ଚାଷୀଙ୍କ ରାଜପଥ ଅବରୋଧ

Get real time updates directly on you device, subscribe now.

ଜୟପୁର: ଆଜି ସରୁଥିଲା ଅନେକ ଚାଷୀଙ୍କ ଟୋକନ୍ ଅବଧି । ତା ସହିତ ଅନ୍ୟ ଚାଷୀମାନେ ବି ଧାନ ବିକିବାକୁ ମଣ୍ଡିରେ ପହଞ୍ଚିଥିଲେ । କିନ୍ତୁ ଦିନତମାମ ଆର୍ଏମ୍୍ସି, ଟାଙ୍କୁଆ ଏବଂ ଡଙ୍ଗରଛିଞ୍ଚି ମଣ୍ଡିରୁ ଧାନ ଉଠାଇବା ଦିଗରେ ନିଆଯାଇନଥିଲା କୌଣସି ପଦକ୍ଷେପ । ଏହାକୁ ନେଇ ତାତି ଉଠିଥିଲେ ଶତାଧିକ ଚାଷୀ । ଆର୍ଏମ୍ସି କାର୍ଯ୍ୟାଳୟ ନିକଟ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଧାନ ବୋଝେଇ ଟ୍ରାକ୍ଟର ଓ ଟ୍ରକ୍ ରଖି ଅବରୋଧ କରିଥିଲେ । ଏଥିଯୋଗୁ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୭ଟା ଦୀର୍ଘ ଅଢେଇ ଘଣ୍ଟା ଧରି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଧବାର ସମସ୍ତ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ହଟିଥିଲା ରାସ୍ତାରୋକ ।
ଉମୁରୀ ଲ୍ୟାମ୍ପସ ପକ୍ଷରୁ ଆଜି ଟାଙ୍କୁଆ, ଆରଏମ୍ସି ଏବଂ ଡଙ୍ଗରଛିଞ୍ଚି ମଣ୍ଡିରୁ ଧାନ ଉଠିବାର ଥିଲା । କିନ୍ତୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ କ୍ରୟକାରୀ ସଂସ୍ଥା କିମ୍ବା ଯୋଗାଣ ବିଭାଗ ଅଧିକାରୀ-କେହିହେଲେ ପହଞ୍ଚିନଥିଲେ । ଗାଡ଼ି ନଥିବା ଦର୍ଶାଇ ଧାନ କିଣାଯାଇନଥିଲା । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଚାଷୀ ଡମ୍ବୁରୁ ଗାଦବା, ପି. କ୍ରିଷ୍ଣାରାଓ, ରତନ ଗାଦବା, ଅଭି ଗାଦବା, ତ୍ରିନାଥ ବିଶୋଇ, ଦମାଇ ଗାଦବା, ନାରାୟଣ ବିଶୋଇ, ବିଜୟ ନାୟକ, ଅଭି ନାୟକ ପ୍ରମୁଖ କହିଛନ୍ତି, ୨୮ ତାରିଖରେ ଧାନ ବିକ୍ରି କରିବାକୁ ସେମାନଙ୍କ ପାଖକୁ ଟୋକନ ଆସିଥିଲା । ୧୨ ଦିନ ଏହାର ଅବଧି ରହିଥିଲା । ଅର୍ଥାତ ଆଜି ଥିଲା ଅବଧିର ଶେଷଦିନ । ଏଥିପାଇଁ ସକାଳୁ ସକାଳୁ ମଣ୍ଡିକୁ ଧାନ ଆଣିଥିଲେ । କିନ୍ତୁ ମିଲର କିମ୍ବା ଲ୍ୟାମ୍ପ୍ସ କର୍ମଚାରୀ, କାହାରି ହେଲେ ଦେଖାମିଳିନଥିଲା । ମଣ୍ଡିରେ ଚାଷୀଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିରହିଥିଲେ ବି ଟ୍ରକ ଆସିଲେ ଧାନ କିଣାଯିବ ବୋଲି କୁହାଗଲା । ଟ୍ରକ ଆସିବା ସହ ଚାଷୀଙ୍କ ସମ୍ପର୍କ କ’ଣ । ଲ୍ୟାମ୍ପସ ଧାନ କିଣିବ, ଚାଷୀ ଧାନ ବିକିବେ । ଧାନ କିଣିବା ପରେ ଏହାର ପରିବହନ ଦାୟିତ୍ୱ ମିଲର ଓ ଲ୍ୟାମ୍ପସ୍ର । ଚାଷୀଙ୍କର ଏଥିରେ ଯାଏଆସେ କେତେ । ମଣ୍ଡି ଆରମ୍ଭରୁ ଏହି ସମସ୍ୟା କହି ହଇରାଣ କରାଯାଉଛି । ଏହାର ପ୍ରତିବାଦ କରି ଆଜି ଚାଷୀମାନେ ବାଧ୍ୟହୋଇ ରାସ୍ତାକୁ ଓହ୍ଲାଇଥିଲେ । ବହୁ ସମୟ ପରେ ତହସିଲଦାର ଅଶ୍ୱିନୀ ମହାପାତ୍ର ଏବଂ ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡ ପ୍ରମୁଖ ପହଞ୍ଚି ଆଲୋଚନା କରିଥିଲେ । ବୁଧବାର ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଚାଷୀମାନେ ଆନେ୍ଦାଳନରୁ ଓହରିଥିଲେ ।
ଉମୁରୀ ଏମ୍ଡି ରାମପ୍ରସାଦ କହିଛନ୍ତି, ଟ୍ରକ ଆସୁ ନଥିବାରୁ ମଣ୍ଡିରେ ଧାନ କିଣାନେଇ ସମସ୍ୟା ଦେଖାଦେଇଛି । ଏଜେଣ୍ଟ ଓ ମିଲରଙ୍କୁ କୁହାଯାଇଛି ତୁରନ୍ତ ଟ୍ରକ ଯୋଗାଇବା ଲାଗି । ଆଜି ଯେଉଁମାନେ ଧାନ ବିକିବା କଥା, ବୁଧବାର ସେମାନେ ଦେଇପାରିବେ । ଏଥିରେ କୌଣସି ଅସୁବିଧା ହେବ ନାହିଁ ।

ରିପୋର୍ଟ: ବାସୁଦେବ ଜେନା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons