ରଣପୁର/ଟାଙ୍ଗୀ,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରସ୍ଥିତ ଜିଲ୍ଲାର ପ୍ରଥମ କୋଭିଡ୍-୧୯ ହସ୍ପିଟାଲକୁ ବୁଧବାର ୫ଟି ସଚିବ ଭି. କେ ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପରିଦର୍ଶନ କରିବା ସହ ତଦାରଖ କରିଥିଲେ । ୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍-୧୯ ହସ୍ପିଟାଲରେ ୧୦ଟି ଆଇସିୟୁ ଓ ୫ଟି ଭେଣ୍ଟିଲେଟରକୁ ଶ୍ରୀ ପାଣ୍ଡିଆନ୍ ଏବଂ ଶ୍ରୀ ମହାପାତ୍ର ତଦାରଖ କରିଥିଲେ । ସେହିଭଳି ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ । ଏହି କୋଭିଡ୍ ହେଲଥ୍ ସେଣ୍ଟରର ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ପରିବେଶର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସମ୍ପ୍ରତି ୧୦ ଜଣ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ଡାକ୍ତରମାନଙ୍କ ଅଭାବ ଦେଖାଦେଲେ ବ୍ରହ୍ମପୁରରୁ ଆବଶ୍ୟକ ଡାକ୍ତର ଅଣାଯିବ ବୋଲି କହିଥିଲେ ।
ବାହାର ରାଜ୍ୟରେ ଅଟକିଥିବା ଶ୍ରମିକମାନଙ୍କୁ ଅଣାଯିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଶେଷ କରାଯିବା ଦରକାର ବୋଲି କହିଥିଲେ । ବର୍ତ୍ତମାନ ୧୦ ଜଣ ଡାକ୍ତରଙ୍କ ସମେତ ୧୨୦ ଜଣ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ହୋଇଥିବା ବେଳେ ଏ ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାକୁ କେତେ ଶ୍ରମିକ ଆସିଲେଣି ଏବଂ ଆଗକୁ ଆଉ କେତେ ଜଣ ଶ୍ରମିକ ଆସିବାର ଅନୁମାନ କରାଯାଉଛି ବୋଲି ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କଠାରୁ ପଚାରି ବୁଝିଥିଲେ । ଶ୍ରମିକମାନଙ୍କୁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବାକୁ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲାର ଆଉ କେତେକ ସମସ୍ୟା ଉପରେ ପଚାରିବା ସହ ବିଶେଷକରି ସାମାଜିକ ଦୂରତ୍ୱ ରକ୍ଷା କରି ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । କୋଭିଡ୍ ସେଣ୍ଟର ବୁଲି ସନ୍ତୋଷ ପ୍ରକାଶ କରି ଭୁବନେଶ୍ୱର ଫେରିଯାଇଥିଲେ । ଶ୍ରୀ ପାଣ୍ଡିଆନ୍ଙ୍କ ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୁ୍ୟଷ ଦିୱାକର, କୋଭିଡ୍-୧୯ ନୋଡାଲ ଅଫିସର ତଥା ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଶ୍ୱେତ ମହାପାତ୍ର, ଚାନ୍ଦପୁର କୋଭିଡ୍-୧୯ ଚିକିତ୍ସା କେନ୍ଦ୍ରର ଅଧିକାରୀ ଡା. ବି. ସୂର୍ଯ୍ୟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଯେ, ଚାନ୍ଦପୁରସ୍ଥିତ ଯକ୍ଷ୍ମା ହସ୍ପିଟାଲ-ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସକୁ ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା ବେଳେ କରୋନା ମହାମାରୀ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ପ୍ରଥମ କୋଭିଡ୍-୧୯ ହସ୍ପିଟାଲ କରାଯାଇଛି ।
Comments are closed, but trackbacks and pingbacks are open.