ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ଆଉ ନାହାନ୍ତି । ଦିଲ୍ଲୀ ଏମ୍ସରେ କିଛି ଦିନ ଧରି ଚିକିତ୍ସିତ ହେବା ପରେ ଆଜି ୧୨ଟା ୭ ମିନିଟ୍ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ଜେଟ୍ଲୀଙ୍କ ପତ୍ନୀ ସଙ୍ଗୀତା ଜେଟ୍ଲୀ ଓ ପୁଅ-ଝିଅ ଉପସ୍ଥିତ ଥିଲେ । ଗତବର୍ଷ ତାଙ୍କର କିଡ୍ନି ପ୍ରତିରୋପଣ ହେବା ପରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ଚଳିତମାସ ୧୦ ତାରିଖରେ ଶ୍ୱାସପ୍ରଶ୍ୱାସରେ ଭୀଷଣ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ଶେଷ ନିଃଶ୍ୱାସ ଛାଡ଼ିବା ପୂର୍ବରୁ ଜେଟ୍ଲୀଙ୍କୁ ଇସିଏମ୍ଓ ଏବଂ ଆଇଏବିପି ଭଳି ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତର ଦଳ ନିୟୋଜିତ ଥିଲେ । କିନ୍ତୁ ସମସ୍ତ ଉଦ୍ୟମ ସତ୍ତେ୍ୱ ଜେଟ୍ଲୀ କ୍ରମେ ଅଧିକ ସଂକଟାପନ୍ନ ହୋଇପଡ଼ିଥିଲେ । ଜେଟ୍ଲୀଙ୍କ ପରଲୋକ ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରମୁଖ ଶୋକପ୍ରକାଶ କରିଛନ୍ତି । \nଜେଟ୍ଲୀ ଚଳିତବର୍ଷ ଫେବ୍ରୁଆରୀରେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ଫଳରେ ଫେବ୍ରୁଆରୀରେ କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟ୍ ଆଗତ କରିପାରି ନଥିଲେ । ମେ ମାସରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ସାଧାରଣ ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖି କୌଣସି ଦାୟିତ୍ୱ ନ ଦେବାକୁ ଅନୁରୋଧ କରିଥିଲେ ଜେଟ୍ଲୀ । କିନ୍ତୁ ଦାୟିତ୍ୱରେ ନ ଥିଲେ ବି ବିଜେପି ପାଇଁ ସେ ତ୍ରାଣକର୍ତ୍ତା ସାଜିଥିଲେ । ବିଭିନ୍ନ ନୀତି, ସଂସ୍କାର ଅଥବା କୌଣସି ବିଧେୟକ ବାବଦରେ ବିରୋଧୀଙ୍କୁ ସମସ୍ତ ଜବାବ ଦେବାକୁ ପ୍ରସ୍ତୁତ ରହୁଥିଲେ ଜେଟ୍ଲୀ ।\nଓକିଲରୁ କେନ୍ଦ୍ରମନ୍ତ୍ରୀ ପାଲଟିଥିବା ଜେଟ୍ଲୀଙ୍କ ଦେହାନ୍ତ ପରେ ବିଜେପିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଜେପିର ପ୍ରତିଟି କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଆସୁଥିବା ଜେଟ୍ଲୀ ଅନେକ ଥର ଦଳର ଉଦ୍ଧାରକର୍ତ୍ତା ସାଜିଛନ୍ତି । ରାଫେଲ୍ ଚୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଠାରୁ ଆରମ୍ଭକରି ଅର୍ଥନୈତିକ ସଂସ୍କାର ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ବିଜେପି ପାଇଁ ବେଶ୍ ସହାୟକ ହୋଇଛି । ବିରୋଧୀଙ୍କ ପ୍ରଶ୍ନଗୁଡ଼ିକର ଯୁକ୍ତିସଙ୍ଗତ ଜବାବ ରଖିବାରେ ସେ ସିଦ୍ଧହସ୍ତ ପ୍ରମାଣିତ ହୋଇଛନ୍ତି ।
୧୯୫୨ ଡିସେମ୍ବର ୨୮ରେ ଦିଲ୍ଲୀର ନାରୈନା ବିହାର ଅଞ୍ଚଳରେ ଏକ ଆଇନଜୀବୀ ତଥା ସମାଜସେବୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜେଟ୍ଲୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଜେଟ୍ଲୀ ପିଲାଦିନରୁ ଆଇନ ଓ ରାଜନୀତି ପ୍ରତି ଯଥେଷ୍ଟ ରୁଚି ରଖୁଥିଲେ । ୧୯୭୪ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସେ ସଭାପତି ନିର୍ବାଚିତ ହେବା ପରେ ହିଁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ।\nସୁପ୍ରିମକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଭାବେ ଜଣାଶୁଣା ଜେଟ୍ଲୀ ୪ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ସେ ଆଇନ ଓ ନ୍ୟାୟ ମନ୍ତ୍ରୀ ଥିଲେ । ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ ଅର୍ଥ ଓ କର୍ପୋରେଟ ବ୍ୟାପାର, ପ୍ରତିରକ୍ଷା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି ସେ । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ବିଜୟ ହାସଲ କରି ସରକାର ଗଢ଼ିଥିଲା । ଯଦିଓ ଲୋକସଭା ନିର୍ବାଚନରେ ଜେଟ୍ଲୀ ହାରିଥିଲେ, ଏହା ସତ୍ତେ୍ୱ ତାଙ୍କୁ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ମିଳିଥିଲା ।
Comments are closed, but trackbacks and pingbacks are open.