ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମିଲର୍ସଙ୍କ ମନମାନିରେ ଚାଲିଛି ଧାନ କିଣା । ଦଲାଲ-ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ଚାଷୀ ଧାନର ଅଭାବୀ ବିକ୍ରି ହେଉଛି । ସରକାର ଟୋକନ ବ୍ୟବସ୍ଥା ଆଣି ଧାନ କିଣାରେ ବାଧକ ସାଜିଛନ୍ତି । ଚାଷୀ ଧାନ ଧରି ଏବେ ରାଜରାସ୍ତାରେ । ଧାନ କିଣା ବ୍ୟବସ୍ଥାକୁ ମିଲରମାନେ ନିୟନ୍ତ୍ରଣ କରୁଛନ୍ତି । ସେମାନେ ଏ ପ୍ରକ୍ରିୟାର ହର୍ତ୍ତା କର୍ତ୍ତା ଓ ବିଧାତା ସାଜିଛନ୍ତି । ସରକାର ତୁରନ୍ତ ବ୍ୟବସ୍ଥା ସଜାଡନ୍ତୁ । ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରନ୍ତୁ । ଆଜି ମୁଲତବି ଆଲୋଚନାରେ ବିରୋଧୀ ସରକାରଙ୍କ ଉପରେ ଅଭିଯୋଗର ଏମିତି ପାହାଡ଼ ଲଦିଛନ୍ତି ।
ପଶ୍ଚିମ ଓଡ଼ିଶାରେ ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଚାଷୀମାନେ ଏ ପ୍ରସଙ୍ଗରେ ଆନେ୍ଦାଳନକୁ ଓହ୍ଲାଇଥିଲା ବେଳେ ବିଜେପି ପକ୍ଷରୁ ଏ ନେଇ ବିଧାନସଭାରେ ମୁଲତବି ଆଲୋଚନା ହୋଇଥିଲା । ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଲେ, ସରକାର ଟୋକନ ବ୍ୟବସ୍ଥା କାହିଁକି କରିଛନ୍ତି? ମିଲରମାନେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଦଲାଲମାନଙ୍କ ମାଧ୍ୟମରେ ନିୟନ୍ତ୍ରଣ କରୁଛନ୍ତି । ଆମ ରାଜ୍ୟରେ ପ୍ରାୟ ୪ ଶହ ମଣ୍ଡି ଅଛି ମାତ୍ର କେଉଁଠି ସର୍ବନିମ୍ନ ସୁବିଧା ନାହିଁ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚାଷୀମାନେ ୧୫ରୁ ମଣ୍ଡିକୁ ଧାନ ଆଣିଛନ୍ତି । ମାତ୍ର ଏଯାଏ ଗୋଟିଏ ବସ୍ତା କିଣା ହୋଇନି । ଚାଷୀଙ୍କୁ ଟୋକନ ମିଳିନି । ପୂର୍ବଭଳି ଜିଲ୍ଲା କମିଟିକୁ ସରକାର କ୍ଷମତା ଦିଅନ୍ତୁ । ସରକାର ତୁରନ୍ତ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଗୋଟିଏ ପଟେ ଯେତେ ଧାନ ମଣ୍ଡିକୁ ଆସିବ ତାକୁ କିଣିବେ ବୋଲି ମନ୍ତ୍ରୀ କହୁଛନ୍ତି । ଅନ୍ୟ ପଟେ ହେକ୍ଟର ପିଛା ୧୯ କୁଇଣ୍ଟାଲ ଧାନ ଯୋଗାଣ ବିଭାଗ ସଂଗ୍ରହ କରିବ ବୋଲି ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡ଼ିଶାରେ ଧାନକିଣା ଆରମ୍ଭ ହୋଇନି । ଏଭଳି ସ୍ପର୍ଶକାତର ଆଲୋଚନା ବେଳେ ଗୃହରେ ଶାସକ ଦଳର ମାତ୍ର ୧୬ ଜଣ ସଭ୍ୟ ଗୃହରେ ଅଛନ୍ତି । ମିଲରମାନେ ସରକାରୀ ଅଧିକାରୀଙ୍କ ସହ ସଂପର୍କରେ ବନ୍ଧା ପଡ଼ିଛନ୍ତି । ଚାଷୀ ହନ୍ତସନ୍ତ ହେଉଛନ୍ତି । ବିଜେପି ସଭ୍ୟ ନାଉରୀ ନାୟକ କହିଲେ, ଚାଷୀଙ୍କ ନିକଟରେ ଟୋକନ ପହଞ୍ଚିନି । ଚାଷୀମାନେ ସମ୍ବଲପୁରରେ ଏଯାଏ ଫସଲ ବୀମା ପାଇନାହାନ୍ତି । ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
ବିଜେପି ସଦସ୍ୟ ମୁକେଶ ମହାଲିଙ୍ଗ କହିଲେ, ସରକାର ଜିଲ୍ଲାୱାରୀ ଧାନ କିଣିବାର ସିଲିଂ ଧାର୍ଯ୍ୟ କରନ୍ତୁ । ପଶ୍ଚିମ ଓଡ଼ିଶାରେ ଅଧିକ ଧାନ ଅମଳ ହେଉଛି । ମାତ୍ର ସରକାର ଜଳସେଚିତ ଜମିର ଏକର ପିଛା ୧୯ ଏବଂ ଅଣଜଳସେଚିତର ୧୩ କୁଇଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ କରିଛନ୍ତି । ବଳକା ଧାନ ଚାଷୀ ଅଭାବୀ ବିକ୍ରି କରିବ । କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ବିଭ୍ରାଟର ମୂଳ କାରଣ ଟୋକନ ବ୍ୟବସ୍ଥା । ପଶ୍ଚିମ ଓଡ଼ିଶା ଚାଷୀ ଏବେ ରାଜରାସ୍ତାରେ । ମନ୍ତ୍ରୀ ବାଟବଣା ହୋଇପଡ଼ିଛନ୍ତି । ଟୋକନ ବ୍ୟବସ୍ଥା ଆଳରେ ଚାଷୀଙ୍କୁ ଲଲିପପ ଦିଆଯାଉଛି ।
ଶାସକ ଦଳର ବିଧାୟକମାନେ କିନ୍ତୁ ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥା ସପକ୍ଷରେ ମତ ରଖିଥିଲେ । ସଭ୍ୟ ସାରଦା ନାୟକ କହିଲେ, ମନ୍ତ୍ରୀ ଉଭୟ ଯୋଗାଣ ଓ ସମବାୟ ବିଭାଗ ଦାୟିତ୍ୱରେ ଥିବାରୁ ଧାନକିଣାରେ ସମନ୍ୱୟ ରକ୍ଷା ହୋଇପାରୁଛି । ଏଥିରେ ସ୍ୱଚ୍ଛତା ଶତ ପ୍ରତିଶତ ହୋଇପାରିବ । ଶାସକ ଦଳର ସଭ୍ୟ କିଶୋର ମହାନ୍ତି କହିଲେ, ଚାଷୀଙ୍କୁ ଚାଷର ମୂଲ୍ୟ ଦେବାକୁ ଏ ଟୋକନ ବ୍ୟବସ୍ଥା । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଟୋକନ ବ୍ୟବସ୍ଥାକୁ ସମର୍ଥନ କରିବା ଦରକାର । ଶାସକ ଦଳର ସଦସ୍ୟ ଧ୍ରୁବ ସାହୁ କହିଲେ, ଟୋକନ ବ୍ୟବସ୍ଥାକୁ କଂପୁ୍ୟଟରୀକରଣ କରାଯାଇଛି । ଆମକୁ ସମୟ ସହ ତାଳ ଦେଇ ଆଗକୁ ଯିବାକୁ ହେବ । ଟୋକନ ବ୍ୟବସ୍ଥା ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ । ସେହିଭଳି କିଶୋର ଚନ୍ଦ୍ର ନାଏକ କହିଲେ, ଚାଷୀଙ୍କୁ ଏଥିପାଇଁ ଅଧିକ ସଚେତନ କରିବାକୁ ହେବ । ସରକାର ଚାଷୀଙ୍କଠାରୁ ସମସ୍ତ ଧାନ କିଣିବାକୁ ନିଷ୍ପତ୍ତି ନିଅନ୍ତୁ ।
Comments are closed, but trackbacks and pingbacks are open.