ଚାଉଳ ପାଇଁ ଚଢୁଛନ୍ତି ପାହାଡ଼

Get real time updates directly on you device, subscribe now.

କୋରାପୁଟ:ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ । ପାନୀୟ ଜଳ ବି ପାଲଟିଛି ସାତ ସପନ । ପିଡିଏସ୍ ଚାଉଳ ଗଣ୍ଡେ ପାଇଁ ଲୋକଙ୍କୁ ନାଳ ଡେଇଁବା ସହ ପାହାଡ ଚଢିବାକୁ ପଡୁଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ରାଲେଗଡ଼ା ପଞ୍ଚାୟତର ସମସ୍ୟା ବହୁଳ ସେଦାମାମାଡ଼ି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଏହି ଗାଁରେ ୧୬ ଟି ପରିବାର ବସବାସ କରୁଛନ୍ତି । ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତାଟିଏ ହୋଇପାରିନି । ଖରା ଓ ଶୀତ ଦିନେ ଲୋକେ ଯାହା ଯେମିତି ଚଳି ଯାଉଛନ୍ତି । ବର୍ଷାଦିନେ ଲୋକଙ୍କ ସମସ୍ୟା ବଢିଯାଉଛି । ରାସ୍ତା ନଥିବାରୁ ପାହାଡ଼ି ଚଲା ବାଟରେ ଲୋକେ ଯିବା ଆସିବା କରୁଛନ୍ତି । ଗୁରୁତର ରୋଗୀ, ଗର୍ଭବତୀଙ୍କୁ ମେଡିକାଲ ନେବାବେଳେ ଲୋକେ ବଡ ଅସୁବିଧାରେ ପଡୁଛନ୍ତି । ପିଡିଏସ ଚାଉଳ ଗଣ୍ଡେ ପାଇଁ ମଧ୍ୟ ଲୋକେ ପ୍ରତି ମାସରେ ଏଥିଯୋଗୁ ହଇରାଣ ହେଉଛନ୍ତି । ପାନୀୟ ଜଳ ପାଇଁ ଗାଁରେ ଗୋଟିଏ ହେଲେ ନଳକୂଅ ନାହିଁ । ଲୋକେ ଝରଣା ପାଣି ପିଉଛନ୍ତି । ଘରର ଯାବତୀୟ କାମ ମଧ୍ୟ ଏହି ପାଣିରେ ହେଉଛି । ଝରଣା ପାଣିକୁ ସଂଗ୍ରହ କରି ରଖିବାକୁ ଗ୍ରାମବାସୀ ଘରପିଛା ଚାନ୍ଦାକରି ଏକ କୁଣ୍ଡ ସ୍ଥାପନ କରିଛନ୍ତି । ଝରଣା ପାଣି ଗଡିଆସି ଏଠାରେ ସଂଗୃହୀତ ହେବା ପରେ ଲୋକେ ଏହାକୁ ନେଇ ବ୍ୟବହାର କରୁଛନ୍ତି ।
ଗାଁର ବତନା ଗେମେଲ, ଆପନା ଗେମେଲ, ବାଲନା ଗେମେଲ, କାଙ୍କେର ଲାଚ୍ଛନା ପ୍ରମୁଖ କହିଛନ୍ତି, ରାସ୍ତା ନଥିବାରୁ ଲୋକେ ସବୁଦିନ ଅସୁବିଧାରେ ପଡୁଛନ୍ତି । ଏହାକୁ ନେଇ ଅନେକ ଥର ସ୍ଥାନୀୟ ନେତା ଓ ଅଫିସରଙ୍କୁ ଗୁହାରି କରାଯାଇଛି । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି । ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସଟିଏ ଆସିପାରୁନି । ଗର୍ଭବତୀ ଅବା ଗୁରୁତର ରୋଗୀଙ୍କୁ ମେଡିକାଲ ନେବାକୁ ଭାରରେ ବଡ଼ାୱାଲସା ପର୍ଯ୍ୟନ୍ତ ୨ କିମି ବାଟ ବୋହିବାକୁ ପଡୁଛି । ପରେ ସେଠାରୁ ମାଟି ରାସ୍ତାରେ ୪ କିମି ପାର୍ ହୋଇ ରାଲେଗଡା ଯାଉଛନ୍ତି । ଗାଁରେ ଆଜି ପର୍ଯ୍ୟନ୍ତ ନଳକୂଅଟିଏ ବସିପାରିନି । ଝରଣା ପାଣି ସଂଗ୍ରହ କରିବାକୁ କୁଣ୍ଡଟିଏ ନିର୍ମାଣ କରାଯାଇଛି । ଘରପିଛା ଚାନ୍ଦା ଆଦାୟ କରି ୧୦ ହଜାର ଟଙ୍କା ଏଥିପାଇଁ ଖର୍ଚ୍ଚ ହୋଇଛି । ସମସ୍ୟା ଦୂର କରିବାକୁ ନିର୍ବାଚନ ସମୟରେ ନେତାମାନେ ନାନା ପ୍ରତିଶ୍ରୁତି ଦେଉଥିଲେ ହେଁ ପରେ ଭୁଲି ଯାଉଛନ୍ତି । ଅନ୍ୟପକ୍ଷରେ, ଗାଁର ଦୁଇଟି ପରିବାରଙ୍କୁ ଛାଡ଼ିଦେଲେ ଆଉ କାହାର ଜମି ପଟ୍ଟା ନାହିଁ । ଅଧିକାଂଶ ପୋଡ଼ୁଚାଷ ଉପରେ ନିର୍ଭର କରି ଚଳୁଛନ୍ତି । ବର୍ଷା ଦିନିଆ ପାହାଡ଼ି ଧାନ, ମାଣ୍ଡିଆ, ସୁଅାଁ, ଝୁଡ଼ଙ୍ଗ,ବରବଟି ଆଦି ଚାଷ କରୁଛନ୍ତି । ଅନ୍ୟ ସମୟରେ ଲୋକେ ଦାଦନ ଖଟିବାକୁ ଆନ୍ଧ୍ର ଯାଉଛନ୍ତି ।
ଆନ୍ଧ୍ରର କାକିନ୍ନାଡାରେ ବିଭିନ୍ନ ନିର୍ମାଣ କାମ ଅବା ଚାଷ କାମରେ ନିୟୋଜିତ ହେଉଛନ୍ତି । ଏଠାରେ ସମସ୍ତେ ଓବିସି ବର୍ଗର ହୋଇଥିବେଳେ ଆନ୍ଧ୍ରରେ ବସବାସ କରୁଥିବା ବନ୍ଧୁବାନ୍ଧବ ଆଦିବାସୀ ଭାବେ ପରିଗଣିତ ହେଉଛନ୍ତି । ଆଦିବାସୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସେମାନେ ପାଉଛନ୍ତି । କିନ୍ତୁ ଓଡ଼ିଶାରେ ଆମେ ଆଦିବାସୀ ମାନ୍ୟତାରୁ ବଞ୍ଚିତ ହୋଇ ରହିଛୁ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons