ଚନ୍ଦ୍ରୟାନ-୨ର ଉତ୍କ୍ଷେପଣ ୨୨ରେ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ମୁନ୍ ମିସନ୍ ପାଇଁ ପୁଣି ପାଗଭିଡ଼ା ଆରମ୍ଭ କରିଛି ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) । ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ରେ ନିର୍ଦ୍ଧାରିତ ଲକ୍ଷ୍ୟ ନେଇ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରୟାନ-୨ । ପୂର୍ବରୁ ଜୁଲାଇ ୧୫ ଭୋର ୨ଟା ୫୧ରେ ଚନ୍ଦ୍ରୟାନ-୨ର ଉତ୍କ୍ଷେପଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ୨୦ ଘଣ୍ଟିଆ ଅବଗଣନା ସ୍ଥିର କରାଯାଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଖାପାଖି ୫୬ ମିନିଟ୍ ପୂର୍ବରୁ ଉତ୍କ୍ଷେପଣ ରଦ୍ଦ କରାଯାଇଥିଲା ।
ଭାରତ ଏହାର ଦ୍ୱିତୀୟ ମୁନ୍ ମିସନରେ ସ୍ୱତନ୍ତ୍ର ଲକ୍ଷ୍ୟ ରଖିଛି । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ଓ ରୋଭର (ବିକ୍ରମ ଓ ପ୍ରଜ୍ଞାନ୍) ପଠାଯିବ । ପୂର୍ବରୁ ଚନ୍ଦ୍ରର ଯେଉଁ ସ୍ଥାନରେ କୌଣସି ରାଷ୍ଟ୍ର ଅନୁସନ୍ଧାନ କରିନାହାନ୍ତି, ସେଠାକୁ ଚନ୍ଦ୍ରୟାନ ପଠାଇ ତଥ୍ୟ ସାଉଁଟିବ ଭାରତ । ସେଥିପାଇଁ ଚନ୍ଦ୍ରର ଦକ୍ଷିଣ ଧ୍ରୁବ (ସାଉଥ୍ ପୋଲ୍)କୁ ଚିହ୍ନଟ କରାଯାଇଛି । ଏଇଠାରେ ହିଁ ଚନ୍ଦ୍ରୟାନ-୨ ଅବତରଣ କରିବ ।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଚନ୍ଦ୍ରୟାନ-୨କୁ ନେଇ ଜିଏସ୍ଏଲ୍ଭି ଏମ୍କେ-୩ ଯାତ୍ରା (ଯାହାକୁ ବାହୁବଳି ବା ଫ୍ୟାଟ୍ବୟ କୁହାଯାଉଛି) କରିବ । ଉତ୍କ୍ଷେପଣ ହେବା ପରେ ଚନ୍ଦ୍ରୟାନ ପୃଥିବୀର କକ୍ଷପଥରେ ପହଞ୍ଚିବ । ୧୬ ଦିନ ଧରି ପୃଥିବୀର ପରିକ୍ରମା କରିବା ପରେ ଏହା ଚନ୍ଦ୍ର ଅଭିମୁଖେ ବାହାରିବ । ୫ ଦିନ ପରେ ଏହା ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ । ଚନ୍ଦ୍ର ନିକଟରେ ପହଞ୍ଚିବା ପରେ ଚନ୍ଦ୍ରୟାନ-୨ ଚନ୍ଦ୍ରର ଚାରିପଟେ ଗୋଲ ଗୋଲ ଚକ୍କର କାଟିବ । ଚନ୍ଦ୍ରର କକ୍ଷପଥରେ ଏହିଭଳି ଭାବେ ୨୭ ଦିନ ଧରି ପରିକ୍ରମା କରିବା ପରେ ଏହାର ପୃଷ୍ଠଭୂମିର ନିକଟତର ହେବ ।
ଚନ୍ଦ୍ରପୃଷ୍ଠର ନିକଟତର ହେବା ପରେ ଚନ୍ଦ୍ରୟାନ-୨ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ବା ସାଉଥ୍ ପୋଲ୍ରେ ଓହ୍ଲାଇବ । ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ଲ୍ୟାଣ୍ଡର ‘ବିକ୍ରମ’ର ଦ୍ୱାର ଖୋଲିବ ଏବଂ ଏହା ରୋଭର ‘ପ୍ରଜ୍ଞାନ୍’କୁ ମୁକ୍ତ କରିବ । ପରେ ଏହା ଚନ୍ଦ୍ରପୃଷ୍ଠର ବିଭିନ୍ନ ଯାଞ୍ଚ ଓ ଅନୁସନ୍ଧାନ ପାଇଁ ବାହାରି ପଡ଼ିବ । ଏହାର ପାଖାପାଖି ୧୫ ମିନିଟ୍ ଭିତରେ ଇସ୍ରୋକୁ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ମିଳିବ । ଏହିଭଳି ଭାବେ ଗୋଟିଏ ପରେ ଗୋଟିଏ ଫଟୋ ଇସ୍ରୋକୁ ମିଳିଚାଲିବ । ଅନ୍ୟପକ୍ଷରେ ଅର୍ବିଟର୍ ଚନ୍ଦ୍ରର କକ୍ଷପଥରେ ୧୦୦ କିଲୋମିଟର ଉଚ୍ଚରେ ତାହାର ପରିକ୍ରମା କରିବ । ଅର୍ବିଟର ସେଠାରେ ୧ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons