ଚନ୍ଦକା,(ବି.ବି.ନୁ୍ୟଜ): ନନ୍ଦନକାନନ ପାଇଁ ଖୁସି ଖବର । ଖୁଆଡ଼ ନଂ ୬୦ (ଗ)ରେ ସପରିବାର ରହୁଥିବା ସିମ୍ପାଞ୍ଜି ‘ପୂର୍ଣ୍ଣିମା’ ଆଜି ଏକ ସନ୍ତାନ ଜନ୍ମ ଦେଇଛି । ଏହି ସନ୍ତାନଟି ‘ପୂର୍ଣ୍ଣିମା’ର ଚତୁର୍ଥ ସନ୍ତାନ । ଆଜି ବଡ଼ି ଭୋରୁ ସେ ପ୍ରସବ ବେଦନାରେ ଛଟପଟ ହେଉଥିବା ସିମ୍ପାଞ୍ଜି ପାଳକ କେଦାର ପାତ୍ର ଦେଖିବାକୁ ପାଇଥିଲେ । ଏହାର କିଛି ସମୟ ଅନ୍ତରରେ ସେ ଏକ ଶାବକକୁ ଜନ୍ମ ଦେଇଥିଲା । ନନ୍ଦନକାନନର ଡାକ୍ତର ଶାବକଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସମ୍ପୂର୍ଣ୍ଣର୍ ସୁସ୍ଥ ଥିବା ଜଣାଇଥିଲେ ।
ନନ୍ଦନକାନନରେ ଏହି ବଣମଣିଷ ପ୍ରଜାତିର ସିମ୍ପାଞ୍ଜି ‘ପୂର୍ଣ୍ଣିମା’ ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି । ଏଡାକୁ ସେ ଆସିବା ଦିନଠାରୁ ସିମ୍ପାଞ୍ଜି ବଂଶ ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ‘ପୂର୍ଣ୍ଣିମା’ର ପ୍ରଥମ ଶାବକଟି ୨୦୦୯ ଅକ୍ଟୋବର ୧୪ରେ ଜନ୍ମ ନେଇଥିଲା । ‘ଜୁଲୁ’ ଓ ‘ପୂର୍ଣ୍ଣିମା’ଙ୍କ ମିଳନରୁ ଯେଉଁ ଶାବକଟି ଜନ୍ମ ନେଇଥିଲା ତା’ର ନାମ ‘କାର୍ତ୍ତିକ’ ରଖାଯାଇଥିଲା ।
ଦ୍ୱିତୀୟ ଶାବକଟି ୨୦୧୧ ଅଗଷ୍ଟ ୧୨ ତାରିଖରେ ଜନ୍ମ ନେଇଥିଲା । ତା’ର ନାମ ‘ରାଖୀ’ ରଖାଯାଇଛି । ତୃତୀୟ ଗର୍ଭରୁ ଜନ୍ମିତ ଶାବକଟିର ନାମ ‘ଲକ୍ଷ୍ମୀ’ ରଖାଯାଇଛି । ଚତୁର୍ଥ ଗର୍ଭରୁ ଜନ୍ମିତ ଶାବକଟିର ଲିଙ୍ଗ ନିରୂପଣ ହୋଇନାହିଁ । ଏହି ବଂଶ ବିସ୍ତାର ପ୍ରକ୍ରିୟା ପାଇଁ ୨୦୨୦ ଜୁଲାଇ ମାସ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ‘ପୂର୍ଣ୍ଣିମା’ ଓ ‘ଜୁଲୁ’କୁ ମିଳନର ସୁଯୋଗ ଦିଆଯାଇଥିଲା ।
ସୂଚନାଯୋଗ୍ୟ ନନ୍ଦନକାନନକୁ ପ୍ରଥମେ ୧୯୯୮ ମସିହାରେ ଦୁଇଟି ସମ୍ପାଞ୍ଜି ଅଣାଯାଇଥିଲା । ସିଙ୍ଗାପୁର ଚିଡ଼ିଆଖାନାରୁ ‘ଜୁଲୁ’ (ଅଣ୍ଡିରା ୪ବର୍ଷ)ଓ ‘ପମ୍ପେଟା’ (ମାଈ ୩ବର୍ଷ)ଙ୍କୁ ଏଠାକୁ ଅଣାଯାଇଥିଲା । ଏହି ଦୁଇଜଣଙ୍କର ମିଳନରେ ୨୦୦୧ ମସିହାରେ ‘ପୂର୍ଣ୍ଣିମା’ ଜନ୍ମ ଗ୍ରହଣ କରିଥିଲା । ‘ପୂର୍ଣ୍ଣିମା’କୁ ଏବେ ୨୦ ବର୍ଷ ଚାଲିଛି । ଏବେ ସୁଦ୍ଧା ନନ୍ଦନକାନନକୁ ୪ଟି ସନ୍ତାନ ଉପହାର ଦେଇସାରିଲାଣି । ନନ୍ଦନକାନନ କର୍ତ୍ତୃପକ୍ଷ ପୂର୍ବରୁ ଏହି ସିମ୍ପାଞ୍ଜିକୁ ଅଦଳ ବଦଳ ପକ୍ରିୟାରେ ଦେଇ ଜିରାଫ ଆଣିଥିଲେ ।
ଏହି ଶାବକଟିର ଜନ୍ମ ପରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ବଢ଼ି ୭ ହୋଇଛି । ସେମାନଙ୍କ ମଧ୍ୟରେ ୫ଟି ମାଈ, ଗୋଟିଏ ଅଣ୍ଡିରା ଓ ଗୋଟିଏ ଶାବକ ରହିଛି ।


Comments are closed, but trackbacks and pingbacks are open.