୩ ବର୍ଷ ତଳେ ଆଧାରକାର୍ଡ କରିଥିଲେ । ପତ୍ନୀଙ୍କର ଆଧାର କାର୍ଡ ଠିକ୍ ମିଳିଥିଲା । କିନ୍ତୁ ରାମକୃଷ୍ଣଙ୍କ ଆଧାରକାର୍ଡରେ ରହିଗଲା ତ୍ରୃଟି । ରାମକୃଷ୍ଣ ମହାନ୍ତି ବଦଳରେ ରାମକୃଷ୍ଣ ମହାନ୍ତ ବୋଲି ଆଧାରକାର୍ଡରେ ଉଲ୍ଲେଖ ରହିଥିଲେ । ଏହାପରେ ସବୁ କିଛି ଓଲଟପାଟଲ ହୋଇଗଲା ।
ଆଧାରକାର୍ଡରେ ତ୍ରୃଟି ଯୋଗୁ ତାଙ୍କୁ ପକ୍କା ଘର ମିଳିନଥିଲା । ଏପରିକି ରିହାତି ଚାଉଳ ମଧ୍ୟ ସେ ପାଇବାକୁ ଅଯୋଗ୍ୟ ହୋଇଥିଲେ । ବାରମ୍ବାର ଚେଷ୍ଟା ପରେ ସବୁଥିରୁ ବିଫଳ ହୋଇଥିଲେ । ଇତିମଧ୍ୟରେ ଚାଳଘରଟି ଭାଙ୍ଗି ମାଟିରେ ମିଶି ଯାଇଥିଲା । ଏବେ ରାମକୃଷ୍ଣ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ୩ ଝିଅ, ଏକମାତ୍ର ପୁଅ ସହିତ ପତ୍ନୀଙ୍କୁ ଧରି ପ୍ରଥମେ ଜଙ୍ଘିରା ହାଟପିଣ୍ଡିରେ ରହୁଥିଲେ । ଏବେ ନିମାଣାଧୀନ କୋଭିଡ୍ ଚିକିତ୍ସାକେନ୍ଦ୍ରରେ ରହିଛନ୍ତି । ସବୁଠାରୁ ସାନ ସନ୍ତାନର ବୟସ ୨ ମାସ ଏବଂ ବଡ଼ଝିଅର ବୟସ ୫ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ସନ୍ତାନ ୩ ବର୍ଷ ଓ ୨ ବର୍ଷ ମଧ୍ୟରେ । ତେବେ ୨ ମାସର ସନ୍ତାନ ଦେହରେ ବଥ ହୋଇଯିବାରୁ ସମସ୍ୟା ଆହୁରି ବଢିଯାଇଛି । ଶିଶୁକୁ ନେଇ ସେ ସରକାରୀ ଡାକ୍ତରଖାନା ଯାଇଥିବା ବେଳେ ଅର୍ଥଅଭାବରୁ ଔଷଧ କିଣିନପାରି ଫେରାଇ ଆଣିଛନ୍ତି । କେବଳ ପତ୍ନୀଙ୍କୁ ମିଳୁଥିବା ରିହାତି ଚାଉଳ ଗଣ୍ଡାକ ୬ ପ୍ରାଣୀଙ୍କ ଜୀବନକୁ ବାନ୍ଧି ରଖିଛି ।
ଗରିବଙ୍କ ପାଇଁ ଯୋଜନା ପରେ ଯୋଜନା ସରକାର ଖଞ୍ଜିଥିବା ବେଳେ ବାସ୍ତବରେ ତାହା ଲୋକଙ୍କ ନିକଟରେ ପହଞ୍ଚି ପାରୁନି । ରାମକୃଷ୍ଣଙ୍କ ଏଭଳିସ୍ଥିତିରେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏକ ନିର୍ମାଣାଧୀନ ସରକାରୀ କୋଠାରେ ଅସ୍ଥାୟୀ ଭାବେ ରହିବାକୁ ସ୍ଥାନ ଦେଇଛନ୍ତି । ଉକ୍ତ କୋଠାରେ ଏବେ କୋଭିଡ୍ ପରିଚାଳନା ପାଇଁ ଚିକିତ୍ସା କେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାରୁ ପୁଣି ହାଟପିଣ୍ଡିକୁ ରାମକୃଷ୍ଣ ଫେରିବା ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ସ୍ଥାନୀୟ ଜିଲ୍ଲା ପରିଷଦ ଠାରୁ ରାମକୃଷ୍ଣଙ୍କ ଦୟନୀୟ ସ୍ଥିତି ସମ୍ପର୍କରେ ସେ ଖବର ପାଇଛନ୍ତି । ଏଥିନେଇ ହରିଚନ୍ଦନପୁର ବିଡିଓଙ୍କୁ ସେ ରାମକୃଷ୍ଣର ଥଇଥାନ ପାଇଁ ନିଦେ୍ର୍ଧଶ ଦେଇଥିବା କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ଦାସ କୁହନ୍ତି ରାମକୃଷ୍ଣଙ୍କ କୌଣସି କାଗଜପତ୍ର ନଥିବାରୁ ତାକୁ ସହାୟତା କରାଯାଇ ପାରୁନି । ସରକାରୀ ସହାୟତା ପାଇଁ ଚେଷ୍ଟା କରାଯାଉଛି । ଯେପରି ହେଉ ତାକୁ ଏକ ବାସଗୃହ ଯୋଗାଇ ଦେଲେ ପରିବାର ଥଇଥାନ ହୋଇପାରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons