ଜୟପୁର,(ବି.ବି.ନୁ୍ୟଜ୍): ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ କୋରାପୁଟ ଘାଟିରେ ଓଲଟି ପଡ଼ିଲା ଏକ ଏଲପିଜି ବୋଝେଇ ଟ୍ୟାଙ୍କର । ପୁଲିସ ଏବଂ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ବହୁ ସମୟ ପରେ ଟ୍ୟାଙ୍କରଟିକୁ ଉଦ୍ଧାର କରାଯାଇଛି । ଗାଡ଼ି ହଟାଯିବା ପରେ ଜାତୀୟ ରାଜପଥ-୨୬ରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି । ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଓଆଇସି ଶିବଶଙ୍କର ସାହୁ କହିଛନ୍ତି ।
ଟ୍ୟାଙ୍କର ନମ୍ବର ସିଜି-୦୪ ଏମଏମ-୧୪୯୬ ବିଶାଖାପାଟଣାରୁ ଇଣ୍ଡେନ ରନ୍ଧନଗ୍ୟାସ ବୋଝେଇ କରି ରାୟପୁର ଫେରୁଥିଲା । ସୋମବାର ରାତି ପ୍ରାୟ ୧୦ ଟା ବେଳେ କୋରାପୁଟ ଘାଟି ତଳ କୋଲାବ ଛକ ନିକଟରେ ଗାଡିର ଡ୍ରାଇଭର ଭାରସାମ୍ୟ ହରାଇଥିଲେ । ଫଳରେ ଘାଟିର ଶେଷ ବୁଲାଣିର ୱାଚ୍ ଟାୱାର ପାଖରେ ଏହା ଓଲଟି ପଡିଥିଲା । ଗାଡ଼ିରେ ୧୭ ଟନ ଉଚ୍ଚ ଦହନଶୀଳ ତରଳ ପେଟ୍ରୋଲିୟମ ରନ୍ଧନ ଗ୍ୟାସ ଥିବାରୁ ଡା୍ରଇଭର ପ୍ରାଣ ଭୟରେ ଗାଡ଼ିରୁ ଡେଇଁ ପଡ଼ିଥିଲେ । ସଦର ଥାନା ଓଆଇସି ଶ୍ରୀ ସାହୁ ସଦଳବଳେ ପହଞ୍ଚିଥ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଫାୟାର ଅଫିସର କୁନୁ ନାୟକଙ୍କ ନେତୃତ୍ୱରେ ଟିମ୍ ସେଠାରେ ପହଞ୍ଚିଥିଲେ । ଘାଟିର ଉଭୟ ପଟରୁ ଯାନାବାହନ ଚଳାଚଳ ବନ୍ଦ କରାଯାଇଥିଲା । ପ୍ରଥମେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଛି କି ନାହିଁ ପରୀକ୍ଷା କରାଯାଇଥିଲା । ଗ୍ୟାସ୍ ଲିକ୍ର କୌଣସି ଲକ୍ଷଣ ଜଣାପଡ଼ିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ । ରାତି ଅଧିକ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଟ୍ୟାଙ୍କରକୁ ଜଗି ରାତିତମାମ ରହିଥିଲେ । ପୁଲିସ ପକ୍ଷରୁ ପାଟ୍ରୋାଲିଂ କରାଯାଇ ଗାଡି ଚଳାଚଳ ନିୟନ୍ତ୍ରଣ କରାଯାଇଥିଲା । ରାସ୍ତାରେ ପେଟ୍ରୋଲିୟମ ଟ୍ୟାଙ୍କର ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।
ଆଜି ସକାଳେ ଉଦ୍ଧାର କାମ ତ୍ୱରାନ୍ୱିତ କରାଯାଇଥିଲା । ଘାଟିରେ ଥିବା ତାରିଣୀ ମନ୍ଦିର ଏବଂ ବାରିଣୀପୁଟରେ ଥିବା ପେଟ୍ରୋଲ ପମ୍ପ ପାଖରେ ପୁଲିସ ବ୍ୟାରିକେଡ୍ କରିଥିଲା । ଉଦ୍ଧାର କାମରେ ୩ଟି କ୍ରେନ୍ର ସହାୟତା ନିଆଯାଇଥିଲା । ପ୍ରଥମେ ଟ୍ୟାଙ୍କରର ଇଞ୍ଜିନକୁ ଅଲଗା କରାଯାଇ ଅଣାଯାଇଥିଲା । ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଗ୍ୟାସ୍ ଟ୍ୟାଙ୍କରକୁ ପାଣି ମାଡ କରାଯାଇ ଥଣ୍ଡା କରାଯାଇଥିଲା । ଏହାପରେ ଧୀରେ ଧୀରେ କ୍ରେନରେ ଉଠାଇ ରାସ୍ତା କଡ଼କୁ ହଟାଯାଇଥିଲା । ଅପରାହ୍ନ ଗୋଟାଏ ବେଳକୁ ଉଦ୍ଧାର କାମ ସରିଥିଲା । ତା’ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ଜୟପୁର ଏସଡିପିଓ ବିମଳକାନ୍ତ ବ୍ରହ୍ମା, ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଡିଭିଜିନାଲ ଫାୟାର ଅଫିସର ରଙ୍ଗାଧର ଆଚାର୍ଯ୍ୟ, ସଞ୍ଜୀବ କୁମାର ବେହେରା ଉଦ୍ଧାର କାମ ତଦାରଖ କରିଥିଲେ । ଟ୍ୟାଙ୍କର ଡ୍ରାଇଭର ଶେଷନାଥ ଯାଦବ(୪୦)ଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ଓଆଇସି ଶ୍ରୀ ସାହୁ କହିଛନ୍ତି ।
Comments are closed, but trackbacks and pingbacks are open.