ସୁରଟ: ଭାରତୀୟ ହୀରା ବଜାର ଏହାର ଚମକ ହରାଉଛି । ଚାହିଦା ଓ ବିକ୍ରି ଉଭୟ ହ୍ରାସ ପାଇଛି । ଏମିତି କି ଦେଶକୁ ହୀରା ଆମଦାନି ମଧ୍ୟ ନିମ୍ନଗାମୀ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ବିଶ୍ୱର ସର୍ବବୃହତ୍ ହୀରା ଖଣି କମ୍ପାନି ଡି ବିୟର୍ସ ବାଧ୍ୟ ହୋଇ ଏହାର ଉତ୍ପାଦନ ଆକଳନ ହ୍ରାସ ଘଟାଇଛି । ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସରେ ଏହାର ଉତ୍ପାଦନ ୧୪% ହ୍ରାସ ପାଇଛି ।
ଆମେରିକା ଭିତ୍ତିକ ରାପାପୋର୍ଟ ଗ୍ରୁପ୍ ମୁତାବକ ଚଳିତବର୍ଷ ଦ୍ୱିତୀୟ ତ୍ରୈମାସରେ ଡି ବିୟର୍ସର ଖଣିଜ ଉତ୍ପାଦନ ହ୍ରାସ ପାଇଛି । ବଜାରର ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନି ହୀରା ଉତ୍ତୋଳନ କରିଥାଏ । ଅତ୍ୟଧିକ ଯୋଗାଣ ଯୋଗୁ ଜୁନ୍ ୩୦ରେ ଶେଷ ହୋଇଥିବା ତିନିମାସରେ ବିକ୍ରି ପରିମାଣ ୧୦% ହ୍ରାସ ପାଇ ୯ ନିୟୁତ କ୍ୟାରେଟ୍କୁ ଖସିଆସିଛି । ଅଶୋଧିତ ହୀରା ଚାହିଦା ମଧ୍ୟ ହ୍ରାସ ପାଇଛି । ପଲିସ ହୀରା ବିକ୍ରି ନ ହୋଇ ପଡ଼ିରହିଥିବାରୁ ଉତ୍ପାଦନ ସମାନ ଅନୁପାତରେ କରାଯିବା ସମ୍ଭବ ହେଉନାହିଁ ।
ଭାରତର ଜେମ୍ସ ଓ ଜୁଏଲରି ରପ୍ତାନି ପ୍ରୋତ୍ସାହନ ପରିଷଦ (ଜିଜେଇପିସି) ଦ୍ୱାରା ପ୍ରକାଶିତ ତଥ୍ୟ ମୁତାବକ ଚଳିତବର୍ଷ ଏପ୍ରିଲ-ଜୁନ୍ରେ ଅଶୋଧିତ ହୀରା ଆମଦାନି ୨୬% ହ୍ରାସ ପାଇ ୩୪୦ କୋଟି ଡଲାରକୁ ଖସିଆସିଛି । ଗତବର୍ଷ ସମାନ ତ୍ରୈମାସରେ ଏହା ୪୫୦ କୋଟି ଡଲାର ରହିଥିଲା । ଜୁନ୍ରେ ଅଶୋଧିତ ହୀରା ଆମଦାନି ୩୬% କମି ୯୬୯ ନିୟୁତ ଡଲାରକୁ ହ୍ରାସ ପାଇଛି, ଯାହା କି ପୂର୍ବ ବର୍ଷ ସମାନ ମାସରେ ୧୫୦ କୋଟି ଡଲାର ରହିଥିଲା ।
ଏ ସମ୍ପର୍କରେ ସୁରଟ ହୀରା ବ୍ୟବସାୟୀ ସଂଘ ସଭାପତି ବାବୁ ଗଜରାଟୀ କହିଛନ୍ତି, ହୀରା ଶିଳ୍ପ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ହୀରା ଅଳଙ୍କାର ନିର୍ମାତାମାନେ ଲଗାତର ଭାବେ ସେମାନଙ୍କ ଉତ୍ପାଦନ ହ୍ରାସ କରୁଛନ୍ତି । କାରଣ ବିକ୍ରି ହୋଇନପାରି ଅନେକ ହୀରା ଅଳଙ୍କାର ପଡ଼ିରହିଛି । ଏମିତି କି ଗ୍ରୀଷ୍ମ ଅବକାଶ ପରେ ମଧ୍ୟ ୩୦% ହୀରା ଅଳଙ୍କାର ନିର୍ମାଣକାରୀ ସଂସ୍ଥା ସେମାନଙ୍କ କାରବାର ଆରମ୍ଭ କରିନାହାନ୍ତି । ତେଣୁ ପୁଣି ଚାହିଦା ବୃଦ୍ଧି ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
Comments are closed, but trackbacks and pingbacks are open.