ଚିଦାମ୍ବରମଙ୍କୁ ୧୪ ଦିନ ଲାଗି ତିହାର ଜେଲକୁ ପଠାଇଲେ ସିବିଆଇ କୋର୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସିବିଆଇ କୋର୍ଟରୁ ମିଳିଲାନି ଆସ୍ୱସ୍ତି। ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୧୯ ସେପ୍ଟେମ୍ବର ପର୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଥିବା ବେଳେ ଏହି ୧୪ ଦିନ ସେ ତିହାର ଜେଲରେ ରହିବେ ବୋଲି ଜଣାପଡିଛି। ଚିଦାମ୍ବରମଙ୍କୁ ‘ଜେଡ୍’ ସିକ୍ୟୁରିଟି ଉପଲବ୍ଧଥିଲା । ଏଣୁ ଜେଲରେ ମଧ୍ୟ ତାଙ୍କ ସୁରକ୍ଷା କଡାକଡି କରାଯାଇଛି।
ସେପଟେ ଚିଦାମ୍ବରମ ଇଡିରେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ଓକିଲମାନେ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ କହିଛନ୍ତି। ମାମଲାରେ କୋର୍ଟ ଇଡିଙ୍କୁ ଜବାବ ତଲବ କରିଥିବା ବେଳେ ଆସନ୍ତା ୧୨ ତାରିଖ ଦିନ ଆବେଦନର ଶୁଣାଣି ହେବ। ତେବେ ଚିଦାମ୍ବରମଙ୍କୁ ବିଚାରବିଭାଗୀୟ ହାଜତ ପଠାଇବା ଲାଗି କୋର୍ଟଙ୍କ ନିଷ୍ପତ୍ତିକୁ ତାଙ୍କ ଓକିଲ କପିଲ ଶିବଲ ଦୃଢ ବିରୋଧ କରିଥିଲେ। ଶିବଲ କହିଥିଲେ ଯେ ସେ ଇଡିରେ ସରେଣ୍ଡର କରିବାକୁ ଚାହୁଁଛନ୍ତି ଓ ଇଡି ତାଙ୍କୁ ପଚରାଉଚରା ଲାଗି ନିଜ ତତ୍ୱାବଧାନକୁ ନେଇପାରେ। ଏଣୁ ବିଚାର ବିଭାଗୀୟ ହାଜତକୁ ତାଙ୍କୁ ପଠା ନଯାଉ। ତେବେ ସିବିଆଇ ଓକିଲ ଚିଦମ୍ବରମ ଯେହେତୁ ଜଣେ କ୍ଷମତାଶାଳୀ ବ୍ୟକ୍ତି ତେଣୁ ତାଙ୍କୁ ଖୋଲା ଛାଡିବା ବି ବିପଦ ମୁକ୍ତ ନୁହେଁ ବୋଲି ଯୁକ୍ତି କରିଥିଲେ।
ଅଭିଯୋଗ ରହିଛି ଯେ ସିବିଆଇ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ ଲାଞ୍ଚ ନେଇ ଆଇଏନଏକ୍ସକୁ ୨୦୦୭ ମସିହାରେ ୩୦୫ କୋଟି ଟଙ୍କା ନେବା ଲାଗି ବିଦେଶୀ ନିବେଶ ସମ୍ବର୍ଦ୍ଧନ ବୋର୍ଡରୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏଥିରୁ ଯେଉଁ ସବୁ କମ୍ପାନୀର ଲାଭ ହୋଇଥିଲା ସେଥିରେ ଅଧିକାଂଶ କମ୍ପାନୀର ମାଲିକ ଚିଦମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦମ୍ବରମ ବୋଲି ଜଣାପଡିଥିଲା। ଏ ନେଇ ସିବିଆଇ ୧୫ ମେ ୨୦୧୭ ମସିହାରେ ମୋକଦ୍ଦମା ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହାର ବର୍ଷକ ପରେ ଇଡି ମଧ୍ୟ ମନି ଲଣ୍ଡ୍ରିଂ ମୋକଦ୍ଦମା ରୁଜୁ କରିଥିବା ବେଳେ ଏୟାରସେଲ-ମ୍ୟାକ୍ସିସ ଡିଲରେ ବି ତାଙ୍କୁ ଦୋଷୀ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons