ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ଆଦିବାସୀ ଅଧୁ୍ୟଷିତ ନବରଙ୍ଗପୁର ଜିଲ୍ଲାରେ ଥମୁନି ଚେଙ୍କ ଚିକିତ୍ସା । ଅନ୍ଧବିଶ୍ୱାସରୁ ଏଭଳି କାଣ୍ଡ କରାଯାଉଛି । ଏପରିସ୍ଥଳେ, ଶୁକ୍ରବାର ଚନ୍ଦାହାଣ୍ଡି ବ୍ଲକ ଜୁନାପାଣି ଗାଁର ଜଣେ ମହିଳାଙ୍କୁ ଚେଙ୍କ ଦିଆଯାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଚେଙ୍କ ପରେ ମହିଳାଜଣକ ଗୁରୁତର ହୋଇପଡିବାରୁ ତାଙ୍କୁ ମେଡିକାଲାରେ ଭର୍ତ୍ତି କରାଯାଇଛି । ଏହି ମହିଳା ହେଲେ ଗାଁର କସ୍ତୁରୀ ରୋତି(୫୫) । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ସମ୍ପୃକ୍ତ ଡାକ୍ତର କହିଛନ୍ତି ।
ସୂଚନା ଅନୁସାରେ, କସ୍ତୁରୀଙ୍କ ବେକରେ କିଛିଦିନ ହେଲା ଏକ ଫୁଲା ଦେଖିବାକୁ ମିଳିଥିଲା । ଏଥିଯୋଗୁ ସେ ଯନ୍ତ୍ରଣାରେ ଛଟପଟ ହେବା ସହ କିଛି ଖାଦ୍ୟ ଖାଇପାରୁ ନଥିଲେ । ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ କସ୍ତୁରୀଙ୍କ ଚିକିତ୍ସା ହୋଇପାରୁ ନଥିଲା । କିଛିଦିନ ତଳେ ଧାରକରଜ କରି ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଧର୍ମଗଡ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ପରେ ମଧ୍ୟ କସ୍ତୁରୀଙ୍କ ବେକର ଫୁଲା କମି ନଥିଲା । ଅର୍ଥ ଅଭାବରୁ କସ୍ତୁରୀ ବାହାରକୁ ଯାଇ ଚିକିତ୍ସିତ ହୋଇପାରୁ ନଥିଲେ । ଶେଷରେ ପରିବାର ଲୋକେ ଦେଶୀ ଚିକିତ୍ସା ସାହାଯ୍ୟ ନେଇଥିଲେ । କସ୍ତୁରୀଙ୍କ ବେକଫୁଲା କମାଇବାକୁ ଚେଙ୍କ ଦିଆଯାଇଥିଲା । ଚେଙ୍କ ଦିଆଯିବା ପରେ କସ୍ତୁରୀ ଗୁରୁତର ହୋଇପଡିଥିଲେ । ତାଙ୍କ ବେକ ଅଧିକ ଫୁଲି ଯାଇଥିଲା । ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସଂଗ୍ରାମ କେଶରୀ ସାହୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମହିଳାଙ୍କର ରକ୍ତଚାପ ଓ ରକ୍ତ ଶର୍କରା ବଢିଥିବା ଜଣାପଡିଥିଲା । ସେହି ଅନୁସାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ଚିକିତ୍ସା ପରେ କସ୍ତୁରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଛନ୍ତି । ଅନ୍ୟପକ୍ଷରେ, କୌଣସି ରୋଗରେ ପୀଡିତ ହୋଇ ମହିଳାଙ୍କ ସ୍ୱାମୀ ଫିନା ରୋତି(୬୫) ମଧ୍ୟ ଗୁରୁତର ହୋଇ ପଡିଥିଲେ । ଡାକ୍ତରଖାନାରେ ତାଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି । ଖବର ପାଇ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ଟିକମ ସିଂ ନାୟକ ଡାକ୍ତରଖାନାରେ ଏହି ଦମ୍ପତିଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ମହିଳାଙ୍କୁ ଗଳଗଣ୍ଠ(ଥାଇରଏଡ୍) ରୋଗ ଥାଇପାରେ ବୋଲି ଡାକ୍ତର ସାହୁ କହିଛନ୍ତି ।


Comments are closed, but trackbacks and pingbacks are open.