ବେଜିଂ: ଚୀନ୍ରେ କରୋନା ଭାଇରସ ଯୋଗୁ ଦେଖାଦେଇଥିବା ଆତଙ୍କ ଥମିବାର ନାଁ ନେଉନାହିଁ । ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ କେବଳ ଚୀନ୍ରେ ୧୦୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଆହୁରି ୪୫୧୫ ଜଣ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଚୀନ୍ର ହୁବେଇ ପ୍ରଦେଶ ଯେଉଁଠାରେ ପ୍ରଥମେ ଏହି ଭାଇରସକୁ ଠାବ କରାଯାଇଥିଲା, ସେଠାରେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୦ ଥିଲାବେଳେ ଆଜି ପ୍ରାୟ ଦୁଇ ଗୁଣ ହୋଇଯାଇଛି । ଗୋଟିଏ ଦିନରେ ରୋଗୀଙ୍କ ସଂଖ୍ୟାରେ ୬୫ % ବୃଦ୍ଧି ପରିଲକ୍ଷିତ ହୋଇଛି ।
ତେବେ ଏହି ଭାଇରସ କେବଳ ଚୀନ୍ରେ ସୀମିତ ହୋଇରହିନାହିଁ । ବିଶ୍ୱର ଅନ୍ୟ ୧୭ଟି ଦେଶରେ ବି ଏହି ଭାଇରସ ଯୋଗୁ ୭୦ ଜଣ ଲୋକ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ଜର୍ମାନୀ, ଶ୍ରୀଲଙ୍କା ଏବଂ କାମ୍ବୋଡିଆରେ ସୋମବାର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ଚୀନ୍ ପରେ ଥାଇଲ୍ୟାଣ୍ଡରେ ସବୁଠାରୁ ଅଧିକ ୧୭ଟି ମାମଲା ସାମ୍ନାକୁ ଆସିଛି । ଆମେରିକା, ଫ୍ରାନ୍ସ, ବ୍ରିଟେନ, ଅଷ୍ଟେ୍ରଲିଆ, କାନାଡା, ମାଲେସିଆ, ସିଙ୍ଗାପୁର, ଭିଏତ୍ନାମ ଓ ଜାପାନ ପରି କେତେକ ଦେଶରେ ଏହି ଭାଇରସକୁ ଠାବ କରାଯାଇଛି ।
ଜାପାନର ଜଣେ ନାଗରିକ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ସେ କେବେହେଲେ ଚୀନ୍ ଗସ୍ତ କରିନାହାନ୍ତି । ବରଂ ଚୀନ୍ରୁ ଫେରିଥିବା କିଛି ଲୋକଙ୍କୁ ଭେଟିବା ପରେ ସେ ଏହି ଭାଇରସ ସଂସ୍ପର୍ଶରେ ଆସିଛନ୍ତି । ମଣିଷ ଠାରୁ ମଣିଷକୁ ଏହି ଭାଇରସ ଡେଉଁଥିବାର ଏହା ସବୁଠାରୁ ବଳିÂ ପ୍ରମାଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ଭାଇରସର ପ୍ରସାର ରୋକିବାକୁ ରୁଷ, ମଙ୍ଗୋଲିଆ ସମେତ ଅନେକ ଦେଶ ଏବେ ଚୀନ୍ ସଂଲଗ୍ନ ସୀମାକୁ ପୁରା ବନ୍ଦ କରିଦେଇଛନ୍ତି । ଚୀନ୍ ଦ୍ୱାରା ଶାସିତ ହଂକଂର ପ୍ରଶାସନ ଘୋଷଣା କରିଛି ଯେ ଚୀନ୍କୁ ଯାଉଥିବା ବିମାନର ସଂଖ୍ୟା ଅଧା କରାଯିବ ଏବଂ ଟ୍ରେନ ଓ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଚୀନ୍ର ମୁଖ୍ୟ ଭୂଖଣ୍ଡରୁ ହଂକଂକୁ ଆସିବା ପାଇଁ ଲୋକଙ୍କୁ ସାମୟିକ ଭାବେ ଭିସା ଦିଆଯିବ ନାହିଁ । ହଂକଂର ଯେଉଁ ନାଗରିକମାନେ ଏବେ ଚୀନ୍ରେ ଅଛନ୍ତି, ସେମାନେ ତୁରନ୍ତ ହଂକଂକୁ ଫେରିବା ସହିତ ୧୪ ଦିନ ଯାଏଁ ଘର ଭିତରେ ରହିବା ଏବଂ କାହା ସହିତ ନମିଶିବା ପାଇଁ ହଂକଂର ସିଇଓ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟରେ, ଭାଇରସ ଆତଙ୍କ ଯୋଗୁ ଚୀନ୍ରେ ଫସି ଯାଇଥିବା ନିଜର ନାଗରିକମାନଙ୍କୁ ସେଠାରୁ ଫେରାଇ ନେବା ପାଇଁ ଭାରତ, ଆମେରିକା,ଜର୍ମାନୀ ଓ ଫ୍ରାନ୍ସ ଭଳି ଅନେକ ଦେଶ ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନେ ଏଥିପାଇଁ ସ୍ୱତନ୍ତ୍ର ବିମାନ ପଠାଇବାକୁ ଯୋଜନା କରିଛନ୍ତି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛି କି ଏହି ପ୍ରକ୍ର୍ରିୟା ଆରମ୍ଭ କରାଯାଇସାରିଲାଣି । ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏଥିପାଇଁ ଚୀନ୍ ସରକାର ଏବଂ ସେଠାରେ ଥିବା ଭାରତୀୟ ନାଗରିକଙ୍କ ସହିତ ଯୋଗାଯୋଗ ରକ୍ଷା କରୁଛି । ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଯେଉଁ ପ୍ରକାର ବ୍ୟବସ୍ଥା କରାଯିବା ଆବଶ୍ୟକ, ସେଥିପାଇଁ ଉଦ୍ୟମ କରାଯାଉଛି ।
ଭାରତୀୟ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଚୀନ୍ ସରକାରଙ୍କ ସହିତ ସମ୍ପର୍କ ରକ୍ଷା କରାଯାଇଛି । ଭାରତୀୟ ନାଗରିକ ବିଶେଷ କରି ୱୁହାନ ସହରରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବିମାନ ଯୋଗେ ଭାରତ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉଛି । ୪୨୩ ଆସନ ବିଶିଷ୍ଟ ଏକ ବୋଇଂ ବିମାନକୁ ଏଥିପାଇଁ ମୁମ୍ବାଇ ବିମାନବନ୍ଦରରେ ପ୍ରସ୍ତୁତ ରଖାଯାଇଛି । ଭାରତର ନିବେଦନକୁ ଚୀନ୍ ସରକାର ସମ୍ମତି ଦେଇଛନ୍ତି । ୱୁହାନରେ ପ୍ରାୟ ୨୫୦ ଭାରତୀୟ ଛାତ୍ର ଫସି ରହିଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ-କାଶ୍ମୀର, ଆସାମ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶର ବାସିନ୍ଦା ଅଟନ୍ତି । ୱୁହାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଫସି ରହିଥିବା ପିଲାଙ୍କ ମଧ୍ୟରୁ ୮ ଜଣ ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ସେମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଶେଷ ହେବାକୁ ଯାଉଥିବାରୁ ସେମାନେ ଏଭଳି ନିବେଦନ କରିଛନ୍ତି ।
ଭାରତରେ ମଧ୍ୟ ଏହି ଭାଇରସର ପ୍ରସାର ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଏବେ ଚୀନ୍ରୁ ଫେରୁଥିବା ଯାତ୍ରୀମାନଙ୍କର ସାତଟି ପ୍ରମୁଖ ବିମାନବନ୍ଦର ଯେପରିକି ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଚିଂରେ ଥର୍ମାଲ ସ୍କାନିଂ କରାଯାଉଛି । ଏ ପ୍ରକାର ଯାଞ୍ଚ ବ୍ୟବସ୍ଥା ୨୦ଟି ବିମାନବନ୍ଦରରେ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏପର୍ଯ୍ୟନ୍ତ ଭାରତୀୟ ବିମାନବନ୍ଦରଗୁଡିକରେ ଚୀନ୍ରୁ ଫେରିଥିବା ୩୫,୦୦୦ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି । ଭାରତରେ ଏବେ ଚୀନ୍ରୁ ଫେରିଥିବା ୪୫୦ ଜଣ ଲୋକଙ୍କୁ ବିଭିନ୍ନ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି । ସେମାନଙ୍କ ଦେହରେ ଥଣ୍ଡା ଓ କାଶ ସହ ଭାଇରସରେ ଆକ୍ରାନ୍ତ ହେବାର କିଛି ଲକ୍ଷଣ ଦେଖାଯିବାରୁ ଏପରି ପଦକ୍ଷେପ ନିଆଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ କେରଳର ବାସିନ୍ଦା ଅଟନ୍ତି । ତେବେ ୨୦ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷା ପାଇଁ ଲାବକୁ ପଠାଯାଇଥିଲା । ମାତ୍ର ସେଗୁଡିକ ନେଗେଟିଭ୍ ବାହାରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ ଏପର୍ଯ୍ୟନ୍ତ କେହି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାର ସ୍ପଷ୍ଟ ହୋଇନାହିଁ । ତେବେ ରୋଗୀଙ୍କ ନମୁନା ପରୀକ୍ଷଣ ପାଇଁ ପୂର୍ବରୁ ପୁନେ ସ୍ଥିତ ଲାବରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲାବେଳେ ଏବେ ଆଉ ୪ଟି ଲାବରେ ଏପରି ସୁବିଧା ଉପଲବ୍ଧ କରାଯାଇଛି । ସରକାର ୧୦ଟି ଲାବରେ ଏ ପ୍ରକାର ପରୀକ୍ଷାର ବ୍ୟବସ୍ଥା କରାଇବେ ।
ଆଉ ଏକ ଘଟଣାକ୍ରମରେ, କିଛି ବିଶେଷଜ୍ଞ ଦାବି କରିଛନ୍ତି ଯେ ଗ୍ରୀଷ୍ମ ଋତୁ ଶେଷ ହେବା ଯାଏଁ ଏହି ଭାଇରସର ପ୍ରକୋପ ଦେଖିବାକୁ ମିଳିବ । ତା’ ପରେ ଏହା ହ୍ରାସ ପାଇପାରେ । ତେବେ କେବଳ ଜାନୁଆରୀ ମାସରେ ୫ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାରୁ ଏହି ହାର ଜାରି ରହିଲେ ଗ୍ରୀଷ୍ମ ଋତୁ ଶେଷ ହେଲାବେଳକୁ ପ୍ରାୟ ୨୫,୦୦୦ ଲୋକ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । କିନ୍ତୁ ହଂକଂ ବିଶ୍ୱବିଦ୍ୟାଳୟର କିଛି ବିଶେଷଜ୍ଞ ଦାବି କରୁଛନ୍ତି କି ଚୀନ୍ରେ ଏହି ଭାଇରସ ଯୋଗୁ ପ୍ରାୟ ୪୦ହଜାର ଲୋକ ଆକ୍ରାନ୍ତ ହୋଇସାରିଲେଣି । ଏଧରଣର ରୋଗୀଙ୍କ ମୃତୁ୍ୟ ହାର ଏବେ ୩ଧ ରହିଛି । କିନ୍ତୁ ଏହା କିଛଟା କମ୍ବେଶୀ ହୋଇପାରେ ବୋଲି ସେମାନେ କହିଛନ୍ତି ।
ସେପଟେ, ବ୍ରିଟେନର ଜଣେ ଗବେଷିକା ଦାବି କରିଛନ୍ତି ଯେ ସେ କରୋନା ଭାଇରସର ନିରାକରଣ ପାଇଁ ଏକ ଟିକା ପ୍ରସ୍ତୁତ କରିଛନ୍ତି । ଡିସେମ୍ବର ମାସରେ ଯେତେବେଳେ ପ୍ରଥମ ଥର ଏହି ଭାଇରସକୁ ଚିହ୍ନଟ କରାଗଲା, ସେତେବେଳେ ସେ ଏ ପ୍ରକାର ଟିକା ଉପରେ କାମ କରିବା ଆରମ୍ଭ କରିଥିଲେ । ଏବେ ପଶୁମାନଙ୍କ ଉପରେ ଏହାର ପ୍ରୟୋଗ କରାଯାଉଛି । କିନ୍ତୁ ମଣିଷ ଉପରେ ଏହାର ପ୍ରୟୋଗ କରିବା ପାଇଁ ଆହୁରି ଦୁଇ ମାସ ସମୟ ଲାଗିବ ।
Comments are closed, but trackbacks and pingbacks are open.