ବାସୁଦେବପୁର, (ବି.ବି.ନୁ୍ୟଜ): ମଣିଷ ପଣିଆର ମହାନତା ଦେଖାଇଛନ୍ତି ଜଣେ କ୍ଷୁଦ୍ର ବ୍ୟବସାୟୀ । ରାସ୍ତାରୁ ପାଇଥିବା ଏକ ସୁନା ହାର ଫେରାଇ ଦେଇଛନ୍ତି । ହଜି ଥିବା ୪ ଭରି ଓଜନର ହାର ଫେରିପାଇ କଳି ଯୁଗରେ ସତ୍ୟ ବଞ୍ଚି ରହିଛି ବୋଲି କହିଛନ୍ତି ସିମୁଳିଆ ଥାନା ଅଧୀନ ମାଳିବରମପୁର ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀ ।
ଭାରତୀୟ ତୈଳ ନିଗମର ଅବସରପ୍ରପାପ୍ତ କର୍ମଚାରୀ ହେଉଛନ୍ତି ଉପେନ୍ଦ୍ର । ସବୁଦିନ ଭଳି ଆଜି ସେ ପ୍ରାତଃ ଭ୍ରମଣରେ ବାହାରିଥିଲେ । ବାସୁଦେବପୁର ବ୍ଲକ ଅଧୀନ ବରଣ୍ଡୁଆ-ମଧୁସୂଦନପୁର ରାସ୍ତାରେ ସେ ପରିବାର ସହ ଭ୍ରମଣ କରିଥିଲେ । ଭ୍ରମଣ ପରେ ବରଣ୍ଡୁଆ ଛକରେ ବ୍ୟାୟାମ କରି ଘରକୁ ଫେରିଥିଲେ । ଘରେ ପହଞ୍ଚି ତାଙ୍କ କୋଟ ପକେଟରେ ଥିବା ସୁନା ଚେନଟି ଅଣ୍ଡାଳିଥିଲେ । ହେଲେ ତାହା କୋଟ ପକେଟରେ ନ ଥିବା ଜାଣି ବ୍ୟସ୍ତ ହୋଇପଡ଼ିଥିଲେ । ସୁନା ଚେନକୁ ଉନେ୍ଦ୍ରନ୍ଦ ପିନ୍ଧିଥାନ୍ତି । ହେଲେ ଶୁକ୍ରବାର ରାତିରେ ସେ ନାତି ସହ ଘରେ ଖେଳୁଥିଲେ । ନାତିର ଦୃଷ୍ଟାମୀ ପାଇଁ ହାର ଛିଡ଼ି ଯିବା ଭୟରେ ସେ ଚେନଟିକୁ ବେକରୁ ଖୋଲି କୋଟ୍ ପକେଟରେ ରଖିଥିଲେ । ଆଜି ସକାଳେ ପ୍ରାତଃ ଭ୍ରମଣ ପରେ କୋଟ ପକେଟ ଖୋଜି ଥିଲେ କିନ୍ତୁ ଚେନ ପାଇ ନଥିଲେ । ତାହା କେଉଁଠି ଗଳି ପଡ଼ିଥିଲା ।
ଉପେନ୍ଦ୍ର ପରିବାର ସହ ରାସ୍ତାରୁ ଅଭ୍ୟାସ ସାରି ଫେରିବା ପରେ ସେହି ବାଟ ଦେଇ ମଦୁସୂଦନପୁର ଗ୍ରାମର ଲମ୍ବୋଦର ପାଣିଗ୍ରାହୀ ଯାଇଥିଲେ । ଲମ୍ବୋଦର ନିକଟସ୍ଥ ବେତଡ଼ା ବଜାରର ଏକ ଷ୍ଟେସନାରୀ ଦୋକାନ କରିଛନ୍ତି । ସେ ଦୋକାନ ଯିବା ବେଳେ ସୁନା ଚେନ ପାଇଥିଲେ । ପରେ ଅନେକ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ମୁଁ ଏକ ହାର ବରଣ୍ଡୁଆ ଛକରୁ ପାଇଛି । କାହାର ଏ ହାର ? ଯିଏ ପ୍ରମାଣ ଦେଖାଇବ । ସେ ମୋ ଦୋକାନରୁ ଆସି ନେଇ ପାରିବ ବୋଲି ଲୋକଙ୍କୁ କହିଥିଲେ । ଏହିି କଥା ସେ ରାସ୍ତାରେ ଯିଏ ଦେଖା ହେଉଥିଲା ତାକୁ କହୁଥିଲେ । ଦୋକାନରେ ପହଞ୍ଚି ପାଖ ବ୍ୟବସାୟୀଙ୍କୁ ମଧ୍ୟ ସମାନ କଥା ଶୁଣାଇଥିଲେ । ସେପଟେ ଉପେନ୍ଦ୍ର ବି ରାସ୍ତାରେ ଆସି ଖୋଜାଖୋଜି କରିଥିଲେ । ଅନେକ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ । ହଜି ଥିବା ହାର ଉପେନ୍ଦ୍ର ଖୋଜୁଥିବା ଲମ୍ବୋଦର ଖବର ପାଇଥିଲେ । ସେ ସଙ୍ଗେ ସଙ୍ଗେ ଉପେନ୍ଦ୍ରଙ୍କ ସହ ଯୋଗାଯୋଗ କରିଥିଲେ । ଉପେନ୍ଦ୍ର ବେତଡ଼ା ବଜାରରେ ପହଞ୍ଚି ପ୍ରମାଣପତ୍ର ଦେଖାଇବା ସହ ନିଜ ହାର ବୋଲି ଚିହ୍ନିଥିଲେ । ହାର ଆଣିବା ବେଳେ ଲମ୍ବୋଦରଙ୍କୁ କୋଳାଗ୍ରତ କରି କଳିଯୁଗରେ ସତ୍ୟ ବଞ୍ଚି ରହିଛି ବୋଲି ଭାବ ଗଦଗଦ କଣ୍ଠରେ କହିଥିଲେ ।
Comments are closed, but trackbacks and pingbacks are open.