ଘର ଭିତରୁ ଦମ୍ପତି, ଦୁଇ ଶିଶୁଙ୍କ ମୃତ ଦେହ ଉଦ୍ଧାର

Get real time updates directly on you device, subscribe now.

ରାଜଗାଙ୍ଗପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଆଇଟି କଲୋନୀ ଅଞ୍ଚଳରେ ଘଟିଛି ଏକ ଅଘଟଣ । ଗୋଟିଏ ଘର ଭିତରୁ ଦମ୍ପତି ଏବଂ ଦୁଇ ଶିଶୁଙ୍କ ମୃତ ଦେହକୁ ପୁଲିସ୍ ଉଦ୍ଧାର କରିଛି । ଗତ ଦୁଇ ଦିନ ହେଲା ଘରଟି ବନ୍ଦ ଥିବା ବେଳେ ଆଜି ଦୁର୍ଗନ୍ଧ ବାହାରିବାରୁ ପାଖ ପଡୋଶୀ ପୁଲିସ୍କୁ ସୂଚନା ଦେଇଥିଲେ । ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତୁ୍ୟ ଘଟିଥିବା ପୁଲିସ୍ ସନେ୍ଦହ କରୁଛି । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
କାଂସବାହାଲ ଗୁଆଲାପଡ଼ା ନିବାସୀ ଅରବିନ୍ଦ ସିଂହଙ୍କ ଝିଅ ଅଲପନା (୨୫) ଓ ସେହି ଅଞ୍ଚଳରେ ରହୁଥିବା ରାଜଦୀପ ପ୍ରସାଦଙ୍କ ପୁଅ ରଞ୍ଜିତ (୨୮)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଫଳରେ ଗତ ୪ ବର୍ଷ ତଳେ ରଞ୍ଜିତ ଓ ଅଲପନା ପ୍ରେମ ବିବାହ କରିଥିଲେ । ଉଭୟଙ୍କ ପରିବାର ଏହି ବିବାହକୁ ବିରୋଧ କରି ଆସୁଥିଲେ । ତେଣୁ ରଞ୍ଜିତ ରାଜଗାଙ୍ଗପୁର ଆଇଟି କଲୋନୀର କ୍ୱାର୍ଟର୍ସ ନଂ.ବି/୭ରେ ଭଡ଼ାରେ ଗତ ୪ ମାସ ହେଲା ରହୁଥିଲେ । ରଞ୍ଜିତ ଓସିଏଲ୍ ରିଫ୍ୟାକ୍ଟ୍ରି ୟୁନିଟ୍ର ମେକାନିକାଲ ବିଭାଗରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କ ଗୋଟିଏ ଝିଅ କନକ ପ୍ରସାଦ (୩) ଏବଂ ଗୋଟିଏ ଦେଢ଼ ବର୍ଷର ପୁଅ ଠଟୁ ଥିଲେ । ପାଖ ପଡୋଶୀଙ୍କ କହିବା କଥା ହେଲା, ଗତ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରଞ୍ଜିତ, ତାଙ୍କ ପତ୍ନୀ ବଜାରରେ ବୁଲାବୁଲି କରୁଥିଲେ । ଏହା ପରେ ସେମାନଙ୍କ ଘର ବନ୍ଦ ଥିବା ବେଳେ ବାରଣ୍ଡାରେ ଏକ ସ୍କୁଟି ରହିଥିଲା । କାଳେ ସେମାନେ ବାହାରକୁ ବୁଲିବାକୁ ଯାଇଥିବେ ବୋଲି ପଡୋଶୀମାନେ ଭାବି ଥିଲେ । ଆଜି ସକାଳ ପ୍ରାୟ ସାଢେ଼ ୯ଟା ସମୟରେ ସେହି ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ପଡୋଶୀଙ୍କୁ ସନେ୍ଦହ ହୋଇଥିଲା । ଏଣୁ ସେମାନେ ରାଜଗାଙ୍ଗପୁର ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ଏସ୍ଡିପିଓ ବିଜୟ କୁମାର ନନ୍ଦ, ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପୁଲିସ୍ କର୍ମଚାରୀଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଘର କବାଟ ଭଙ୍ଗା ଯାଇଥିଲା । ଏକ ଖଟ ଉପରେ ରଞ୍ଜିତ, ତାଙ୍କ ପତ୍ନୀ ଓ ଦୁଇ ଶିଶୁଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲା ପୁଲିସ୍ ।
ସୁନ୍ଦରଗଡ଼ରୁ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ ଦେହଗୁଡ଼ିକ ଫୁଲି ଯିବା ସହ କଳା ପଡ଼ି ଯାଇଛି । ଖଟ ପାଖରେ ଥିବା ଟେବୁଲ ଉପରେ କିଛି ଖାଦ୍ୟ ଜିନିଷ ଓ ଗୋଟିଏ ଗିନାରେ କ୍ଷୀର ରଖା ହୋଇଛି । ସେମାନେ କ୍ଷୀରରେ ବିଷ ମିଶାଇ ପିଇଛନ୍ତି ନା ବିଷାକ୍ତ ଖାଦ୍ୟ ଖାଇ ସେମାନଙ୍କ ମୃତୁ୍ୟ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ବିଷକ୍ରିୟା ଯୋଗୁଁ ଚାରି ଜଣଙ୍କ ମୃତୁ୍ୟ ଘଟିଛି । ପୁଲିସ୍ ଗିନାରେ ଥିବା କ୍ଷୀର ଓ ଖାଦ୍ୟ ଜିନିଷକୁ ଜବତ କରିଛି ଓ ତାକୁ ପରୀକ୍ଷା ପାଇଁ ପଠାଇବ ବୋଲି ଜଣାପଡ଼ିଛି । ମୃତ ରଞ୍ଜିତ ଓ ଅଲପନାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେମାନେ କିଛି କହିବା ଅବସ୍ଥାରେ ନଥିଲେ । ଜଣାପଡ଼ିଛି ଯେ, ରଞ୍ଜିତ ଓ ତାଙ୍କ ପତ୍ନୀ ଅତ୍ୟନ୍ତ ମେଳାପି ଥିଲେ । ସେମାନେ କୌଣସି ମାନସିକ ଚାପରେ ଥିଲା ଭଳି ମନେ ହେଉନଥିଲା ବୋଲି କିଛି ପଡୋଶୀ କହିଛନ୍ତି । ଏପରିକି ସେମାନଙ୍କର ଆର୍ଥିକ ଅନଟନ ମଧ୍ୟ ନଥିଲା । ଅପରାହ୍ନରେ ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏସ୍ପି କହିଛନ୍ତି ସେମାନଙ୍କର ମୃତୁ୍ୟ କିପରି ଘଟିଲା ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତୁ୍ୟର କାରଣ ଜଣାପଡ଼ିବ । ପୁଲିସ୍ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି ଓ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି । ତାଙ୍କ ଘରକୁ କିଏ କିଏ ଆସୁଥିଲେ, ଗୁରୁବାର ଦିନ ବଜାରରୁ ଆସିବା ପରେ ଦମ୍ପତିଙ୍କ ମାନସିକ ସ୍ଥିତି କିଭଳି ଥିଲା ସେ ସବୁକୁ ନେଇ ତଦନ୍ତ ଚାଲିଛି । ପୁଲିସ୍ ୪ ଜଣଙ୍କ ମୃତ ଦେହକୁ ଜବତ କରି ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ପଠାଇଛି । ଆସନ୍ତାକାଲି ଶବଗୁଡ଼ିକ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons