ଝରିଗାଁ,(ବି.ବି.ନୁ୍ୟଜ୍): ଅତ୍ୟଧିକ ଯାତ୍ରୀ ଯୋଗୁ ଘାଟିରେ ଓଲଟିଲା ଅଟୋ । ଏଥିରେ ୨ ଜଣ ମହିଳାଙ୍କ ମୃତୁ୍ୟ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚନ୍ଦାହାଣ୍ଡି ଘାଟିରେ ଆଜି ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଅଟୋରେ ଥିଲେ ୩୦ ଜଣ ଯାତ୍ରୀ । ମୃତକମାନେ ହେଲେ ବ୍ଲକ ଅଧୀନ ଇଚ୍ଛାପୁର ପଞ୍ଚାୟତ ସିନ୍ଧିପଡା ଗାଁର ସୋମବାରୀ ମାଝି(୬୦) ଓ କମଳା ଜାନି(୪୨) । ଆହତ ହୋଇଥିବା ଗାଁର କୁସୁମା ଜାନି(୨୦), ନିର୍ମଳା ଜାନି(୬), ନବ ଜାନି(୩୨), ତପସ୍ୱିନୀ ଜାନି(୨୮), ଭଦ୍ର ମାଝି(୪୦), ସୂର୍ଯ୍ୟ ଜାନି(୪୫), ଚଞ୍ଚଳା ମାଝି(୩୫), ତୁଳାବତୀ ଜାନି(୪୦), ଧ୍ରୁବ ମାଝି(୨୪), ସୁଗମତି ଜାନି(୫୦), ଭଦ୍ର ଜାନି(୨), ମଙ୍ଗଳଦେଈ ଜାନି(୩୦) ଓ ବଇନା ଜାନି(୪)ଙ୍କୁ ଝରିଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ସିନ୍ଧିପଡା ଗାଁର ୩୦ ଜଣ ସୋମବାର ସକାଳେ ଗାଁର ଦେବ ଜାନିଙ୍କ ଅଟୋ ଭଡ଼ାକରି ଏକ ଦଶାହ କାମରେ ଯୋଗ ଦେବାକୁ ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ପଞ୍ଚାୟତର କାରାଡଙ୍ଗରୀ ଗାଁକୁ ଯାଉଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୭ ଜଣ ଶିଶୁ । ଆବଶ୍ୟକଠାରୁ ଢେର୍ ଅଧିକ ଯାତ୍ରୀ ଥିବାରୁ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଗାଡ଼ିଟି ଏକପାଖିଆ ହୋଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ସୋମବାରୀ ଓ କମଳାଙ୍କ ମୃତୁ୍ୟ ହୋଇଥିଲା । ଖବର ପାଇ ପହଞ୍ଚିଥିଲେ ଝରିଗାଁ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ । ମୃତାହତଙ୍କୁ ଉଦ୍ଧାର କରି ସଂଗ ସଂଗେ ଡାକ୍ତରଖାନା ପଠାଇଥିଲେ । ଆହତଙ୍କ ମଧ୍ୟରେ କାହାର ମୁଣ୍ଡ ଫାଟିଛି ତ ଆଉ କାହାର ଶରୀରରେ ଗଭୀର ଆଘାତ ଲାଗିଛି । ତୁଳାବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଡାକ୍ତର ସନ୍ତୋଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏସ୍ଆଇ ଅଶୋକ କୁମାର ପାଳ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ପରେ ଅଟୋ ଚାଳକ ବିଡିଓ ମାଝି ଫେରାର୍ ହୋଇଯାଇଥିବା ଜଣାପଡିଛି ।


Comments are closed, but trackbacks and pingbacks are open.