ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ୍ ପରେ ବିଦେଶୀ ନିବେଶକମାନେ ଖୁସି ନାହାନ୍ତି । ସେମାନେ ଘରୋଇ ଷ୍ଟକ୍ ମାର୍କେଟ୍ରୁ ପଳାଉଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍ଇ) ପାଖାପାଖି ୨,୫୦୦ ପଏଣ୍ଟ ହ୍ରାସ ଘଟିଛି । କ୍ଷୁଦ୍ର ଓ ମଧ୍ୟମ ଆକାର କମ୍ପାନିଙ୍କର ସେୟାର ମୂଲ୍ୟ ଦ୍ରୁତ ବେଗରେ ହ୍ରାସ ପାଇଛି । ବଜେଟ୍ ପରେ ଅନ୍ୟ କେତେକ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡୀ ରାଜ୍ୟର ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ସୃଷ୍ଟି ହେଉଥିବା ନିଯୁକ୍ତିର ୭୫ % ରାଜ୍ୟବାସୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ ରାଜ୍ୟର ଘରୋଇ କ୍ଷେତ୍ରରେ ସୃଷ୍ଟି ହେଉଥିବା ନିଯୁକ୍ତିର ୭୦% ରାଜ୍ୟ ଆଶାୟୀଙ୍କ ନିମନ୍ତେ ସଂରକ୍ଷିତ ରଖିଛନ୍ତି । ଜନ୍ମସ୍ଥାନକୁ ନେଇ କୌଣସି ପ୍ରକାର ବାଛବିଚାର କରାଯିବ ନାହିଁ ବୋଲି ସମ୍ବିଧାନରେ ନିୟମ ରହିଥିବା ବେଳେ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କିନ୍ତୁ ଏହାର ବିପରୀତ ନିଷ୍ପତ୍ତି ନେଇଛନ୍ତି । ସେମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମଧ୍ୟ ପଦକ୍ଷେପ ନେଇଛନ୍ତି । ନିଯୁକ୍ତି ସଂରକ୍ଷଣ ସୀମା ୫୦%ରୁ ଅଧିକ ହେବନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ ସ୍ୱତନ୍ତ୍ର ପ୍ରକାର ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଆର୍ଥିକ ଅନଗ୍ରସରଙ୍କ ପାଇଁ ଅତିରିକ୍ତ ୧୦% ସଂରକ୍ଷଣ ପାଇଁ ପ୍ରସ୍ତାବ ରଖିଛନ୍ତି । ଏଥିପାଇଁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ ପଡ଼ିବ । ବିଦେଶୀ କମ୍ପାନିଙ୍କୁ ଏଭଳି ସଂରକ୍ଷଣ ବ୍ୟବସ୍ଥା ଅଧିକ ଚିନ୍ତାରେ ପକାଇଛି । ବେସରକାରୀ କ୍ଷେତ୍ରରେ ସୃଷ୍ଟି ହେଉଥିବା ଚାକିରିରେ ମଧ୍ୟ ସଂରକ୍ଷଣ ଲାଗୁ କରାଯିବା ଅନୁଚିତ ବୋଲି ସେମାନେ କହୁଛନ୍ତି ।
ବିଦେଶୀ ନିବେଶ ପାଇଁ ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ସହ ଭାରତ ଏବେ ପ୍ରତିଯୋଗିତା କରୁଛି । ପ୍ରତିଯୋଗିତାକୁ ତୀବ୍ର କରିବା ପାଇଁ ଏହାକୁ ସୁହାଇଲା ଭଳି ପଦକ୍ଷେପ ଆଣିବା ଆବଶ୍ୟକ । ଅନ୍ୟ ଦେଶ ତୁଳନାରେ ଭାରତରେ ନିବେଶ ଖର୍ଚ୍ଚ ଅଧିକ ରହିଛି । ଜମି, ଋଣ, ବିଦ୍ୟୁତ୍, ରେଳ ଏବଂ ବିମାନ ମାଲ ପରିବହନ ଭଳି କ୍ଷେତ୍ରରେ ଭାରତରେ ତୁଳନାତ୍ମକ ଭାବେ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଏମିତି କି ଏଠାରେ କର୍ପୋରେଟ୍ ଟିକସ ଏବଂ ଆୟକର ମଧ୍ୟ ଅଧିକ ରହିଛି । ଏହିସବୁ ସମସ୍ୟା ଉପରେ ଏବେ ନିଯୁକ୍ତି କୋଟା ଏବଂ ସର୍ବନିମ୍ନ ମଜୁରି ନୀତି ସମସ୍ୟା ବଢ଼ାଇଦେଇଛି ।
ପ୍ରଧାନମନ୍ତ୍ରୀ ମୋଦି ଏକ ଜାତୀୟ ସର୍ବନିମ୍ନ ମଜୁରି ବ୍ୟବସ୍ଥା ଆଣିଛନ୍ତି । ବିଭିନ୍ନ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ମଜୁରିଠାରୁ ଏହା ଅଧିକ ହେବ । ପଛୁଆ ରାଜ୍ୟରେ ସର୍ବନିମ୍ନ ମଜୁରିଠାରୁ ଏହା ଅଧିକ ହେଉଥିବାରୁ ଏହା କିଛି ଶିଳ୍ପ ପାଇଁ ଚିନ୍ତାଜନକ ହେବ । ନିବେଶ ପାଇଁ ଏହା ନିବେଶକଙ୍କୁ ବିମୁଖ କରିବ ବୋଲି ଆଶଙ୍କା କରାଯାଉଛି ।
Comments are closed, but trackbacks and pingbacks are open.