ଜୟପୁର: ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୈନିକ ସଂକ୍ରମଣରେ ଧୀରେ ଧୀରେ ବ୍ରେକ୍ ଲାଗୁଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ଜୟପୁର ପ୍ରତିଦିନ ୨ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେତେକ ଅମାନିଆ ପଜିଟିଭ୍ଙ୍କ ଲାଗି ସଂକ୍ରମଣ ବ୍ୟାପୁଥିବା ସହରରେ ଚର୍ଚ୍ଚା ହେଉଛି । ପଜିଟିଭ୍ ଚିହ୍ନଟ ପରେ ସେମାନେ ହୋମ୍ ଆଇସୋଲେସନ୍ରେ ନରହି ବାହାରେ ବୁଲୁଛନ୍ତି । ଦୋକାନ ବଜାରକୁ ଯାଉଛନ୍ତି । ଯାହା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି । ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ପୁଲିସ ଅମାନିଆଙ୍କୁ ତାଗିଦ୍ କରୁଛି । ମାମଲା ରୁଜୁ ଧମକ ପରେ ମଧ୍ୟ ଅମାନିଆ ନମାନି ଓଲଟି ପୁଲିସ ସହ ଯୁକ୍ତିତର୍କ କରୁଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ସହରର ଜଣେ ବ୍ୟକ୍ତି କିଛିଦିନ ତଳେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚରା ଯାଇଥିଲା । ଠିକ୍ ଲାଗୁଥିବାରୁ ସେ ହୋମ୍ ଆଇସୋଲେସନ୍ରେ ରହିବେ ବୋଲି କୁଆଡେ଼ କହିଥିଲେ । ଏ ସମ୍ପର୍କିତ ଆବଶ୍ୟକ ପରାମର୍ଶ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବାହାରେ ବୁଲୁଥିବା ସାହି ଲୋକ ଦେଖିବାକୁ ପାଇଥିଲେ । ବାହାରେ ନବୁଲିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ କୁଆଡେ ଚିହିଁକି ଉଠିଥିଲେ ବ୍ୟକ୍ତି ଜଣଙ୍କ । ନିଜ କଥା ଦେଖ, ପର କଥାରେ ମୁଣ୍ଡ ପୂରାଅ ନାହିଁ ବୋଲି କହିଥିଲେ । ଖବର ପହଞ୍ଚିଥିଲା ଥାନାରେ । ଜଣେ ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରିଥିଲେ । ଫୋନ୍ ଉଠାଇଥିଲେ ତାଙ୍କ ପୁଅ । ପଜିଟିଭ୍ ଥାଇ ବାହାରେ ନବୁଲିବାକୁ ଅଧିକାରୀ ଜଣଙ୍କ ପରାମର୍ଶ ଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇଥିଲେ ବ୍ୟକ୍ତିଙ୍କ ପୁଅ । ବଜାରରେ ଏମିତି ଅନେକ ବୁଲୁଛନ୍ତି । ପୁଲିସ କ’ଣ କରୁଛି ବୋଲି ପଚାରିଥିଲେ । ଯେଉଁମାନେ ବୁଲୁଛନ୍ତି, ସେମାନେ ସମସ୍ତେ ନେଗେଟିଭ୍ କି ବୋଲି ଯୁକ୍ତି କରିଥିଲେ । ପୁଲିସ ଅଯଥା ଫୋନ୍ କରି ତାଙ୍କୁ ହଇରାଣ କରୁଛି । ତାଙ୍କ ବାପା ମାନସିକ ଚାପରେ ରହୁଛନ୍ତି । ଯଦି କିଛି ହୋଇଯାଏ କିଏ ଦାୟୀ ରହିବ ବୋଲି ପଚାରିଥିଲେ । ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଓଲଟି ଧମକ ଦେଇଥିଲେ । କୌଣସି ପରାମର୍ଶ ନଶୁଣିବାରୁ ବାଧ୍ୟ ହୋଇ ଅଧିକାରୀ ଜଣଙ୍କ ତାଗିଦ୍ କରିଥିଲେ । ଘରେ କିମ୍ବା ମେଡିକାଲରେ ନରହି ବାହାରେ ବୁଲିବା ଦେଖାଗଲେ ତାଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.