ଚାଷୀଙ୍କ କାମରେ ଲାଗୁନି ମେଗା ଉଠାସେଚ ପ୍ରକଳ୍ପ

Get real time updates directly on you device, subscribe now.

ନବରଙ୍ଗପୁର: ଆଷାଢ ଯାଇ ଶ୍ରାବଣ ମାସ ହେଲାଣି । କିନ୍ତୁ ଜିଲ୍ଲାରେ ବର୍ଷା ଅଭାବ ।ହିଛି । ଏଥିପାଇଁ ଚାଷ ଜମି ଗୁଡ଼ିକ ଫାଟି ଅାଁ କଲାଣି । ଜମିରେ ପାଣି ଅଭାବ ପାଇଁ ରୁଆ କାମ ଅଟକି ଯାଇଛି । ତଳି ଖରାରେ ଝାଉଁଳି କେଉଁଠି ହଳଦିଆ ପଡ଼ିଲାଣି ତଥା ଆଉ କେଉଁଠି ବୁଢା ଭଳି ଦିଶିଲାଣି । ରୁଆ ପାଇଁ ତଳି ଆଉ କାମ ଦେଇ ନପାରେ ଯାହାକି ଚାଷୀମାନେ ଆଶଙ୍କା କରୁଛନ୍ତି । ବୁଣା ଯାଇଥିବା ଧାନ ଗଜା ମରୁଡି ପରିସ୍ଥିତିକୁ ଆସିଯିବା ଆଶଙ୍କା ଦେଖା ଦେଇଛି । ମୌସୁମୀ ବର୍ଷା ଚାଷୀଙ୍କୁ ଧୋକା ଦେଇଥିବା ବେଳେ ସରକାରଙ୍କ ବିପୁଳ ଅର୍ଥ ବ୍ୟୟରେ ନିର୍ମିତ ମେଗା ଉଠାଜଳସେଚନ ପ୍ରକଳ୍ପ ଜଳସେଚନ ପାଇଁ ସାହା ହେବାରେ ଫେଲ୍ ମାରିଛି ।
ପ୍ରକଳ୍ପ ଆରମ୍ଭରୁ ଚାଷ ଜମିକୁ ବୁନ୍ଦାଏ ପାଣି ମାଡ଼ି ପାରିଲାନି । କେବଳ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ହେଲେ ମେଗା ଉଠାଜଳସେଚନ ପ୍ରକଳ୍ପରୁ ଚାଷୀଙ୍କ ଜମିକୁ ପାଣି ଛଡ଼ାଯିବ ବୋଲି ବିଭାଗର ଅଧିକାରୀ ଓ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ । ନଦୀ ଗର୍ଭରୁ ଭୂତଳ ଜଳ ଉପରକୁ ଉଠାଇ ନନ୍ଦାହାଣ୍ଡି ବ୍ଲକର ୩୭ ଗ୍ରାମର ୩ହଜାର୮ଶହ ୮୦ ହେକ୍ଟର ଜମିକୁ ଜଳସେଚିତ କରାଯିବା ପ୍ରକଳ୍ପର ଲକ୍ଷ୍ୟ ଥିଲା । ନନ୍ଦାହାଣ୍ଡି ବ୍ଲକର ୪ଟି ସ୍ଥାନରେ ଉଠା ସେଚ ପ୍ରକଳ୍ପ କରାଯାଇଛି । ସେଗୁଡ଼ିକ ହେଲା ଇନ୍ଦ୍ରାବତୀ ନଦୀକୂଳର ଗାଁ ଡାଇଭଟ୍ଟା, ନୂଆଗାଁ, ଏକମ୍ବା ଓ ପରଜାମୀନିଗୁଡ଼ା । ୪ଟି ପ୍ରକଳ୍ପ ପାଇଁ ୧୫ ମିଟର ତଳୁ ଇନ୍ଦ୍ରାବତୀ ନଦୀର ଭୂତଳ ଜଳରୁ ପମ୍ପ ସାହାଯ୍ୟରେ ଉପରକୁ ଉଠାଇ କେବଳ ଜଳସେଚନ ପାଇଁ ଏହାକୁ ଗଚ୍ଛିତ ରଖାଯିବ । ୪ଟି ପ୍ରକଳ୍ପର ୩ହଜାର ୮ଶହ ୮୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ଦୀର୍ଘ ୧୧୯ କି.ମି ପାଇପ୍ ଲାଇନ୍ ଜମି ତଳେ ବିଚ୍ଛାଯାଇ ଜମି ଗୁଡିକରେ ପାଣି ପହଞ୍ଚାଇବା ପାଇଁ ପଏଣ୍ଟ ଗୁଡିକ ବସାଯାଇଛି । କିନ୍ତୁ ପାଣି ଟୋପାଏ ପାଣି ଜମିକୁ ମାଡ଼ୁ ନଥିବା ତୁରଞ୍ଜିଆଗୁଡା, ରଙ୍ଗମାଟିଗୁଡା, ଦଳେଇଗୁଡାର ଭୂବନେଶ୍ୱର ସୂର, ସିମାଂଚଳ ପାଢୀ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନଥିବା ବେଳେ ଜଣେ ଠିକାଦାରଙ୍କ ହାତରେ ପ୍ରକଳ୍ପ ଟେକି ଦିଆଯାଇଛି । ଚାଷୀ ଅଭିଯୋଗ କଲେ ପାଣି ଆଜିକାଲି ଭିତରେ ଛଡ଼ାଯିବ ବୋଲି ଭୂଅାଁ ବୁଲାଯାଉଛି ।
କୃଷି ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାରେ ୧ଲକ୍ଷ ୧୫୧୭ ହେକ୍ଟର ଜମିରେ ଧାନ ଚାଷ ପାଇଁ ଯୋଜନା କରାଯାଇଥିଲା । ସେଥିରୁ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ଜମିରେ ଧାନ ବୁଣା ଓ ରୁଆ କାମ ସରିଥିବା ବିଭାଗ କହୁଥିବା ବେଳେ ବେସରକାରୀ ଭାବେ ହଜାର ହଜାର ହେକ୍ଟର ଜମିରେ ତଳି ରୁଆ କାମ ଆରମ୍ଭ ହୋଇପାରି ନଥିବା ଦର୍ଶାଯାଉଛି । ବର୍ଷା ଅଭାବ ଜନିତ ସମସ୍ୟକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସତ୍ୟପ୍ରସାଦ ସାମନ୍ତରାୟ ସ୍ୱୀକାର କରିଛନ୍ତି । କିନ୍ତୁ ଜମିରେ ଆଦ୍ରତା ଥିବା ଯୋଗୁ ଫସଲ କ୍ଷତି ହେବା ସମ୍ଭାବନା କମ୍ ଥିବା ସେ ଅନୁମାନ କରୁଛନ୍ତି ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons