ଘୋର ସଙ୍କଟରେ ଏୟାର୍ ଇଣ୍ଡିଆ

Get real time updates directly on you device, subscribe now.

ନୂଆଦିଲ୍ଲୀ:ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ଏୟାର୍ ଇଣ୍ଡିଆକୁ ଚଳାଇବା ଦିନକୁ ଦିନ କଷ୍ଟକର ପାଲଟିଲାଣି । ଏହାର ଘରୋଇକରଣ ନ ହେଲେ ପରିସ୍ଥିତି ଖରାପ ହୋଇଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ବୁଧବାର ଏହା କହିଛନ୍ତି ।
ଏୟାର୍ ଇଣ୍ଡିଆର ଘରୋଇକରଣ ନ ହେଲେ ଏହାକୁ ଚଳାଇବାକୁ ପୁଞ୍ଜି କେଉଁଠୁ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ଏୟାର୍ ଇଣ୍ଡିଆରେ ସରକାରଙ୍କ ଶତପ୍ରତିଶତ ଅଂଶଧନ ଅଛି, ଯାହାକୁ ସରକାର ବିକ୍ରି କରିବେ ।
ପୁରୀ ଆହୁରି କହିଛନ୍ତି ଯେ, ଏୟାର୍ ଇଣ୍ଡିଆ ଏକ ଫାଷ୍ଟ କ୍ଲାସ ଆସେଟ୍ । ଏହାକୁ ଏବେ ବିକ୍ର୍ରି କରାଗଲେ ବିଡର ମିଳିବା ସହଜ ହେବ । ଏବେ ବିକ୍ରି ନ ହେଲେ ଆଗକୁ ବିଡର ମିଳିବା କଠିନ ହୋଇପାରେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ପୁଞ୍ଜି ପ୍ରତ୍ୟାହାର କମିଟି ନିଷ୍ପତ୍ତି ନେଇଥିଲା ଯେ, ଏୟାର୍ ଇଣ୍ଡିଆ କାରବାରରୁ ସରକାର ସମ୍ପୂର୍ଣ୍ଣ ବାହାରି ଯାଆନ୍ତୁ । ସମ୍ଭାବ୍ୟ ବିଡରମାନଙ୍କ ପାଇଁ ଧାର୍ଯ୍ୟ ମାନଦଣ୍ଡକୁ ମଧ୍ୟ କୋହଳ କରିବା ପାଇଁ ପଦକ୍ଷେପ ନିଆଯାଉଛି । କୋହଳ ମାନଦଣ୍ଡ ଦ୍ୱାରା ନୂଆ କମ୍ପାନି ତଥା ଅତିଧନୀମାନେ ଏହାର ବିକ୍ରି ପ୍ରକ୍ରିୟାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିବେ ।
ସଙ୍କଟଜନକ ପରିସ୍ଥିତି ସତ୍ତେ୍ୱ କମ୍ପାନିର ଜଣେ ହେଲେ ପାଇଲଟ୍ ଇସ୍ତଫା ଦେଇ ନ ଥିବା ପୁରୀ କହିଛନ୍ତି । ବଜାର ତୁଳନାରେ ଏମାନଙ୍କୁ ଉତ୍ତମ ଦରମା ଦିଆଯାଉଥିବା ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମାତ୍ର କେତେ ଜଣ କର୍ମଚାରୀଙ୍କ ଦରମାର ୨୫ଧ ଅଟକା ଯାଇଛି । ପୁଞ୍ଜି ପ୍ରତ୍ୟାହାର ପୂର୍ବରୁ ଏହାକୁ ଉକ୍ତ କର୍ମଚାରୀମାନଙ୍କୁ ପ୍ରଦାନ କରାଯିବ ।
ଘରୋଇକରଣ ପରେ ଏୟାର ଇଣ୍ଡିଆ କର୍ମଚାରୀମାନଙ୍କ ପାଇଁ ଆରକ୍ଷଣ ନିୟମ ଲାଗୁ ହେବ କି ପ୍ରଶ୍ନରେ ପୁରୀ କହିଛନ୍ତି ଯେ, ସାଧାରଣତଃ ଘରୋଇକରଣ ପରେ ପୁରୁଣା କର୍ମଚାରୀମାନେ ରହିଥାନ୍ତି । କିନ୍ତୁ ଏହା ପରେ ଯେଉଁ ନୂଆ ନିଯୁକ୍ତି ଦିଆଯାଏ ସେଥିରେ ସରକାର କୌଣସି ହସ୍ତକ୍ଷେପ କରନ୍ତି ନାହିଁ ।
ସୂଚନାଯୋଗ୍ୟ, ୨୦୧୮-୧୯ ଆର୍ଥିକବର୍ଷରେ ଏୟାର୍ ଇଣ୍ଡିଆ ୮,୪୦୦ କୋଟି ଟଙ୍କାର କ୍ଷତି ସହିଛି । ଲମ୍ବା ସମୟ ଧରି ଏହା ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଅଧିକ ପରିଚାଳନାଗତ ଖର୍ଚ୍ଚ ଏବଂ ବିଦେଶୀ ବିନିମୟରେ କ୍ଷତି ଯୋଗୁ କମ୍ପାନିକୁ ବଡ ଧରଣର କ୍ଷତି ସହିବାକୁ ପଡିଛି । ଗୋଟିଏ ବର୍ଷରେ ଏୟାର୍ ଇଣ୍ଡିଆ ଯେତିକି କ୍ଷତି ସହିଛି ସେଥିରେ ଆଉ ଏକ ନୂଆ ବିମାନ କମ୍ପାନି ଆରମ୍ଭ କରାଯାଇପାରିବ ।
ସମ୍ପ୍ରତି କମ୍ପାନି ଉପରେ ୬୦,୦୦୦ କୋଟି ଟଙ୍କାର ଋଣ ବୋଝ ରହିଛି । ବିପୁଳ ସଂଖ୍ୟାରେ ବିମାନ କ୍ରୟ ଏବଂ କାର୍ଯ୍ୟକାରୀ ପୁଞ୍ଜି ହେତୁ ନିଆଯାଇଥିବା ଋଣ ଏଥିରେ ସାମିଲ ଅଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons